Odia News Portal

ସ୍ଥାୟୀ ବାତ୍ୟା ନିରୋଧୀ ଭିତ୍ତିଭୂମି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦାବି

ଭୁବନେଶ୍ୱର: ପ୍ରଧାମନ୍ତ୍ରୀଙ୍କର ବାତ୍ୟା ସମୀକ୍ଷା ବୈଠକରେ ଓଡ଼ିଶାରେ ସ୍ଥାୟୀ ଦୀର୍ଘ ମିଆଦି ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଗୁରୁତ୍ୱପୂର୍ଣ୍ଣ ଦାବି ରଖିଛନ୍ତି।ଓଡ଼ିଶା ବାରମ୍ବାର ବାତ୍ୟା ଦ୍ୱାରା ପ୍ରଭାବିତ ହେଉଥିବାରୁ ଏକ ଦୀର୍ଘ ମିଆଦି ବ୍ୟବସ୍ଥା କରିବା ପାଇଁ ସହାୟତା କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଦାବି ଜଣାଇଛନ୍ତି ଓଡ଼ିଶା ସରକାର ।ତେବେ ଏହି ବୈଠକରେ ରାଜ୍ୟପାଳ ଗଣେଶୀ ଲାଲଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର,ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଓ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ତେବେ ବୈଠକରେ କରାଯାଇଥିବା ଦାବି ଅନୁଯାୟୀ, ଓଡ଼ିଶା ବାରମ୍ବାର ଏଭଳି ବାତ୍ୟା ଦ୍ୱାରା ପ୍ରଭାବିତ ନହେବାକୁ ଡିଜାଷ୍ଟର ରେଜିଲେଣ୍ଟ ପାୱାର ସିଷ୍ଟମ ଓ କୋଷ୍ଟାଲ ଷ୍ଟର୍ମ ସର୍ଜ ପ୍ରୋଟେକ୍ସନ ବ୍ୟବସ୍ଥା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଦାବି ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ଯେଉଁଥିରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକରେ ଏକ ସୁରକ୍ଷାବଳୟ ସୃଷ୍ଟି କରାଯିବ । ଏହାବାଦ୍ ବାତ୍ୟା ଦ୍ୱାରା ବାରମ୍ବାର ବିଦ୍ୟୁତ ଯୋଗାଣ ପ୍ରଭାବିତ ହେଉଥିବାରୁ ପ୍ରଭାବିତ ହେଉଥିବା ଅଞ୍ଚଳ ଗୁଡିକରେ ଉନ୍ନତ ଜ୍ଞାନକୌଶଳ ବ୍ୟବହାର ସହ ଅଣ୍ଡରଗ୍ରାଉଣ୍ଡ କେବୁଲିଂ କରିବାକୁ ମଧ୍ୟ ଦାବି କରାଯାଇଛି ।

ତେବେ ପ୍ରଧାନମନ୍ତ୍ରୀଙ୍କର ସମୀକ୍ଷା ବୈଠକ ପରେ ଏସଆରସି ପ୍ରଦୀପ ଜେନା ଗଣ ମାଧ୍ୟମକୁ ସୂଚନା ଦେଇ କହିଛନ୍ତି, କ୍ଷୟକ୍ଷତି ବାବଦରେ ଅର୍ଥରାଶି ଆମେ କେନ୍ଦ୍ର ସରକାରଙ୍କୁ ମାଗିନାହୁଁ । ୭ ଦିନ ପରେ କ୍ଷୟକ୍ଷତି କେତେ ହୋଇଛି ଆମେ ଜଣାଇବୁ । ବାତ୍ୟାରେ କ’ଣ କ୍ଷୟକ୍ଷତି ହୋଇଛି ସେ ନେଇ ୮ ମିନିଟର ଏକ ଭିଡିଓ କ୍ଳିପ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ବାତ୍ୟା ଅଞ୍ଚଳର ସ୍ଥିତି ନେଇ ମଧ୍ୟ ପାଓ୍ୱାର ପଏଣ୍ଟ ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି । ତେବେ ଅନୁଷ୍ଠିତ ବୈଠକରେ ରାଜ୍ୟ ପକ୍ଷରୁ ବାତ୍ୟା ନିରୋଧୀ ଭିତ୍ତିଭୂମି ଓ ବେଳାଭୂମିର ସୁରକ୍ଷା ପାଇଁ ଅନୁରୋଧ କରାଯାଇଥିବା ଏସଆରସି ସୂଚନା ଦେଇଛନ୍ତି । ତେବେ ବାତ୍ୟା କ୍ଷୟକ୍ଷତିର ଭରଣା ରାଜ୍ୟ ସରକାର ନିଜେ କରିବ ବୋଲି ଏସଆରସି କହିଛନ୍ତି ।