Odia News Portal

ଏହି ଦେଶରେ କୁକୁରଙ୍କୁ କରାଯାଏ ପୂଜାର୍ଚ୍ଚନା

ହିନ୍ଦୁମାନଙ୍କ ପ୍ରମୁଖ ପର୍ବ ଦୀପାବଳି ଧୁମଧାମରେ ପାଳନ ହୋଇଯାଇଛି । କରୋନା ପରେ ପୁଣିଥରେ ଦେଶ ଖୁସିର ସହ ଆଲୋକର ପର୍ବକୁ ଉପଭୋଗ କରିଛନ୍ତି । ଏହି ସମୟରେ ଲୋକମାନେ ନିଜ ନିଜ ଇଷ୍ଟଦେବୀଙ୍କୁ ପୂଜା କରିଛନ୍ତି । ତେବେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଢଙ୍ଗରେ ଏହି ପୂଜା ପାଳନ କରାଯାଇଥାଏ । ତେବେ ଏମିତି ବି ଏକ ଦେଶ ରହିଛଇ ଯେଉଁଠି କୁକୁରମାନଙ୍କୁ ପୂଜାର୍ଚ୍ଚନା କରାଯାଏ । ଆଶ୍ଚର୍ଯ୍ୟ ଲାଗିଲେ ବି ଘଟଣାଟି ଏକଦମ୍ ସତ । ଏହାର କାରଣ ମଧ୍ୟ ଖୁବ ଆଶ୍ଚର୍ଯ୍ୟଜନକ ରହିଛି ।

ତେବେ ଏହି ଦେଶ ହେଉଛି ନେପାଳ । ଫେଷ୍ଟିଭ ସିଜନରେ ‘କୁକୁର ତିହାର’ ନାମକ ଏକ ପର୍ବ ପାଳନ କରାଯାଇଥାଏ । ଦେଶରେ ୨୩ ଅକ୍ଟୋବରରୁ ୫ ଦିନ ପର୍ଯ୍ୟନ୍ତ ଫେଷ୍ଟିଭାଲ ସିଜନର ଆରମ୍ଭ ହୋଇଥାଏ । ଏହାର ଦ୍ୱିତୀୟ ଦିନକୁ କୁକୁର୍ ତିହାର୍ ଭାବେ ପାଳନ କରାଯାଏ । ଦିୱାଲି ଦିନ ନେପାଳରେ ଏହି କୁକୁର ତିହାର ପାଳନ କରନ୍ତି ଦେଶବାସୀ । କୁକୁରମାନଙ୍କୁ ସେମାନଙ୍କ ବିଶ୍ୱସ୍ତତା ଏବଂ ଭରସା ପାଇଁ ସେମାନଙ୍କୁ ଦେବଦୂତ ରୂପରେ ପୂଜା କରାଯାଏ । ସାରା ଦେଶରେ ତିଳକ-ମାଳା ପିନ୍ଧାଇ ଆରତୀ କରି କୁକୁରମାନଙ୍କୁ ଖାଦ୍ୟ ଦିଆଯାଇଥାଏ । ଏହି ପରିପ୍ରେକ୍ଷୀରେ ସାରା ଦେଶର କୁକୁରଙ୍କୁ ପୂଜା କରାଯାଏ । ସେମାନଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟ ପ୍ରସ୍ତୁତ କରି ଖାଇବାକୁ ଦିଆଯାଇଥାଏ ।

କୁକୁର ତିହାରରେ ନେପାଳର ଲୋକ ନା କେବଳ ପ୍ରାର୍ଥନା କରାଯାଏ, ଏହି ଦିନକୁ ସମ୍ପୂର୍ଣ୍ଣ ସେମାନଙ୍କ ନାଁରେ କରି ଦିଆଯାଏ । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ସ୍ନେହ କରି ସେମାନଙ୍କୁ କ୍ଷୀର, ଅଣ୍ଡା ଆଦି ବିଭିନ୍ନ ଖାଦ୍ୟ ଖାଇବାକୁ ଦିଆଯାଏ । ତେବେ ଏହି ଉତ୍ସବରେ ସ୍ଥାନୀୟ ଲୋକଙ୍କ ସହିତ ଅନ୍ୟ ଲୋକମାନେ ମଧ୍ୟ ଭାଗ ନେଇଥାନ୍ତି । ପ୍ରକୃତରେ କୁକୁର ମୃତ୍ୟୁର ଦେବତା ଯମରାଜଙ୍କ ଦୂତ ଏବଂ ଏହି ଦିନରେ ଲୋକ ଯମରାଜଙ୍କୁ ଖୁସି କରିବା ପାଇଁ ଏହି ପର୍ବ ପାଳନ କରିଥାନ୍ତି । ସେପଟେ ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ପର୍ବ ମାଧ୍ୟମରେ ଏକ ମହାନ ବାର୍ତ୍ତା ମଧ୍ୟ ଦିଆଯାଏ । ମଣିଷମାନେ ପଶୁପକ୍ଷୀଙ୍କୁ ମଧ୍ୟ ସମ୍ମାନ ଦେବା ଉଚିତ ବୋଲି ବାର୍ତ୍ତା ଦେଇଥାଏ କୁକୁର ତିହାର ପର୍ବ ।