Odia News Portal

କଟକରୁ ଜବତ ହେଲା ଭେଜାଲ୍ ପନିର୍

କଟକ: ଭେଜାଲ୍ ତେଲ, ଘିଅ, ସସ୍, ଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ ମିଳିବା ପରେ ଏବେ କଟକରୁ ଜବତ ହୋଇଛି ଅପମିଶ୍ରିତ ସିନ୍ଥେଟିକ୍ ପନିର୍ । କଟକ ଚାଉଳିଆଗଞ୍ଜ ଥାନା ପୋଲିସ ଦ୍ୱାରା ଏହି ପନିର ଜବତ କରାଯାଇଛି । କଟକ ଚାଉଳିଆଗଞ୍ଜ ପୋଲିସ୍‌ ଓ ସିଏମ୍‌ସି ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଚଢାଉ କରି ୧ କ୍ୱିଣ୍ଟାଲରୁ ଅଧିକ ନକଲି ପନିର ଜବତ କରିଛି। କୋଲକାତାରୁ ଏକ ବସ୍‌ରେ ଚାଲାଣ ବେଳେ ଚାଉଳିଆଗଞ୍ଜରୁ ଏହାକୁ ଜବତ କରାଯାଇଛି।ଏହି ଅପମିଶ୍ରିତ ପନିର ଜବତ ହେବା ପରେ ସିଏମସି ଦ୍ବାରା ମାନ ଯାଞ୍ଚ କରାଯାଇଛି । ଏହି ଘଟଣାରେ ଜଣଙ୍କୁ ଅଟକ ରଖିଛି ଚାଉଳିଆଗଞ୍ଜ ଥାନା ପୋଲିସ । କୋଲକାତାରୁ ଏହି ଅପମିଶ୍ରିତ ପନିର ଆଣି ସେମାନେ କଟକ ଏବଂ ଏହାର ଆଖପାଖ ଅଞ୍ଚଳରେ ବିକ୍ରି କରୁଥିଲେ ।

କିଛିଦିନ ତଳେ କଟକ ଜଗତପୁର ଅଞ୍ଚଳରେ ନକଲି ସୋୟା ବଡ଼ି ତିଆରି କାରଖାନା ଠାବ କରାଯାଇଥିଲା । ପୋଲିସ୍‌ ଏହି କାରଖାନାରେ ଚଢ଼ାଉ କରି ବିପୁଳ ପରିମାଣର ଅପମିଶ୍ରିତ ସୋୟା ବଡ଼ି ସହ ବିଭିନ୍ନ ପ୍ରକାରର କଞ୍ଚାମାଲ୍ ଏବଂ କେମିକାଲକୁ ଜବତ କରିଥିଲା। ଏଠାରେ ପୋକରା ଚାଉଳ ଏବଂ ଅମୋନିଆ ବାଇକର୍ବୋନେଟ୍ ବ୍ୟବହାର କରି ସୋୟା ବଡ଼ି ତିଆରି କରାଯାଉଥିଲା। ସୋୟାବଡ଼ିକୁ ଫୁଲାଇ ରଖିବା ପାଇଁ ଏହି ରାସାୟନିକ ପଦାର୍ଥ ବ୍ୟବହାର କରାଯାଉଥିଲା।

ନକଲି କାରଖାନାର ହବ୍ ପାଲଟିଛି ସିଲଭର ସିଟି କଟକ | ତେବେ ଗତ କିଛି ଦିନ ମଧ୍ୟରେ କଟକରୁ ଅନେକ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି କାରଖାନା ଠାବ ହେଲାଣି, ତାକୁ ନେଇ ସାଧାରଣ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି |