Odia News Portal

ପାହାଡ ଉପରେ ହଜାର ହଜାର ନିମ ବୃକ୍ଷ ଅଛି,ଶ୍ରୀ ଜଗନ୍ନାଥ ଙ୍କ ସ୍ୱପ୍ନଦେଶ

ପାହାଡ଼ ଉପରେ ହଜାର ହଜାର ନିମ ବୃକ୍ଷ । ଯାହାକୁ କେହି କେବେ ବି ଦେଖି ନଥିଲେ । ହେଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ବପ୍ନଦେଶ ପରେ ଏବେ ପ୍ରଖର ବେଗରେ ବ୍ୟାପିଗଲା ଏହି ଘଟଣା । ଆପଣଙ୍କୁ ଏହା ଆଶ୍ଚଯ୍ୟ ଲାଗୁଥିଲେ ବି ଏହା ସତ୍ୟ । କଟକ ଜିଲ୍ଲା ଆଠଗଡ଼ ବ୍ଲକ ଅନ୍ତର୍ଗତ ଓରନ୍ଦା ଗ୍ରାମର ପାହାଡ଼ ଉପରେ ରହିଛି ହଜାର ହଜାର ନିମ ବୃକ୍ଷ । ଏକଥା ସେବେ ଜଣାପଡିଥିଲା ଯେତେବେଳେ ଗ୍ରାମର ଜଣେ ଅବସପ୍ରାପ୍ତ ସରକାରୀ କର୍ମଚାରୀ ତଥା ଗ୍ରାମର ସଭାପତି ପ୍ରତାପ ଚନ୍ଦ୍ର ସାମଲଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ବପ୍ନଦେଶ ହେଲା। ଗାଁ ନିକଟ ପାହାଡ଼ ଉପରେ ହଜାର ହଜାର ନିମ ବୃକ୍ଷ ରହିଛି, ତାହାର ରକ୍ଷଣ ବେକ୍ଷଣ କର, ଭବିଷ୍ୟତରେ ଏହି ସ୍ଥାନରୁ ଦାରୁ ଯିବ । ବାସ୍ ଏମିତିରେ ଆରମ୍ଭ ହୋଇଗଲା ତନାଘନା । ସତକୁ ସତ ପାହାଡ ଉପରକୁ ଯାଇ ଦେଖିଲାବେଳକୁ ସେଠାରେ ହଜାର ହଜାର ନିମ ବୃକ୍ଷ।ଏହା ପରେ ଗ୍ରାମ ସଭାପତ ଶ୍ରୀ ସାମଲ ପୁରୀ ଜଗନ୍ନାଥ ମନ୍ଦିରର ସୁଭଦ୍ରାଙ୍କ ବାଡଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ରଙ୍କ ସହିତ ଆଲୋଚନା କରି ପରାମର୍ଶ ନେଲେ। ଶ୍ରୀ ସାମଲଙ୍କ ନେତୃତ୍ବରେ ଗ୍ରାମ ସଭା ଡକା ଯାଇ କିପରି ଏହି ପାହାଡ଼ର ସୁରକ୍ଷା କରାଯାଇ ପାରିବ ସେ ନେଇ ଆଲୋଚନା କରାଗଲା। ଏବଂ ସଙ୍ଗେ ସଙ୍ଗେ ଗ୍ରାମର ଯୁବକଙ୍କ ଠୁ ଆରମ୍ଭ କରି ବୃଦ୍ଧ ସଭିଏଁ ଏହି ନିମ ବୃକ୍ଷ ପାହାଡ଼ର ସୁରକ୍ଷା ନିମନ୍ତେ ଲାଗି ପଡ଼ିଲେ ।
ପାହାଡ଼ କୁ ଅନାବନା ଗଛ ସଫା କରି କେବଳ ସବୁଜ ନିମ ବୃକ୍ଷର ବାଟିକା ପ୍ରସ୍ତୁତ କରି ଚାଲିଲେ । ଯେଉଁ ପାହାଡ଼ରେ ଆଜି ହଜାର ହଜାର ନିମ ବୃକ୍ଷ ହୃଷ୍ଟ ପୃଷ୍ଟ ଭାବେ ବଢ଼ି ଚାଲିଛି । ପ୍ରଥମ ସ୍ୱର୍ଣ୍ଣକ୍ଷେତ୍ରରେ ପୁରୀର ଛତିଶ ନିଯୋଗର ପଣ୍ଡା ମାନଙ୍କୁ ନିମନ୍ତ୍ରିତ କରାଯାଇ ଏଠାରେ ପୂଜାଚର୍ନା କରାଯିବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପତିତପାବନ ବାନାକୁ ବାନ୍ଧି ଏହାର ସୌନ୍ଦର୍ୟ୍ୟ ବଢାଯାଇଥିଲା ।
ପ୍ରଥମ ସ୍ଵର୍ଣ୍ଣକ୍ଷତ୍ର ପାଳନ ପରେ ଏବେ ଗତ ଡିସେମ୍ବର ପଚିଶ ତାରିଖରେ ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା । ଗ୍ରାମର ଆବାଳ ବୃଦ୍ଧ ବନିତା ଏହି କାର୍ୟ୍ୟକ୍ରମରେ ଯୋଗ ଦେବା ସହ ମହାପ୍ରସାଦ ସେବନ କରିଥିଲେ । ଦ୍ୱିତୀୟ ବାର୍ଷିକ ଉତ୍ସବରେ ପୁରୀର ଛତିଶ ନିଯୋଗର ପଣ୍ଡା ଆସିବା ସହିତ ସ୍ଥାନୀୟ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିଥିଲେ । ଏହି ନିମ ବାଟିକାର ଉନ୍ନତି ନିମନ୍ତେ ଛତିଶ ନିଯୋଗ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯିବ ଓ ଆଗାମୀ ଦିନରେ ଏହିଠାରୁ ଦିନେ ଦାରୁ ଯିବ ନିଶ୍ଚିତ ବୋଲି ଶ୍ରୀ ମହାପାତ୍ର କହିଥିଲେ । ଅନ୍ୟପଟେ ଏହି ସ୍ଥାନରୁ ଭବିଷ୍ୟତରେ ଦିନେ ଦାରୁ ଯିବ ଓ ଏହି ପାହାଡ଼କୁ ଲାଳନ ପାଳନ କରୁଥିବାରୁ ଏଥିପାଇଁ ନିଜକୁ ଧନ୍ୟ ମନେ କରିବା ସହ ଏହି ମାଟିରେ ଜନ୍ମ ଗ୍ରହଣ କରି ଆମେ ଗର୍ବିତ ବୋଲି ଗ୍ରାମବାସମାନେ କହିଛନ୍ତି ।
ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ବିଶ୍ବନିୟନ୍ତା। ଅପାର ତାଙ୍କ ମହିମା। ସେ ଭକତ ଡୋରିରେ ବନ୍ଧା। ତେବେ ଏହି ଅଲୌକିକ ଘଟଣା ପରେ ସବୁ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଶ୍ରୀଜୀଉଙ୍କ ମହିମା ସମ୍ପର୍କରେ ଆଲୋଚନା ଜୋର ଧରିଛି ।