Odia News Portal

ଓଡ଼ିଶାକୁ ଶାସନ କରିଥିବା କେଶରୀ ବଂଶ, ଗଙ୍ଗ ବଂଶରୁ ଆରମ୍ଭ କରି ସୂର୍ଯ୍ୟବଂଶୀ ରାଜାମାନେ ରତ୍ନଭଣ୍ଡାରକୁ ବିପୁଳ ଧନରତ୍ନ ଓ ଅଳଙ୍କାର ଅର୍ପଣ କରିଥିଲେ।

 ଇତିହାସର ବିଭିନ୍ନ କାଳଖଣ୍ଡରେ ଓଡ଼ିଶାକୁ ଶାସନ କରିଥିବା କେଶରୀ ବଂଶ, ଗଙ୍ଗ ବଂଶରୁ ଆରମ୍ଭ କରି ସୂର୍ଯ୍ୟବଂଶୀ ରାଜାମାନେ ରତ୍ନଭଣ୍ଡାରକୁ ବିପୁଳ ଧନରତ୍ନ ଓ ଅଳଙ୍କାର ଅର୍ପଣ କରିଥିଲେ। କପିଳେନ୍ଦ୍ର ଦେବ, ପୁରୁଷୋତ୍ତମ ଦେବ, ପ୍ରତାପରୁଦ୍ର ଦେବ ଓ ଭୋଇ ବଂଶର ଶାସକ ପ୍ରଥମ ରାମଚନ୍ଦ୍ର ଦେବଙ୍କ ପର୍ଯ୍ୟନ୍ତ ଶାସକମାନେ ରାଜ୍ୟ ଜୟ କରି ବିପୁଳ ଧନ ରତ୍ନ ନେଇ ଫେରିବା ପରେ ଏହାକୁ ଭକ୍ତିର ନୈବେଦ୍ୟ ସ୍ବରୂପ ଦାନ କରି ଦେଉଥିଲେ। ନେପାଳର ରାଜା ଓ ତାଙ୍କ ରାଜସଭାସଦଙ୍କ ସମେତ ଦେଶର ବିଭିନ୍ନ ପ୍ରାନ୍ତର ଅନେକ ରାଜା ମହାରାଜା ମଧ୍ୟ ଶ୍ରୀଜଗନ୍ନାଥଙ୍କୁ ବିପୁଳ ସୁନା, ରୁପା ଓ ବିଭିନ୍ନ ପ୍ରକାର ରତ୍ନପଥର ଭେଟି ଦେଇଥିଲେ। ସେଥି ମଧ୍ୟରେ ବିଭିନ୍ନ ପ୍ରକାରର ମୂଲ୍ୟବାନ ହୀରା, ନୀଳା, ମୋତି, ମାଣିକ୍ୟ, ପୋଖରାଜ ଓ ପ୍ରବାଳ ଭଳି ଦୁର୍ଲଭ ରତ୍ନ ରହିଛି। ତଥ୍ୟ କହେ, ରତ୍ନଭଣ୍ଡାରରେ ନବରତ୍ନ ରହିଛି। ଚତୁର୍ଦ୍ଦଶ ଶତାବ୍ଦୀ ଶେଷ ଭାଗ ଆଡ଼କୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ବିପୁଳ ସ୍ବର୍ଣ୍ଣ ଅଳଙ୍କାରରେ ପରିପୂର୍ଣ୍ଣ ହୋଇ ରହିଥିଲା। ପୁରୀ ଜିଲ୍ଲା ଗେଜେଟିୟରରେ ଉଲ୍ଲେଖ ଅଛି ଯେ, ହିନ୍ଦୁ ରାଜା, ମହାରାଜା ଓ ବଦାନ୍ୟ ଭକ୍ତମାନେ ଅର୍ପଣ କରିଥିବା ଧନରତ୍ନ ଓ ଅଳଙ୍କାରରେ ରତ୍ନଭଣ୍ଡାର ସମୃଦ୍ଧ ହୋଇଥିଲା। ମାଦଳାପାଞ୍ଜିରେ ଉଲ୍ଲେଖ ଅଛି, ସୁପ୍ରସିଦ୍ଧ ଗଙ୍ଗବଂଶୀ ରାଜା ଅନଙ୍ଗଭୀମ ଦେବ ବିଭିନ୍ନ ରାଜ୍ୟ ଜୟ କରି ନିଜ ରାଜ୍ୟ କୋଷାଗାରକୁ ୪୭ଲକ୍ଷ ୮୮ହଜାର ମାଢ଼ ସୁନା ପ୍ରଦାନ କରିଥିଲେ।ସେଥିରୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଳଙ୍କାର ତିଆରି ଲାଗି ୨ ଲକ୍ଷ ୫୦ହଜାର ମାଢ଼ ସୁନା ଓ ରତ୍ନଭଣ୍ଡାରକୁ ୧୦ହଜାର ମାଢ଼ ସୁନା ଅର୍ପଣ କରିଥିଲେ। ରାଜା ରାଜରାଜ ଦେବ ମଧ୍ୟ ରତ୍ନଭଣ୍ଡାରକୁ ୧୦,୦୦୦ ମାଢ଼ (୫୦୦୦ ତୋଳା) ସୁବର୍ଣ୍ଣ ଅର୍ପଣ କରିଥିଲେ। ୧୪୬୬ରେ ଦାକ୍ଷିଣାତ୍ୟର ଅନେକ ରାଜ୍ୟ ବିଜୟ କରି ଗଜପତି ରାଜା କପିଳେନ୍ଦ୍ର ଦେବ ୧୬ଟି ହାତୀ ପିଠିରେ ଲଦି ଆଣିଥିବା ସମସ୍ତ ଧନରତ୍ନ ଶ୍ରୀମନ୍ଦିର ପ୍ରତି ଉତ୍ସର୍ଗ କରିଥିଲେ। ସେତେବେଳେ ତଢ଼ାଉ କରଣ ସେବକଙ୍କ ଅନୁରୋଧକ୍ରମେ ଦାକ୍ଷିଣାତ୍ୟରୁ ଆଣିଥିବା ଧନରତ୍ନ ଓ ଗହଣା ଗାଣ୍ଠିରେ ୧୩୮ ପ୍ରକାରର ରତ୍ନଖଚିତ ସ୍ବର୍ଣ୍ଣ ଅଳଙ୍କାର ଗଢ଼ାଯାଇଥିଲା। ଏ ସବୁ ଅଳଙ୍କାର ରଥାରୁଢ଼ ଦିଅଁଙ୍କ ସୁନାବେଶରେ ବ୍ୟବହାର କରାଯାଏ।