Odia News Portal

ଆଜି କୋଲକାତା ମୁମ୍ବାଇ ଟକ୍କର

ଦୁବାଇ: ଆଇପିଏଲରେ ଆଜି ହାଇଭୋଲଟେଜ ମ୍ୟାଚ୍ । କୋଲକାତା ନାଇଟ ରାଇଡର୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ । କେକେଆର୍ ନିଜ ପ୍ରଥମ ମ୍ୟାଚ୍ରେ ଶକ୍ତିଶାଳୀ ଆରସିବିକୁ ୯ ୱିକେଟ୍ରେ ହରାଇଥିଲା। ଏଣୁ ମୁମ୍ବାଇ ପାଇଁ ଆସନ୍ତାକାଲିର ମ୍ୟାଚ୍ ନିଶ୍ଚିତ ଭାବେ ଆଉ ଏକ ପରୀକ୍ଷା ନେଇ ଆସିବ। ରୋହିତ ଗୁରୁବାର ମ୍ୟାଚ୍ରେ ଖେଳିବାର ଯଥେଷ୍ଟ ସମ୍ଭାବନା ଥିଲେ ମଧ୍ୟ ମୁମ୍ବାଇ ତରଫରୁ ତାଙ୍କୁ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ସେହିଭଳି ହାର୍ଦିକଙ୍କ ଫିଟନେସ୍ ମଧ୍ୟ ରହସ୍ୟ ଘେରରେ ରହିଛି। ହାର୍ଦିକ ଅନୁପସ୍ଥିତ ରହିଲେ ସୌରଭ ତିୱାରୀ ତାଙ୍କ ସ୍ଥାନ ନେବେ।

ମୁମ୍ବାଇ ସଂପ୍ରତି ୪ ବିଜୟ ସହ ୮ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛି। ଅନ୍ୟପକ୍ଷରେ କୋଲକାତା ୩ ବିଜୟ ସହ ୬ ପଏଣ୍ଟ ଲାଭ କରି ଷଷ୍ଠ ସ୍ଥାନରେ (ବୁଧବାରର ଦିଲ୍ଲୀ-ହାଇଦ୍ରାବାଦ ମ୍ୟାଚ୍ ପୂର୍ବରୁ) ଅଛି। ଉଭୟ ଦଳରେ ଅନେକ ତାରକା ଖେଳାଳି ଅଛନ୍ତି। ଏଣୁ ଗୁରୁବାର ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ପୂର୍ବ ପ୍ରଦର୍ଶନକୁ ବିଚାରକୁ ନେଲେ ଜଣାପଡ଼େ ଯେ ମୁମ୍ବାଇ ଓ କୋଲକାତା ୨୮ ମ୍ୟାଚ୍ରେ ପରସ୍ପରର ମୁହାଁମୁହିଁ ହୋଇଛନ୍ତି। ସେଥିମଧ୍ୟରୁ ମୁମ୍ବାଇ ୨୨ ମ୍ୟାଚ୍ ଜିତିଥିଲା ବେଳେ କୋଲକାତା ମାତ୍ର ୬ ମ୍ୟାଚ୍ ଜିତି ପାରିଛି। ସେହି ଦୃଷ୍ଟିରୁ ଗୁରୁବାର ମ୍ୟାଚ୍ରେ ମୁମ୍ବାଇ ପଲ୍ଲା ପୁଣି ଥରେ ଭାରି ରହିବାର ଯଥେଷ୍ଟ ସମ୍ଭାବନା ରହିଛି। କୋଲକାତାର ଯୁବ ଓପନର ଶୁବମନ୍ ଗିଲ ଗୁରୁବାର ନିଜ ୫୦ତମ ଆଇପିଏଲ୍ ମ୍ୟାଚ୍ ଖେଳିବେ। ରୋହିତ ଶର୍ମା ଯଦି ଏହି ମ୍ୟାଚ୍ ଖେଳି ୧୮ କିମ୍ବା ତାଠାରୁ ଅଧିକ ରନ୍ କରନ୍ତି, ତାହାଲେ କୌଣସି ଗୋଟିଏ ଦଳ ବିପକ୍ଷରେ ବ୍ୟକ୍ତିଗତ ଭାବେ ୧,୦୦୦ ରନ୍ କରିବାରେ ଆଇପିଏଲ୍ ଇତିହାସର ପ୍ରଥମ ଖେଳାଳି ହେବେ ସେ। କୋଲକାତା ବିପକ୍ଷରେ ଏବେ ସେ ୪୯.୧୦ ହାରରେ ୯୮୨ ରନ୍ କରିଛନ୍ତି। ରୋହିତ ଖେଳି ନପାରିଲେ କିରଣ ପୋଲାର୍ଡ ପ୍ରଥମ ମ୍ୟାଚ୍ ଭଳି ଏହି ମ୍ୟାଚ୍ରେ ବି ମୁମ୍ବାଇର ଅଧିନାୟକ ଦାୟିତ୍ବ ତୁଲାଇବେ।