Odia News Portal

ମାର୍ଚ୍ଚ ୨୫ରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତି କାର୍ଯ୍ୟ ହେବ ଆରମ୍ଭ

ମାର୍ଚ୍ଚ ୨୫ ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି କାର୍ଯ୍ୟ ଆରମ୍ଭ ହେବ । ରାଜ୍ୟ ସରକାରଙ୍କ ମାର୍ଗ ଦର୍ଶିକା ଅନୁଯାୟୀ ସବୁ କାର୍ଯ୍ୟ ହେବ । ଗତାକଲି ରାଜ୍ୟ ସରକାରଙ୍କ ଏସଓପି ଅନୁଯାୟୀ କିଭଳି ସୁରକ୍ଷିତ ଭାବେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି କାର୍ଯ୍ୟ ହେବ ସେ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ରତ୍ନଭଣ୍ଡାର ଉଚ୍ଚ ସ୍ତରୀୟ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ରତ୍ନ ଅଳଙ୍କାର ଗଣତି କାର୍ଯ୍ୟରେ ସାମିଲ ହେବାକୁ ଥିବା ସେବାୟତ ପ୍ରତିନିଧି, ପ୍ରଶାସନିକ ଅଧିକାରୀ ଓ ଅନ୍ୟାନ୍ୟ ପ୍ରାଧିକୃତ୍ ବ୍ୟକ୍ତି ବିଶେଷ ଏହି ବୈଠକରେ ଉପସ୍ଥିତ ରହି ମହାପ୍ରଭୁଙ୍କ କାର୍ଯ୍ୟକୁ କିଭଳି ସୁରୁଖୁରୁରେ ସମାପନ କରିବେ ସେ ନେଇ ବିସ୍ତୃତ ଆଲୋଚନା ହୋଇଛି ।ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, “ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି କାର୍ଯ୍ୟ ରାଜ୍ୟ ସରକାରଙ୍କ ମାର୍ଗ ଦର୍ଶିକା ଅନୁଯାୟୀ କିଭଳି ହେବ ସେ ନେଇ ଆଜି ବୈଠକରେ ଆଲୋଚନା ହୋଇଥିଲା । ମହାପ୍ରଭୂଙ୍କ ଏହି କାର୍ଯ୍ୟ ଭଣ୍ଡାର ମେକାପ ସେବକ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ରତ୍ନ ଭଣ୍ଡାରରେ ଯାହାବି ସବୁ ଅଳଙ୍କାର ରହିଛି ସେଗୁଡ଼ିକ ସମ୍ପୂର୍ଣ୍ଣ ଭିଡିଓଗ୍ରାଫି, ଫୋଟୋଗ୍ରାଫି ଏବଂ ଆବଶ୍ୟକ ସ୍ଥଳେ ଥ୍ରିଡି ମ୍ୟାପିଂ କରାଯିବ ।”ମାର୍ଚ୍ଚ ୨୫ ତାରିଖରେ ପ୍ରଥମେ ମହାପ୍ରଭୁଙ୍କର ଦୈନନ୍ଦିନ ବ୍ୟବହାର ହେଉଥିବା ରତ୍ନ ଅଳଙ୍କାର ତଥା ଚଳନ୍ତି ରତ୍ନ ଭଣ୍ଡାରରେ ଥିବା ଅଳଙ୍କାର ଗଣତି କାର୍ଯ୍ୟ ଆରମ୍ଭ ହେବ । ଏହା ଶେଷ ହେବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ବାହାର ରତ୍ନ ଭଣ୍ଡାରରେ ଥିବା ରତ୍ନ ଅଳଙ୍କାର, ବିଭିନ୍ନ ପର୍ବ ପର୍ବାଣୀରେ ବ୍ୟବହାର ହେଉଥିବା ରତ୍ନ ଅଳଙ୍କାର ଗଣତି ହେବ । ଏହି କାର୍ଯ୍ୟ ଶେଷ ହେବା ପରେ ଆମେ ଭିତର ରତ୍ନ ଭଣ୍ଡାର ଅଳଙ୍କାର ଗଣତି କାର୍ଯ୍ୟ ହେବ । ଭିତର ରତ୍ନ ଭଣ୍ଡାରରେ ଥିବା ଏବଂ ବ୍ୟବହାର ହେଉନଥିବା ଅଳଙ୍କାର ଗଣତି କାର୍ଯ୍ୟ ହେବ କହିଛନ୍ତି ଅରବିନ୍ଦ ପାଢ଼ୀ।