Odia News Portal

ବ୍ରିସବେନ ଟେଷ୍ଟରେ ଭାରତର ବାଜିମାତ୍

ବ୍ରିସବେନ: ବ୍ରିସବେନ ଟେଷ୍ଟରେ ଟିମ୍ ଇଣ୍ଡିଆର ଐତିହାସିକ ବିଜୟ । ଏହା ସହ ଅଷ୍ଟ୍ରେଲିଆର ୩୩ ବର୍ଷର ରେକର୍ଡକୁ ଭାଙ୍ଗିଛି ଭାରତ । ବର୍ଡର ଗାଭାସ୍କର ଟ୍ରଫି ଜିତି ବିଦେଶ ମାଟିରେ ଇତିହାସ ରଚିଛି ଭାରତ । ଋଷଭ ପନ୍ତ ଏବଂ ଶୁଭମାନ ଗିଲଙ୍କ ଦମଦାର ବ୍ୟାଟିଂ ବଳରେ ଗାବା ଟେଷ୍ଟ୍‌କୁ ୪ ୱିକେଟ୍‌ରେ ଜିତି ନେଇଛି ଭାରତ । ଏହା ସହିତ ୪ ମ୍ୟାଚ୍‌ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ଭାରତ ବାଜିମାତ କରିଛି ।

ଋଷଭ ପନ୍ତ, ଶୁଭମାନ ଗିଲ ଏବଂ ଚେତେଶ୍ୱର ପୂଜାରାଙ୍କ ଦମଦାର ଇନିଂସ ଟିମ୍ ଇଣ୍ଡିଆ ପାଇଁ ଏହି ଐତିହାସିକ ବିଜୟ ଆଣି ଦେଇଛି | ତେବେ ଭାରତର ଏହି ଐତିହାସିକ ବିଜୟରେ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି | ଏହା ସହ ବିସିସିଆଇ ଭାରତୀୟ ଦଳର ଏହି ଐତିହାସିକ ବିଜୟ ପାଇଁ ପୁରସ୍କାର ଘୋଷଣା କରିଛି | ୫ କୋଟି ଟଙ୍କାର ବୋନସ ଘୋଷଣା କରିଛନ୍ତି ବିସିସିଆଇ ବୋର୍ଡ଼ ସମ୍ପାଦକ ଜୟ ଶାହା | ବିଦେଶ ମାଟିରେ ଟିମ୍ ଇଣ୍ଡିଆର ଏହି ଦମଦାର ବିଜୟ କ୍ରିକେଟ ପ୍ରଶଂସକ ମଧ୍ୟରେ ଖୁସି ଆଣି ଦେଇଛି |

ଦ୍ୱିତୀୟ ଇନିଂସରେ ଭାରତକୁ ୩୨୮ ରନ୍‌ର ଟାର୍ଗେଟ ଦେଇଥିଲା ଅଷ୍ଟ୍ରେଲିଆ । ଜବାବରେ ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଭାରତ ୪/୦ ରନ କରିଥିଲା । ପଞ୍ଚମ ତଥା ଶେଷ ଦିନରେ ୧୦ ଓ୍ବିକେଟ୍ ବାକିଥାଇ ୩୨୦ ରନ ଆବଶ୍ୟକ କରୁଥିଲା । ଭାରତ ପକ୍ଷରୁ ରୋହିତ ଶର୍ମା ନିରାଶ କରିବା ପରେ ଟ୍ରାକ୍‌ରେ ଦମଦାର ବ୍ୟାଟିଂ କରିଥିଲେ ଶୁଭମାନ ଗିଲ । ସେ ଧୌର୍ଯ୍ୟର ସହ ବ୍ୟାଟିଂ କରି ୯୧ ରନ୍‌ର ମହତ୍ତ୍ବପୂର୍ଣ୍ଣ ଇନିଂସ ଖେଳିଥିଲେ ।

ଚେତେଶ୍ୱର ପୂଜାରା ମଧ୍ୟ କ୍ରିଜ୍‌ରେ ଜମି ରହି ୫୬ ରନ କରି ଆଉଟ ହୋଇଥିଲେ । ପରେ ଋଷଭ ପନ୍ତଙ୍କ ଦମଦାର ୮୯ ରନ୍‌ର ଇନିଂସ ବଳରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଏହା ସହ ଗତ ୩୩ ବର୍ଷ ହେଲା ବ୍ରିସବେନ୍‌ରେ ଗୋଟିଏ ବି ଟେଷ୍ଟ ମ୍ୟାଚ୍ ହାରିନଥିବା ଅଷ୍ଟ୍ରେଲିଆର ରେକର୍ଡକୁ ଭାଙ୍ଗିଛି ଭାରତ ।