Odia News Portal

ସାତଭାୟାବାସୀଙ୍କ ଥଇଥାନ ସ୍ଥଳୀର ବିକାଶ ହୋଇପାରୁନାହିଁ, କ୍ଷୋଭ ପ୍ରକାଶ କରିଛନ୍ତି ଲୋକେ

ବଞ୍ଚିଗଲା ଜୀବନ । ଉଜୁଡି ଗଲା ଜୀବିକା । ୧୯୭୧ ମସିହା ମହାବାତ୍ୟା ପରେ ଜଳବାୟୁର ଅହେତୁକ ପରିବର୍ତ୍ତନ ପାଇଁ ସମୁଦ୍ର ଉଗ୍ରମୁଖା ହୋଇ ସ୍ଥଳଭାଗ ଆଡକୁ ମାଡି ଆସିଲା । ସାତଭାୟାର ଗୋଟିଏ ପରେ ଗୋଟିଏ ଗାଁ ମୋଟ ସାତଟି ଗାଁକୁ ନିଜ ଗର୍ଭକୁ ଟାଣିନେଲା । ହଜାର ହଜାର ହେକ୍ଟର ଚାଷ ଜମିରେ ସମୁଦ୍ରର ଲୁଣା ପାଣି ମାଡିଗଲା । ଏହାପରେ ୨୦୧୮ ମସିହାରେ ସାତଭାୟାବାସୀଙ୍କୁ ବଗପାଟିଆରେ ଥଇଥାନ କଲେ ତତ୍ କାଳୀନ ସରକାର । ସାତଭାୟାର ମୋଟ ୮୧୯ ପରିବାରଙ୍କୁ ସରକାର ୧୦ ଡେସିମିଲ ଜାଗା ଓ ବିଜୁ ପକ୍କାଘର ଯୋଗାଇଦେଲେ । ଥଇଥାନ ସ୍ଥଳୀ ବଗପାଟିଆକୁ ଆଦର୍ଶ କଲୋନୀ କରିବା ପାଇଁ ପରିକଳ୍ପନା କଲେ ପୂର୍ବତନ ସରକାର । ସେମାନଙ୍କ ପାଇଁ ଶିକ୍ଷା, ସ୍ଵାସ୍ଥ୍ୟ, ବିଦ୍ୟୁତ ଓ ଗମନାଗମନର ବ୍ୟବସ୍ଥା କରାଗଲା ।

ତେବେ ରାସ୍ତା ଘାଟର ସମସ୍ୟା ଥିବାରୁ ୨୦୨୪ ମସିହାରେ ୨୨ କୋଟି ୫୨ ଲକ୍ଷ ଟଙ୍କା ଏବଂ ମା’ ପଞ୍ଚୁବରାହୀଙ୍କ ମନ୍ଦିର ଉନ୍ନତିକରଣ ପାଇଁ ୫ କୋଟି ଟଙ୍କା ମଂଜୁର କରାଯାଇଥିଲା । ମାତ୍ର ସରକାର ପରିବର୍ତ୍ତନ ପରେ ବାରମ୍ବାର ସମୀକ୍ଷା ବୈଠକ କରାଯାଉଥିଲେ ମଧ୍ୟ ଆସିଥିବା ଅର୍ଥ ଖର୍ଚ୍ଚ ହୋଇପାରୁନାହିଁ କି ଥଇଥାନ ସ୍ଥଳୀର ବିକାଶ ହୋଇପାରୁନାହିଁ । ଯେଉଁଥିପାଇଁ କ୍ଷୋଭ ପ୍ରକାଶ କରିଛନ୍ତି ସାତଭାୟାବାସୀ ।

୧୯୭୧ ମହାବାତ୍ୟାରେ ସାତଭାୟାର ହଜାର ହଜାର ଲୋକେ ମୃତ୍ୟୁବରଣ କରିଥିଲେ । ସେମାନଙ୍କ ଦୁଃଖ, ଦୁର୍ଦ୍ଦଶା ଦେଖି ଆଉ ଜଣେ ହେଲେ ଲୋକଙ୍କ ଜୀବନ ଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ ସେତେବେଳର ସରକାର । ସାତଭାୟା ବାସୀଙ୍କ ଜୀବନ ସିନା ବଞ୍ଚିଗଲା କିନ୍ତୁ ଉଜୁଡି ଗଲା ଜୀବିକା । ହଜାର ହଜାର ହେକ୍ଟର ଜମିରେ ଲୁଣି ପାଣି ମାଡିଯିବାରୁ ଜୀବିକା ହରାଇଲେ ସେମାନେ । ଥଇଥାନ କଲୋନୀର ଉନ୍ନତି ପାଇଁ ଆସିଥିବା ଅର୍ଥ ଖର୍ଚ୍ଚ ହୋଇପାରୁନଥିବା ବେଳେ ଦେଢ଼ ବର୍ଷ ଧରି ବାରମ୍ବାର ଜିଲ୍ଲାପାଳ ସମୀକ୍ଷା ବୈଠକ ଡାକୁଛନ୍ତି । ଜିଲ୍ଲାର ସମସ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଉଛନ୍ତି । ଆଙ୍କୁଛନ୍ତି ବିକାଶର ନକ୍ସା କିନ୍ତୁ ଦୂର ହେଉନାହିଁ ସାତଭାୟାର ସମସ୍ୟା । ସମୀକ୍ଷା ବୈଠକ ସରିଯିବା ପରେ ପ୍ରତିଶ୍ରୁତିର ଫାଇଲ ନାଲି ଫିତା ତଳେ ଅଟକି ଯାଉଛି । ଆଜି ବି ଅସରାଏ ବର୍ଷା ହେଲେ ଜଳବନ୍ଦୀ ଜୀବନ କାଟୁଛନ୍ତି ଲୋକେ । ଘରୁ ବାହାରିବା ସେମାନଙ୍କ ପାଇଁ ମୁସ୍କିଲ ହୋଇପଡୁଛି  । ସମୀକ୍ଷା ବୈଠକରେ ନିଆଯାଇଥିବା ନିଷ୍ପତ୍ତି କେବେ କାର୍ଯ୍ୟକାରୀ ହେବ ? ବାକି ଥିବା କାର୍ଯ୍ୟ କେବେ ପୂର୍ଣ୍ଣାଙ୍ଗ ହେବ ? ସାତଭାୟା ବାସୀଙ୍କ ଦୁଃଖ ଦୂର ହେବ ତାହା ଦେଖିବାକୁ ବାକି ରହିଲା ।