Odia News Portal

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଫଟୋଥିବା ପୁସିଂ କାର୍ଡ ଚିରିଲେ ବିଜେପି କର୍ମୀ

ବାଲେଶ୍ୱର: ରାଜ୍ୟରେ ଥମିବାର ନାଁ ଧରୁନି ପୋଷ୍ଟର ରାଜନୀତି । ଟିକାକେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବାକୁ ବିଜେପି ବିରୋଧ କରୁଛି । ତେବେ ଆଜି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀଙ୍କ ଉପସ୍ଥିତିରେ ବିଜେପି କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ପୁସିଂ କାର୍ଡ ଚିରିବା ସହ ପାଟିତୁଣ୍ଡ କରୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ରାଜନୈତିକ ମହଲରେ ହଟ୍ଟଚମଟ ସୃଷ୍ଟି ହେବାରେ ଲାଗିଛି ।

ବାଲେଶ୍ୱର ଗାନ୍ଧୀ ସ୍ମୃତି ଭବନରେ ଟିକାକରଣ ଚାଲିଛି । ତେବେ ଟିକାକେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଲାଗିବା ସହ ଟିକା ନେବା ପରେ ଏକ ପୁସିଂ କାର୍ଡ ବଣ୍ଟା ଯାଉଛି । ଯେଉଁଥିରେ ଦ୍ୱିତୀୟ ଡୋଜ ନେବାର ତାରିଖ ଲେଖାଯିବା ସହ କରୋନା ସଚେତନତା ବାର୍ତ୍ତା ଲେଖାଯାଇଛି । ତେବେ ବିଜେପି ଏହାକୁ ବିରୋଧ କରିଛି । ପ୍ରଧାନମନ୍ତ୍ରୀଙ୍କ ଫଟୋ କାହିଁକି ଲଗାଯାଇନାହିଁ ବୋଲି ସେମାନେ ପ୍ରତିବାଦ କରିଛନ୍ତି । ତେବେ ଆଜି ପ୍ରତାପ ଷଢ଼ଙ୍ଗୀ ଟିକାକେନ୍ଦ୍ର ବୁଲିବାକୁ ଯାଇଥିବା ବେଳେ ତାଙ୍କ ଉପସ୍ଥିତିରେ ଏଭଳି ଘଟଣା ଘଟିଥିବା ଦେଖିବାକୁ ମିଳିଛି ।

କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଏଭଳି ଘଟଣା ଘଟିଥିବାରୁ ସାଧାରଣରେ ନିନ୍ଦା କରାଯାଇଛି । ଏପରିକି ସୋସିଆଲ ମିଡିଆରେ ୟୁଜର୍ସମାନେ ବିଜେପି, ମୋଦି ଏବଂ ପ୍ରତାପ ଷଢ଼ଙ୍ଗୀଙ୍କୁ ଗାଳି କରିଥିବା ଦେଖିବାକୁ ମିଳିଛି । ୟୁଜର୍ସମାନେ ପେଟ୍ରୋଲ ଡିଜେଲ ବଢ଼ୁଥିବା ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ।