Odia News Portal

‘ପ୍ରଯୁକ୍ତି ବ୍ୟବହାର କରି ସହଜ ଜୀବନଧାରଣ’ ବଜେଟ୍ ପରବର୍ତ୍ତୀ ପଞ୍ଚମ ୱେବିନାରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପ୍ରଯୁକ୍ତି ବ୍ୟବହାର କରି ସହଜ ଜୀବନଧାରଣ’ ଉପରେ ବଜେଟ୍‌ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଛନ୍ତି। ୨୦୨୩ କେନ୍ଦ୍ର ବଜେଟ୍‌ରେ ଘୋଷଣା କରାଯାଇଥିବା ଯୋଜନାଗୁଡ଼ିକର ପ୍ରଭାବୀ କାର୍ଯ୍ୟକାରିତା ପାଇଁ ମତାମତ ଓ ପରାମର୍ଶ ଲୋଡ଼ିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଉଥିବା ୧୨ଟି ବଜେଟ୍‌ ପରବର୍ତ୍ତୀ ୱେବିନାର ଶୃଙ୍ଖଳା ମଧ୍ୟରୁ ଏହା ହେଉଛି ପଞ୍ଚମ ୱେବିନାର।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକବିଂଶ ଶତାବ୍ଦୀର ଭାରତ ପ୍ରଯୁକ୍ତି ବ୍ୟବହାର ସହିତ ଏହାର ନାଗରିକମାନଙ୍କୁ ନିରନ୍ତର ସଶକ୍ତ କରି ଚାଲିଛି। ପ୍ରଯୁକ୍ତି ସହାୟତାରେ ଲୋକମାନଙ୍କର ଜୀବନଧାରଣକୁ ସହଜ କରିବା ଲାଗି ଗତ କିଛି ବର୍ଷ ଧରି ପ୍ରତ୍ୟେକ ବଜେଟ୍‌ରେ ଗୁରୁତ୍ୱାରୋପ କରାଯାଉଥିବା ସେ ସୂଚନା ଦେଇଥିଲେ। ପ୍ରଯୁକ୍ତିର ଭୂମିକା ଉପରେ ଆଲୋଚନା କରିବା ସହିତ ଏକ ରାଷ୍ଟ୍ର ଏକ ରାସନ କାର୍ଡ, ଜାମ୍ (ଜନ ଧନ-ଆଧାର-ମୋବାଇଲ), ଆରୋଗ୍ୟ ସେତୁ ଏବଂ କୋୱିନ୍‌ ଆପ୍, ରେଳ ସଂରକ୍ଷଣ ଏବଂ ଜନସେବା କେନ୍ଦ୍ରର ଉଦାହରଣ ଦେଇଥିଲେ। ସେ ଆୟକର ବ୍ୟବସ୍ଥା ସହ ଜଡ଼ିତ ଅଭିଯୋଗର ଫେସ୍‌ଲେସ୍‌ ସମାଧାନ ସମ୍ପର୍କରେ ଉଦାହରଣ ଦେଇଥିଲେ। ‘ଏବେ ଆପଣଙ୍କ ଅଭିଯୋଗ ଓ ନିବାରଣ ମଧ୍ୟରେ କୌଣସି ବ୍ୟକ୍ତିର ହସ୍ତକ୍ଷେପ ନାହିଁ, କେବଳ ପ୍ରଯୁକ୍ତି ରହିଛି’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଛୋଟ ଛୋଟ ଅପରାଧଗୁଡ଼ିକର ନିରପରାଧୀକରଣ କରିବା ଏବଂ ଏମ୍‌ଏସ୍‌ଏମ୍‌ଇ ପାଇଁ ଋଣ ଗ୍ୟାରେଣ୍ଟର ହେବା ଫଳରେ ସରକାର ନାଗରିକମାନଙ୍କର ବିଶ୍ୱାସଭାଜନ ହୋଇପାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ପରିପ୍ରେକ୍ଷୀରେ ସେ କହିଥିଲେ ଯେ, ପୂର୍ବରୁ ସରକାର ଏବଂ ଜନସାଧାରଣଙ୍କ ମଧ୍ୟରେ ବିଶ୍ୱାସର ଅଭାବ କାରଣରୁ ଗୋଲାମୀ ମାନସିକତା ସୃଷ୍ଟି ହୋଇଥିଲା।