Odia News Portal

ଆଜି ମଣ୍ଡପରେ ମହାମାୟାଙ୍କ ମହାନବମୀ

ଭୁବନେଶ୍ୱର : ଆଜି ମଣ୍ଡପରେ ମହାମୟାଙ୍କ ମହାନବମୀ । ଚଳଚଞ୍ଚଳ ପୂଜା ମଣ୍ଡପ । ମନ୍ତ୍ର ପାଠରେ କମ୍ପୁଛି ପରିବେଶ । କରୋନା କଟକଣା ପାଇଁ ଏଥର ସମସ୍ତ ପୂଜା ମଣ୍ଡପରେ ଭକ୍ତଶୂନ୍ୟ ହୋଇ ପଡିଛି । କରୋନା କଟକଣା ଯୋଗୁ ଏଥର ସେଭଳି ଉତ୍ସାହ ନାହିଁ। ମଣ୍ଡପରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା କରାଯାଇ ଥିବାରୁ ଫେସ୍ ବୁକ୍, ୟୁଟ୍ୟୁବ୍ ମାଧ୍ୟମରେ ବିଭିନ୍ନ ପୂଜା କମିଟି ପୂଜାର ଲାଇଭ୍ ବ୍ୟବସ୍ଥା କରିଛନ୍ତି। ସାଧାରଣ ଭକ୍ତଙ୍କୁ ମଣ୍ଡପକୁ ବାରଣ ଥିବାରୁ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସହ ମଣ୍ଡପ ପାର୍ଶ୍ୱ ଗୁଡ଼ିକ ଆବଦ୍ଧ କରି ଦିଆଯାଇଛି।

ସେହିପରି ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରେ ମହାମାୟାଙ୍କ ଚାଲିଛି ନବମୀ ପୂଜା । ମନ୍ତ୍ରପାଠରେ କମ୍ପୁଛି ମଣ୍ଡପ । ପୂଜା ଚାଲିଛି କିନ୍ତୁ ଭକ୍ତଙ୍କ ଦେଖାନାହିଁ । କାରଣ କରୋନା କଟଣା ପାଇଁ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲାଗିଛି । କରୋନା କଟକଣା ପାଇଁ ପୂର୍ବଭଳି ସାଜସଜ୍ଜା ଜାକଜମକ ନାହିଁ କି ନାହିଁ ଗହଳି ଚହଳି । ଷ୍ଟେସନ ବଜାର, ସହିଦ ନଗର, ନୟାପଲ୍ଲୀ ପୂଜା ମଣ୍ଡପରୁ ମାଆଙ୍କ ପୂଜାକୁ ସୋସିଆଲ ମିଡିଆରେ ଲାଇଭ୍ କରୁଛନ୍ତି ବିଭିନ୍ନ ପୂଜା କମିଟି ।

ସେପଟେ କଟକର ଶକ୍ତିପୀଠ ଗୁଡ଼ିକରେ ମହାମାୟାଙ୍କ ପୂଜା ଚାଲିଛି । କରୋନା କଟକଣା ଭିତରେ କେବଳ ପରମ୍ପରା ରକ୍ଷା ପାଇଁ ପୂଜାବିଦ୍ଧି କରାଯାଉଛି। କଟକ ସହରରେ ଶାରଦୀୟ ଦୁର୍ଗାପୂଜା ନିରାଡ଼ମ୍ବର ଭାବେ ପାଳନ କରାଯାଉଛି। କରୋନା ସଂକ୍ରମଣ ଭୟଥିବାରୁ କୋଭିଡ୍‍ କଟକଣା ମଧ୍ୟରେ ଉଭୟ ପୂଜାମଣ୍ଡପ ଓ ଶକ୍ତିପୀଠଗୁଡ଼ିକରେ ପୂଜା ଅନୁଷ୍ଠିତ ହେଉଛି। ପୂଜା ମଣ୍ଡପଗୁଡ଼ିକରେ ପରଦା ଟଙ୍ଗାଯାଇଛି। ଭିତରେ ପୂଜାର୍ଚ୍ଚନା ଚାଲୁ ରହିଛି। ଚଳିତ ବର୍ଷ କଟକରେ ୧୫୫ଟି ମଣ୍ଡପରେ ୪ଫୁଟର ମୂର୍ତ୍ତି କରାଯାଇଛି।