ପୁରୀ ଶ୍ରୀମନ୍ଦିରରେ ଆଜି ପଞ୍ଚକ ତୃତୀୟ ଦିନ । ଲକ୍ଷ୍ମୀ ନୃସିଂହ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ଅବକାଶ ନୀତି ବଢ଼ିବା ପରେ ପୁଷ୍ପାଳକ ସେବକ ମାନେ ମହାପ୍ରଭୁଙ୍କୁ ପାଟବସ୍ତ୍ରରେ ବିଭୂଷିତ କରି ଲକ୍ଷ୍ମୀନୃସିଂହ ବେଶ କରିବେ । ମହାପ୍ରଭୁ ସୁବର୍ଣ୍ଣର ଶ୍ରୀଭୁଜ, ଶ୍ରୀପୟର ଏବଂ ଚକ୍ର ସହ ରୌପ୍ୟର ଶଙ୍ଖ ଧାରଣ କରିଥାନ୍ତି । ପ୍ରଭୁ ବଳଭଦ୍ର ମଧ୍ୟ ସୁବର୍ଣ୍ଣର ଶ୍ରୀଭୁଜ, ଶ୍ରୀପୟର ଏବଂ ହଳମୂଷଳ ଧାରଣ କରିଥାନ୍ତି । ଏହି ବେଶରେ ଶ୍ରୀଜିଉ ଯେଉଁ ଚୂଳ ଧାରଣ କରିନ୍ତି, ସେଥିରେ ସୁବର୍ଣ୍ଣର କିଆ ଗୁଡ଼ିକ ଆଡ ବାଗିଆ ଲଗାଯାଇଥାଏ । ତେଣୁ ଏହି ବେଶକୁ ଆଡକିଆ ବେଶ ମଧ୍ୟ କୁହାଯାଏ ।
ସ୍କନ୍ଧ ପୁରାଣ ଅନୁଯାୟୀ, ମହାରାଜ ଇନ୍ଦ୍ରଦ୍ୟୁମ୍ନ ରତ୍ନସିଂହାସନ ଉପରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଯାଇଥିବା ବେଳେ ମହାପ୍ରଭୁ ନୃସିଂହ ବେଶରେ ଦର୍ଶନ ଦେଇଥିଲେ । ଏଣୁ କାର୍ତ୍ତିକ ମାସର ଚତୁର୍ଦ୍ଦଶୀ ତିଥିରେ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହୋଇଥାଏ । ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ରାଜରାଜେଶ୍ଵର ବା ସୁନାବେଶ ଅନୁଷ୍ଠିତ ହେବ । ଏନେଇ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ଦୁଇଟି ଅକ୍ସିଜେନ ରେସକ୍ୟୁ ୟୁନିଟ ବା ଏସଆରୟୁ ନିୟୋଜିତ ରହିବେ । ଏସଆରୟୁ ଟିମ୍ ପାଖରେ ଅକ୍ସିଜେନ କିଟ୍ ରହିଛି । ପ୍ରବଳ ଭିଡ଼ ଯୋଗୁଁ ଅଣନିଶ୍ବାସୀ ହୋଇପଡୁଥିବା ଶ୍ରଦ୍ଧାଳୁଙ୍କୁ ଏହି ଟିମ୍ ଉଦ୍ଧାର କରିବ ।
						
			