Odia News Portal

ଟାଙ୍ଗୀ ଡ୍ରିମ୍ସ କୋଭିଡ ହସ୍ପିଟାଲ ନାଁରେ ସାଂଘାତିକ ଅଭିଯୋଗ

ଟାଙ୍ଗୀ: ପଦାରେ ପଡିଲା କୋଭିଡ ହସ୍ପିଟାଲ ଭିତିରି ଖେଳ । ରୋଗୀଙ୍କ ଜୀବନ ସହ ଖେଳ ଖେଳୁଛି ଟାଙ୍ଗୀ ଡ୍ରିମ୍ସ କୋଭିଡ ହସପିଟାଲ । ମୃତ୍ୟୁର ସତ୍ୟାସତ୍ୟ ଜାଣିବାକୁ ଥାନାରେ ଏତଲା ଦେଲେ ମୃତକଙ୍କ ପରିବାର । ଟାଙ୍ଗୀ ଡ୍ରିମ୍ସ କୋଭିଡ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଚୌଦ୍ୱାରର ପ୍ରତିଷ୍ଠିତ ବ୍ୟବସାୟୀ ସୁକୁମାର ସୁବିଧିରାୟଙ୍କୁ ହେଲା ଛୁରାମାଡ । ଗଲା ୪ ତାରିଖରେ ହୋଇଥିବା ଏହି ଆକ୍ରମଣରେ ଗୁରୁତର ସୁକୁମାରଙ୍କ ମୃତ୍ୟୁ ହୋଇଥିବା ବେଳେ ଏହାର ପ୍ରକୃତ କାରଣ ଜାଣିବାକୁ ଥାନାରେ ଏତଲା ଦେଇଛନ୍ତି ସୁକୁମାରଙ୍କ ପତ୍ନୀ ସୁଲୋଚନା । ଯାହାକୁ ନେଇ ଆରମ୍ଭ ହୋଇଛି ହଟଚମଟ ।

ମେ ୨୯ରେ କୋଭିଡରେ ଆକ୍ରାନ୍ତ ସୁକୁମାର ଟାଙ୍ଗୀ ଡ୍ରିମ୍ସ କୋଭିଡ ହସପିଟାଲରେ ଭର୍ତୀ ହୋଇଥିଲେ । ଶାରୀରିକ ଓ ମାନସିକ ଭାବେ ସୁସ୍ଥ ଥିବା ସୁକୁମାର ପ୍ରତିଦିନ ଫୋନରେ ପରିବାର ଲୋକଙ୍କ ସହ କଥା ହେଉଥିଲେ । ତେବେ ଗଲା ୪ ତାରିଖରେ ସେ କୋଭିଡ ହସପିଟାଲରୁ ଘରକୁ ଆସିବାକୁ ଥିବା ବେଳେ ସେହିଦିନ ସକାଳେ ସେ ନିଜେ ବେକରେ ଛୁରାମାଡ କରିଥିବା ଖବର ମିଳିଥିଲା ପରିବାରକୁ । ତେବେ ଜାଣିଶୁଣି ତାଙ୍କ ଚିକିତ୍ସା ପ୍ରକ୍ରିୟାକୁ ବିଳମ୍ବ କରାଯାଇଥିବା ଓ ତାଙ୍କୁ ଆକ୍ରମଣ ପଛରେ ଡ୍ରିମ୍ସ ହସପିଟାଲର ହାତ ରହିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏନେଇ ଟାଙ୍ଗୀ ଥାନାରେ ଅଭିଯୋଗ କରିଛନ୍ତି ମୃତକଙ୍କ ପତ୍ନୀ ।

ଏବେ ପ୍ରଶ୍ନ ଉଠିଛି, କୋଭିଡ ହସପିଟାଲ ୱାର୍ଡରେ ଛୁରୀ ଆସିଲା କେଉଁଠୁ ? କୋଭିଡ ହସପିଟାଲ ଭିତରେ ଜଣେ ନିଜ ବେକରେ ଛୁରୀ ଭୁଷିଦେଲା, ସୁରକ୍ଷା କର୍ମୀ କରୁଥିଲେ କଣ ? ଏହା ପଛରେ କି କାରଣ ରହିଛି , ଢ଼ିଲା ସୁରକ୍ଷା ବ୍ୟବସ୍ଥା ନା ସାଂଘାତିକ ଷଡଯନ୍ତ୍ର ? ତେବେ ଥାନାରେ ଏନେଇ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଆଗାମୀ ଦିନରେ କି କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବାକୁ ବାକି ରହିଲା ।