Odia News Portal

ଟାଟା ଷ୍ଟିଲ ପ୍ଲାଣ୍ଟରୁ ଆନ୍ଧ୍ର, ମହାରାଷ୍ଟ୍ରକୁ ଗଲା ଅକ୍ସିଜେନ୍

ଭୁବନେଶ୍ୱର: ଯାଜପୁରରୁ ବିଶାଖାପାଟଣା ଓ ମହାରାଷ୍ଟ୍ରର ପୁଣେ ଅଭିମୁଖେ ୨ଟି ଅକ୍ସିଜେନ୍ ଟ୍ୟାଙ୍କର ବାହାରିଛି । ଯାଜପୁର କଳିଙ୍ଗନଗର ସ୍ଥିତ ଟାଟା ଷ୍ଟିଲ କାରଖାନାରୁ ୨ଟି ଅକ୍ସିଜେନ୍ ଭର୍ତ୍ତି ଟ୍ୟାଙ୍କରକୁ ପୋଲିସ ଏସ୍କର୍ଟରେ ପଠାଯାଇଛି । ସେହିଭଳି ଟାଟା ଷ୍ଟିଲ କାରଖାନାରୁ ୨୩ ଟନର ଏକ ଅକ୍ସିଜେନ ଟ୍ୟାଙ୍କରକୁ ଗୁରୁବାର ରାତିରେ ଦିଲ୍ଲୀ ପଠାଯାଇଛି । କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଅକ୍ସିଜେନ ପଠାଯାଇଥିବା ସୂଚନା ମିଳିଛି । ଶୁକ୍ରବାର ଆହୁରି ଅକ୍ସିଜେନ ରାଉରକେଲା ଷ୍ଟିଲ ପ୍ଲାଣ୍ଟରୁ ଦିଲ୍ଲୀ ପଠାଯିବ ବୋଲି ମଧ୍ୟ ସୂଚନା ରହିଛି ।ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଳିଙ୍ଗନଗର ଟାଟା ଷ୍ଟିଲ ଅକ୍ସିଜେନ ଯୋଗାଇବ ବୋଲି ଘୋଷଣା କରିଥିଲେ । ଯାଜପୁର ପୋଲିସର ସୁରକ୍ଷା ମଧ୍ୟରେ ଏହି ଅକ୍ସିଜେନ ଭ୍ୟାନ ପଠାଯାଇଥିବା ସୁଚନା ଦେଇଛନ୍ତିି ଯାଜପୁର ଏସପି ରାହୁଲ ପି.ଆର ।

ସୂଚନାନୁଯାୟୀ, ଦେଶରେ ଅକ୍ସିଜେନ ସଙ୍କଟ ଭୟଙ୍କର ପରିସ୍ଥିତି ସୃଷ୍ଟି କରୁଥିବା ସମୟରେ ଦିଲ୍ଲୀରେ ଅକ୍ସିଜେନ୍ ଅଭାବକୁ ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାରୁ ଅକ୍ସିଜେନ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ଓଡିଶା, ଦିଲ୍ଲୀକୁ ଅକ୍ସିଜେନ ଯୋଗାଇ ଦେବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ସ୍ପଷ୍ଟ କରିଥିଲେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେଜ୍ରିୱାଲ ଧନ୍ୟବାଦ ମଧ୍ୟ ଜଣାଇଥିଲେ।