ବାଲେଶ୍ବର ଜିଲ୍ଲା ସୋର ତହସିଲଦାର ଦୈତାରୀ ମଲ୍ଲିକ ଆଜି ଅପରାହ୍ଣରେ ଭିଜିଲାନସ ଦ୍ୱାରା ଧରାପଡ଼ିଛନ୍ତି। ଗତ କିଛି ଦିନ ତଳେ ବାଗୁଡି ପଥର ଖାଦାନରୁ ପଥର ଚୋରି ହେଉଥିବାର ଖବର ପାଇ ତହସିଲଦାର ଶ୍ରୀ ମଲ୍ଲିକ ଚଢ଼ଉ କରିଥିଲେ। ପରେ ଧଳ ଷ୍ଟକ ପଏଣ୍ଟରୁ ୫ଟି ବେଆଇନ୍ ପଥର ବୋଝେଇ ଡ଼ମ୍ଫରକୁ ଜବତ କରି ସୋର ତହସିଲ ପରିସରରେ ରଖିଥିଲେ। ଆଜି ଉକ୍ତ ପଥର ଗାଡିକୁ ଛାଡିବାକୁ ଟ୍ରକ ମାଲିକ ମାନଙ୍କ ଠାରୁ ୪୦ ହଜାର ଟଙ୍କା ଟ୍ରକ ଆସୋସିଏସନର ଉପସଭାପତି ଦୟାନିଧି ଜେନାଙ୍କ ମାଧ୍ୟମରେ ନେଉଥିବା ବେଳେ ଭିଜିଲାନ୍ସ ଟିମ ମାଡ଼ିବସିଥିଲା। ପରେ ତାଙ୍କ ଭଡ଼ାଘର ଓ ଅଫିସରେ ବିଭିନ୍ନ କାଗଜପତ୍ର ଯାଞ୍ଚ କରାଯାଇଥିଲା। ଶେଷରେ ଦୟାନିଧି ଜେନା ଓ ତହସିଲଦାର ଶ୍ରୀ ମଲିକଙ୍କୁ ବାଲେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଥିବା ଜଣାପଡ଼ିଛି।
