Odia News Portal

କରୋନା ଟିକା ଦରକୁ ଟପିଗଲାଣି ଡାକ୍ତରଙ୍କ ଫି

ରାଜ୍ୟରେ ଚାଲିଛି ଘୋଡା ଛଅ ଟଙ୍କା ଦାନା ନଅ ଟଙ୍କା ନୀତି

ଭୁବନେଶ୍ୱର : କରୋନାର ଦ୍ୱିତୀୟ ଲହର ଭୟ ସହିତ କରୋନା ଟୀକା ନେବାପାଇଁ ଲୋକଙ୍କ ଭିଡ ବଢୁଥିବାବେଳେ କେତେକ ଘରୋଇ ଡାକ୍ତରଖାନା ଏବେ ଏହାର ଫାଇଦା ଉଠାଇବାରେ ଲାଗିଛନ୍ତି । ସରକାରଙ୍କ ଦ୍ୱାରା ଟୀକାର ଦର ଧାର୍ଯ୍ୟ ହୋଇଥିବାରୁ ଏହା ବାଦ୍‌ କିଭଳି ଅଧିକ ପଇସା ଲୋକଙ୍କ ଠାରୁ ଭିଡିବେ ସେଥିପାଇଁ ଲାଗିପଡିଛନ୍ତି ।କରୋନା ଟୀକାର ଦୁଇଟି ଜୋଡ୍‌କୁ ଘରୋଇ ଡାକ୍ତରଖାନାରେ ନେଲେ ଜୋଜ୍‌ ପିଛା ୨୫୦ଟଙ୍କା ହିସାବରେ ମୋଟ୍‌ ୫୦୦ ଟଙ୍କା ପଡିବ ।

ତେବେ ସରକାରୀ ଡାକ୍ତରଖାନାରେ ଏହା ସମ୍ପୂର୍ଣ୍ଣ ମାଗଣା । କିନ୍ତୁ ସରକାରୀ ଡାକ୍ତରଖାନାରେ ହେଉଥିବା ଭିଡ ଓ ଟୋକନ ଜଞ୍ଜାଳରୁ ମୁକ୍ତି ପାଇଁ ଲୋକେ ଘରୋଇ ଡାକ୍ତରଖାନା ମୁହାଁ ହେଉଛନ୍ତି । ଏହାକୁ ମଉକା ଭାବି ଘରୋଇ ଡାକ୍ତରଖାନା ଏବେ ଜାଲ ବିଛାଇବାରେ ଲାଗିଛନ୍ତି । ବିଶେଷକରି ଯେଉଁମାନଙ୍କ ବୟସ ୬୦ବର୍ଷରୁ କମ୍‌ ସେମାନଙ୍କୁ ଏହି ଘରୋଇ ଡାକ୍ତରଖାନା ଟାର୍ଗେଟ କରୁଛନ୍ତି ।କାରଣ ୬୦ବର୍ଷରୁ କମ୍‌ ବୟସର ଲୋକଙ୍କୁ ଟୀକା ନେବାକୁ ହେଲେ ଡାକ୍ତରଙ୍କ ଅନୁମତି ଜରୁରୀ । ତେଣୁ ଯିଏ ଗରୋଇ ଡାକ୍ତରଖାନାରେ ପହଞ୍ଚୁଛି ତାହାଠାରୁ ପ୍ରଥମେ ଡାକ୍ତରଙ୍କ ଫି ବାବରେ ୨୦୦ରୁ ୩୦୦ ଟଙ୍କା ଆଦାୟ ହେଉଛି । କେତେକ ସ୍ଥାନରେ ତ ଟିକା ଦରକୁ ଡାକ୍ତରଙ୍କ ଦର ବଳିଗଲାଣି । ଟିକା ପଇସା ଅଧିକ । ଲୋକଟି ବହୁବିଧ ରୋଗରେ ଆକ୍ରାନ୍ତ ହୋଇଥାଉ କି ନଥାଉ ଡାକ୍ତର ଫି ପାଇଲାପରେ ଆଖିବୁଜି ରୋଗ ସଂକ୍ରାନ୍ତରେ ଉଲ୍ଲେଖ କରିବା ସହିତ ଟିକା କେନ୍ଦ୍ରକୁ ପଠାଇ ଦେଉଛନ୍ତି । ଫଳରେ ଆଦୌ ରୋଗ ନଥିବା କମ୍‌ ବୟସର ଲୋକେ ଏବେ ଘରୋଇ ଡାକ୍ତରଖାନା ମୁହାଁ ହୋଇଛନ୍ତି ।

ସ୍ୱାସ୍ଥ୍ୟ ବିଭାଗ ସମସ୍ତଙ୍କୁ ଟିକା ନେବାକୁ ପ୍ରବର୍ତ୍ତାଉଥିବାବେଳେ ଏହି ଦିଗଟି ପ୍ରତି ଦୃଷ୍ଟି ନଦେବାରୁ ଏବେ ଲୋକେ ଶୋଷଣର ଶିିକାର ହେଉଛନ୍ତି । ତେଣୁ ଏହା ଉପରେ ସ୍ୱତନ୍ତ୍ର ସ୍କ୍ୱାଡ୍‌ କରି ଚଢଉ ଲାଗି ମତପ୍ରକାଶ ପାଉଛି । ଖୋଦ୍‌ ରାଜଧାନୀରେ ଘରୋଇ କିଛି ଘରୋଇ ଡାକ୍ତରଖାନା ଏଭଳି ଉପାୟରେ ଅର୍ଥ ଆଦାୟରେ ମାତିଥିବାବେଳେ ସେମାନଙ୍କୁ ନିୟନ୍ତ୍ରଣ କରିବାକୁ କେହି ନାହିଁ ।ଅନୁରୂପ ଭାବେ କରୋନା ପରୀକ୍ଷାବେଳେ କିଛି ଘରୋଇ ଡାକ୍ତରଖାନା ଡାକ୍ତର ଫି ନାଁରେ ଅର୍ଥ ଲୁଟୁଥିଲେ । ଯେତେବେଳେ କରୋନା ପରୀକ୍ଷାର ଦାମ ଅଧିକ ଥିଲା ସେତେବେଳେ ଏମାନେ ଫି ନେଉନଥିଲେ । ଯେତେବେଳେ ସରକାର ପରୀକ୍ଷା ଦର କମାଇଦେଲେ ଟଙ୍କା ଆଦାୟ ପାଇଁ ଏମାନେ ଡାକ୍ତର ଫିସ୍‌ ଫନ୍ଦି କାଢିଲେ । ତେଣୁ କରେନାକୁ ମଉଭା ଭାବି ଲୋକଙ୍କୁ ଲୁଟୁଥିବା ଡାକ୍ତରଖାନା ଗୁଡିକ ଉପରେ ତୁରନ୍ତ ଚଢଉ ପାଇଁ ଦାବି ହେଉଛି ।