Odia News Portal

ଏସ୍‌ସିବିରେ ଡାକ୍ତରଙ୍କ ‘ବାରି’ ପରମ୍ପରା ଶେଷ: ପସନ୍ଦର ଡାକ୍ତରଙ୍କୁ ଯେକୌଣସି ଦିନ ଦେଖାଇପାରିବେ, ଡାକ୍ତରଙ୍କ ଚାମ୍ବର, ୱାର୍ଡରେ ହେବ ଓପିଡି ରୋଗୀଙ୍କ ଚିକିତ୍ସା

କଟକ ବଡ଼ ଡାକ୍ତରଖାନାରେ ପ୍ରଥମ ଥର ପାଇଁ ବହିର୍ବିଭାଗ (ଓପିଡି) ଚିକିତ୍ସା ସେବାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ବହିର୍ବିଭାଗରେ ଚାଲି ଆସିଥିବା ନିର୍ଦ୍ଦିଷ୍ଟ ଡାକ୍ତରଙ୍କ ଦ୍ବାରା ନିର୍ଦ୍ଦିଷ୍ଟ ଦିନ (ବାରି)ରେ ରୋଗୀ ଚିକିତ୍ସା ବ୍ୟବସ୍ଥାକୁ ବନ୍ଦ କରାଯାଇଛି। ଏଣିକି ଡାକ୍ତରଙ୍କୁ ଯେକୌଣସି ଦିନରେ ରୋଗୀ ଭେଟି ଚିକିତ୍ସା ପାଇପାରିବେ। ଯଦି ନିଜ ପସନ୍ଦର ଡାକ୍ତରଙ୍କ ଆଉଟଡୋର୍ ନଥାଏ, ତେବେ ସମ୍ପୃକ୍ତ ଡାକ୍ତରଙ୍କୁ ଚାମ୍ବର କିମ୍ବା ୱାର୍ଡରେ ଦେଖାଇ ପାରିବେ। ସୂଚନା ଅନୁଯାୟୀ, ବଡ଼ ଡାକ୍ତରଖାନାର ୩୭ଟି ବିଭାଗରେ ପ୍ରତି ଡାକ୍ତର ପିଛା ଜଣକା ଦିନେରୁ ତିନି ଦିନ ଓପିଡି ଡ୍ୟୁଟି ରହୁଥିଲା। ପୂର୍ବରୁ ଏସ୍‌ସିବିର ବହିର୍ବିଭାଗରେ ବିଭିନ୍ନ ବିଭାଗ ଓ ଡାକ୍ତରମାନଙ୍କ ପରାମର୍ଶ ପାଇଁ ନିର୍ଦ୍ଧାରିତ ଦିନ ସ୍ଥିର କରାଯାଇଛି। ଏଥିପାଇଁ ରୋଗୀମାନେ ଉଭୟ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍ ମାଧ୍ୟମରେ ଟିକଟ ବୁକିଂ କରି ସେହିଦିନ ଡାକ୍ତରୀ ପରାମର୍ଶ ନେଇଥାଆନ୍ତି। ଡାକ୍ତରୀ ପରାମର୍ଶ ପରେ ଅନେକ ସମୟରେ ବିିଭିନ୍ନ ପରୀକ୍ଷା ରିପୋର୍ଟ ତୁରନ୍ତ ମିଳିବା ସମ୍ଭବପର ହୋଇନଥାଏ। ପରେ ରିପୋର୍ଟ ଆସିଲେ ସମ୍ପୃକ୍ତ ଡାକ୍ତରଙ୍କୁ ଦେଖାଇବାକୁ ପୁଣି ଆଉ ଏକ ଦିନକୁ ଅପେକ୍ଷା କରିବାକୁ ପଡ଼ିଥାଏ। ଯଦି ଅନ୍ୟ କୌଣସି ଡାକ୍ତରଙ୍କୁ ଦେଖାନ୍ତି, ତେବେ ଏଥିପାଇଁ ସମସ୍ୟା ମଧ୍ୟ ହୋଇଥାଏ। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ମେଡିକାଲ କର୍ତ୍ତୃପକ୍ଷ ନୂଆ ନିୟମ ଲାଗୁ କରିଛନ୍ତି। ଯଦି କୌଣସି ରୋଗୀ ନିର୍ଦ୍ଧାରିତ ଦିନରେ ଡାକ୍ତରଙ୍କୁ ରିପୋର୍ଟ ଦେଖାଇବାରେ ଅସମର୍ଥ ହୁଅନ୍ତି, ପରବର୍ତ୍ତୀ ଦିନ କିମ୍ବା ଯେକୌଣସି ସରକାରୀ କାର୍ଯ୍ୟ ଦିବସରେ ସକାଳ ୧୦ରୁ ଅପରାହ୍ଣ ୫ଟା ଯାଏଁ ସମ୍ପୃକ୍ତ ଡାକ୍ତର ଚିକିତ୍ସା କରୁଥିବା ୱାର୍ଡ କିମ୍ବା ଚାମ୍ବରକୁ ଯାଇ ସେହି ଡାକ୍ତରଙ୍କ ପରାମର୍ଶ ନେଇପାରିବେ।ଏହି ପଦକ୍ଷେପ ରୋଗୀମାନଙ୍କ ପାଇଁ ଅନେକ ସୁବିଧା ସୃଷ୍ଟି କରିବ ବୋଲି ମେଡିକାଲ୍ କର୍ତ୍ତୃପକ୍ଷ ଆଶା କରୁଛନ୍ତି। ଏଭଳି ବ୍ୟବସ୍ଥା ଦ୍ବାରା ଜିଲ୍ଲା ବାହାରୁ ଆସୁଥିବା ରୋଗୀମାନେ ସୁଫଳ ପାଇପାରିବେ। ଅଯଥାରେ ବାରି ଅନୁଯାୟୀ ଆଉ ଆସିବାକୁ ପଡ଼ିବ ନାହିଁ। ଏ ନେଇ ପ୍ରତି ବିଭାଗର ଆଉଟ୍‌ଡୋରରେ ଡିସ୍‌ପ୍ଲେ ବୋର୍ଡ ଲଗାଯିବାର ବ୍ୟବସ୍ଥା କରାଯାଇଛି। ଏହି ଡିସ୍‌ପ୍ଲେରେ ନିଜ ପସନ୍ଦର ଡାକ୍ତର କେଉଁ ସମୟରେ ୱାର୍ଡ କିମ୍ବା ଚାମ୍ବରରେ ରହୁଛନ୍ତି, ସେ ସମ୍ପର୍କରେ ସୂଚନା ରହିବ। ଏହି ସୂଚନା ଆଧାରରେ ରୋଗୀ ଡାକ୍ତରଙ୍କ ନିକଟରେ ପହଞ୍ଚିପାରିବେ। ଏଥିପାଇଁ ପୁନଃ ଆଉଟ୍‌ଡୋର୍‌ ଟିକଟ କରିବାକୁ ପଡ଼ିବ ନାହିଁ। ପୁରୁଣା ଟିକଟ ଆଧାରରେ ଡାକ୍ତରଙ୍କୁ ଦେଖାଇପାରିବେ ବୋଲି ବଡ଼ ମେଡିକାଲ ସୂତ୍ରରୁ ସୂଚନା ମିଳିଛି।