Odia News Portal

ପୋଡ଼ମ୍‌ପେଟାରେ କୂଳ ଲଂଘିଲା ସମୁଦ୍ର

ଗଞ୍ଜାମ ଜିଲ୍ଲାରେ ଆଜି ବାତ୍ୟା ‘ମୋନ୍ଥା’ର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷାର ପରିମାଣ ବଢ଼ିବା ସାଙ୍ଗକୁ ପବନର ବେଗ ଅଧିକ ରହିଛି। ବିଶେଷକରି ସମୁଦ୍ର ଉପକୂଳବର୍ତ୍ତୀ ୫ଟି ବ୍ଲକ୍‌ ଗଞ୍ଜାମ, ଛତ୍ରପୁର, ଖଲ୍ଲିକୋଟ, ରଙ୍ଗେଇଲୁଣ୍ଡା ଓ ଚିକିଟି ବ୍ଲକ୍‌ରେ ପ୍ରଭାବ ଅଧିକ ରହିଛି। ଏହାସହ ପାତ୍ରପୁର, ଚିକିଟି, ଦିଗପହଣ୍ଡି, ପୋଲସରା, କବିସୂର୍ଯ୍ୟନଗର ଓ ଗୋପାଳପୁର ଅଞ୍ଚଳରେ ବର୍ଷାର ପରିମାଣ ବଢ଼ିଛି। ଗଞ୍ଜାମ ବ୍ଲକ୍‌ ପୋଡ଼ମ୍‌ପେଟାରେ ସମୁଦ୍ର କୂଳ ଲଂଘିଥିବା ବେଳେ ସେଠାରେ ଥିବା ୩ଟି ଦରଭଙ୍ଗା ଘରର ଭଗ୍ନାବଶେଷ ପୂରାପୂରି ‌ଧୋଇ ହୋଇଯାଇଛି। ୧୦ ବର୍ଷ ତଳେ ଏଠାରେ ରହୁଥିବା ଜନବସତିକୁ ସିଦ୍ଧାନ୍ତନଗରକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ବର୍ତ୍ତମାନ କେହି ରହୁ ନାହାନ୍ତି। କୂଳ ଲଂଘିବା ଖବର ମିଳିବା ପରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସୁରକ୍ଷା ଦୃଷ୍ଟିକୋଣରୁ ପୋଡ଼ମ୍‌ପେଟାକୁ ଯିବା ପାଇଁ ରହିଥିବା ରାସ୍ତାକୁ ସିଲ୍‌ କରାଯାଇଛି। ଅନ୍ୟପକ୍ଷରେ ଜିଲ୍ଲା ପାଇଁ ଆଗାମୀ ୨୪ ଘଣ୍ଟା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗକୁ ପବନର ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ତଳିଆ ଓ ଦୁର୍ଗମ ସ୍ଥାନରୁ ଲୋକଙ୍କୁ ସୁରକ୍ଷିତ ଭାବେ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ଦୁଇଦିନ ମଧ୍ୟରେ ଜିଲ୍ଲାର ୬ହଜାର ୨୮ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତିଭାସନ୍‌ ସୂଚନା ଦେଇଛନ୍ତି। ସମସ୍ତଙ୍କ ପାଇଁ ରନ୍ଧାଖାଦ୍ୟ ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ସେହିପରି ବିଭିନ୍ନ ସ୍ଥାନରୁ ୯୭୦ ଗର୍ଭବତୀଙ୍କୁ ଡାକ୍ତରଖାନାକୁ ନିଆଯାଇଥିବା ସୂଚନା ମିଳିଛି।