Odia News Portal

ତେଲେଙ୍ଗାନାକୁ ଅକ୍ସିଜେନ ପଠାଇଲା ଟାଟା ଷ୍ଟିଲ ବିଏସଏଲ

ଭୁବନେଶ୍ୱର: ଦେଶରେ ମହାମାରୀ କରୋନା ସାଙ୍ଘାତିକ ସ୍ଥିତି ଧାରଣ କରିଥିବା ସମୟରେ ଅକ୍ସିଜେନ ନିଅଣ୍ଟ ସମସ୍ୟା ସୃଷ୍ଟି କରିଛି । ଏପରି ସ୍ଥିତିରେ ଅତ୍ୟାବଶ୍ୟକ ଅକ୍ସିଜେନ ଅଭାବ ଦୂର କରିବା ପାଇଁ ଢେଙ୍କାନାଳର ଟାଟା ଷ୍ଟିଲ ବିଏସଏଲ କାରଖାନା ଆଗକୁ ଆସିଛି। କାରଖାନା ପକ୍ଷରୁ ୫୬ ଟନ ଲିକ୍ୟୁଇଡ଼ ଅକ୍ସିଜେନ ରାଜ୍ୟର ବିଭିନ୍ନ ଡାକ୍ତରଖାନା ଉଦ୍ଦେଶ୍ୟରେ ପଠାଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଶନିବାର ଦିନ ତେଲେଙ୍ଗାନାକୁ ଟାଟା ଷ୍ଟିଲ ବିଏସଏଲ କାରଖାନାରୁ ୧୮୫ ଟନ ଲିକ୍ୟୁଡ଼ ଅକ୍ସିଜେନ ୧୦ଟି ଟ୍ୟାଙ୍କର ଯୋଗେ ପଠାଯାଇଛି । ଅପରପକ୍ଷରେ ରାଜ୍ୟରେ କୋଭିଡ ମହାମାରୀ ରୋକିବାକୁ ପ୍ରୟାସରେ ଟାଟା ଷ୍ଟିଲ ବିଏସଏଲ ନିଜକୁ ସାମିଲ କରିଛି । ଅକ୍ସିଜେନ ପାଇଁ କାହାର ପ୍ରାଣ ହାନି ନହେଉ ଏଥିପ୍ରତି ଟାଟା ଷ୍ଟିଲ ଯଥା ସମ୍ଭବ ଅକ୍ସିଜେନ ଯୋଗାଇବାର ପ୍ରୟାସ ଜାରିରଖିଛି । ଏଭଳି ସ୍ଥିତିରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ମଧ୍ୟ ଦେଶକୁ ଅକ୍ସିଜେନ୍ ଯୋଗାଣର ଗୁରୁଦାୟିତ୍ବ ନେଇଥିବା ବେଳେ ଏହାର ସୁରକ୍ଷିତ ଯୋଗାଣ ପାଇଁ ମୁଖ୍ୟମନ୍ତ୍ରୀ ଆଶ୍ବାସନା ଦେଇଛନ୍ତି ।