Odia News Portal

୨୩ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରି ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ବାଘ

ନୂଆପଡ଼ାରେ ଚିକିତ୍ସାଧୀନ ଅବସ୍ଥାରେ ବାଘର ମୃତ୍ୟୁ ଘଟିଛି। ରାତି ୧୨ଟା ୧୫ ମିନିଟ ସମୟରେ ଉକ୍ତ ବାଘର ପ୍ରାଣହାନି ଘଟିଛି। ଏନେଇ ସୂଚନା ଦେଇଛନ୍ତି ଏସିଏଫ୍ ମହମ୍ମଦ ମୁସ୍ତାଫ ସାଲିହା। ବନ ବିଭାଗର ଅବହେଳ ଓ ଖାମଖିଆଲି ମନୋଭାବ ଯୋଗୁ ବାଘଟି ପ୍ରାଣ ହରାଇଥିବା କୁହାଯାଉଚି।
ଉଲ୍ଲେ୍ଖଯୋଗ୍ୟ, ଜଙ୍ଗଲରୁ ଉଦ୍ଧାର ହୋଇଥିବା ଅସୁସ୍ଥ ବାଘକୁ ନୂଆପଡ଼ା ଜିଲ୍ଲା ରେଞ୍ଜ ଅଫିସ ପରିସରରେ ଏକ ଯନ୍ତାରେ ରଖାଯାଇଥିଲା। ଗତ ୨୨ ଦିନ ହେଲା ବାଘର ଚିକିତ୍ସା ଚାଲିଥିଲେ ମଧ୍ୟ ସ୍ବାସ୍ଥ୍ୟାବସ୍ଥା ସୁଧାର ଆସୁନଥିଲା। ଫଳରେ ବାଘଟି ଖାଦ୍ୟ ମଧ୍ୟ ଠିକ୍ ଭାବେ ଗ୍ରହଣ କରୁନଥିଲା। ଏହାର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରି ନୂଆପଡ଼ା ପ୍ରାଣୀ ଚିକିତ୍ସା ଅଧିକାରୀ ଅଧିକ ଚିକିତ୍ସା ପାଇଁ ଅନ୍ୟସ୍ଥାନକୁ ନେବା ପାଇଁ ୨ରୁ ୩ ଥର ପରାମର୍ଶ ଦେଇଥିଲେ। ହେଲେ ଏହାକୁ ନୂଆପଡ଼ା ବନ୍ୟପ୍ରାଣୀ ବିଭାଗ ଅଧିକାରୀମାନେ ଶୁଣୁ ନଥିଲେ। ଭୁବନେଶ୍ବରରୁ ଓୟୁଏଟି ବିଶେଷଜ୍ଞ ଟିମ୍ ପହଞ୍ଚି ଚିକିତ୍ସା କରିଥିଲେ। ହେଲେ ବାଘର ଅବସ୍ଥା ସଂପୂର୍ଣ୍ଣ ଭାବେ ଠିକ୍ ହୋଇନଥିଲା। ବାଘଟି ମାଂସ ଖାଇପାରୁ ନଥିବାରୁ ତରଳ ଖାଦ୍ୟ ଦିଆଯାଉଥିଲା। ଉଦ୍ଧାର ସମୟରେ ବିଭାଗର ଏସିଏଫ୍ ବାଘ ଅଂଶୁଘାତର ଶିକାର ହୋଇଥିବା ସୂଚନା ଦେଇଥିଲେ। ଅନ୍ୟପକ୍ଷରେ ବିଶେଷଜ୍ଞ ଦଳ ବିଭିନ୍ନ ଚିକିତ୍ସା କରି ବାଘ ୩/୪ ପ୍ରକାର ରୋଗରେ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଥିଲେ।
ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ୧୬ ତାରିଖ ଦିନ ନୂଆପଡ଼ା ରେଞ୍ଜ ଧରମବନ୍ଧା ସେକ୍ସନ ସିଲିଆରିବାହାରା ଗାଁ ଆମକୋନୀ ଜଙ୍ଗଲରୁ ଏହି କଲାରାପତରିଆ ବାଘକୁ ଗୁରୁତର ଅବସ୍ଥାରେ ବନ ବିଭାଗ ଉଦ୍ଧାର କରିଥିଲା। ପରେ ତାକୁ ନୂଆପଡ଼ା ରେଞ୍ଜ ଅଫିସ ପରିସରରେ ରଖି ଚିକିତ୍ସା ଚାଲିଥିଲା। ଏହା ଉପରେ ଏସିଏଫ୍ ମହମ୍ମଦ ମୁସ୍ତାଫ ସାଲିହା କହିଥିଲେ ଯେ ବାଘର ଅବସ୍ଥା ପୂର୍ବ ଭଳି ରହିଛି। ମାଂସ ଖାଇ ପାରୁନାହିଁ। ତରଳ ଖାଦ୍ୟ ଦିଆଯାଉଛି। ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ଅଧିକାରୀମାନଙ୍କୁ ଚିଠି ମାଧ୍ୟମରେ ବାଘକୁ ନୂଆପଡ଼ାରୁ ନେବା ପାଇଁ ଜଣାଇ ଦିଆଯାଇଛି। ତଥାପି ବିଶେଷଜ୍ଞ ଦଳ ନିର୍ଦେଶରେ ଚିକିତ୍ସା ଚାଲିଛି ବୋଲି ସେ କହିଥିଲେ।