ଆଜି ଗଜ ଉଦ୍ଧାରଣ ବେଶରେ ଦର୍ଶନ ଦେବେ ମହାପ୍ରଭୁ By Swadhikar News Last updated Feb 1, 2026 ମାଘ ପୂର୍ଣ୍ଣିମାରେ ରବିବାର ଗଜ ଉଦ୍ଧାରଣ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ଦ୍ବିପ୍ରହର ଧୂପ ପରେ ତିନି ବାଡ଼ରେ ଗଜ ଉଦ୍ଧାରଣ ବେଶ କରାଯିବ। ପୁଷ୍ପାଳକ ସେବକମାନେ ମହାପ୍ରଭୁଙ୍କ ବେଶ କରାଇବେ। ଏହି ବେଶରେ ଶ୍ରୀବିଗ୍ରହଙ୍କ ପାଖରେ ଖିରି, ଅମାଲୁ ଭୋଗ କରାଯିବ। ଗଜ ଉଦ୍ଧାରଣ ବେଶରେ ଶ୍ରୀଜଗନ୍ନାଥ ବିଷ୍ଣୁ ରୂପରେ ଚାରି ଭୁଜରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରି ଗରୁଡ଼ ପୃଷ୍ଠରେ ପଦ୍ମାସନ ଭଙ୍ଗୀରେ ବସି ଦର୍ଶନ ଦେଇଥାନ୍ତି। କୋଳରେ ମା’ ଲକ୍ଷ୍ମୀ ତଥା ଶ୍ରୀଦେବୀ ଉପବେଶନ କରିଥାଆନ୍ତି। ଶ୍ରୀବଳଭଦ୍ର ବାସୁଦେବ ରୂପରେ ଚତୁର୍ଭୁଜ ହସ୍ତପଦ ବିଶିଷ୍ଟ ପଦ୍ମାସନରେ ବସିଥାନ୍ତି। ଚାରିଭୁଜରେ ଶଙ୍ଖ, ଚକ୍ର, ହଳ ଓ ମୂଷଳ ଥାଏ। ଦେବୀ ସୁଭଦ୍ରା ଦୁଇହସ୍ତ ଓ ଦୁଇପାଦ ବିଶିଷ୍ଟ କୃଷ୍ଣଙ୍କ ପରି ଛନ୍ଦାୟିତ ପଦରେ ଏକ ପଦ୍ମ କଳିକା ଧରି ଦଣ୍ଡାୟମାନ ଅବସ୍ଥାରେ ରହିଥାନ୍ତି। ଠାକୁରମାନେ ଏହି ବେଶରେ ଚୂଳ, କିରୀଟ, କର୍ଣ୍ଣ କୁଣ୍ଡଳ, ଅଳକା, ତିଳକ, ସୂର୍ଯ୍ୟଚନ୍ଦ୍ର, ଅଣ୍ଟାପଟି, ନାକଚଣା, ପାହୁଡ଼, ବାଙ୍କି, ଗୋଡ଼ ଖଡ଼ୁ, ନାକରେ ଫାସିଆ, ଶ୍ରୀହସ୍ତରେ ଖଡୁବଳା, ବାହୁରେ ବାଜୁବନ୍ଧ ଓ ବେକରେ ପଦ୍ମମାଳି ପିନ୍ଧିଥାନ୍ତି। ତିନିଠାକୁର ଯେଉଁ ଅଳଙ୍କାର ଧାରଣ କରିଥାନ୍ତି ତାହା ଶୋଲ, ଜରି, କଇଁଥ ଅଠା ପ୍ରଭୃତିରେ ପ୍ରସ୍ତୁତ କରାଯାଇଥାଏ। ଏଥିସହ ଦୁଇ ବିଗ୍ରହଙ୍କ ସମ୍ମୁଖରେ ଦୁଇଟି ହାତୀ ଶୁଣ୍ଢରେ ପଦ୍ମ କଳିକା ଧରି ଦଣ୍ଡାୟମାନ ହୋଇଥାନ୍ତି। ଗୋଟିଏ ବଡ଼ ହାତୀ ଏବଂ ଅନ୍ୟଟି ଛୋଟ ହାତୀ। ବଡ଼ ହାତୀକୁ ଏକ କୁମ୍ଭୀର ଆକ୍ରମଣ ମୁଦ୍ରାରେ ରହିଥାଏ। ସିଂହାସନ ନିମ୍ନରେ ସମୁଦ୍ର ସଦୃଶ ସଜାଯାଇଥାଏ। swadhikarswadhikar news Share