Odia News Portal

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନବାଙ୍କ ବେଶ, ଚାଉଳ ମେଳାଣ ଓ ଫୁଲ ମେଳାଣ ଉତ୍ସବ ହେବ ଅନୁଷ୍ଠିତ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନବାଙ୍କ ବେଶ । ଚାଉଳ ମେଳାଣ ଓ ଫୁଲ ମେଳାଣ ଉତ୍ସବ ଅନୁଷ୍ଠିତ ହେବ । ଏହାସହ ଧନୁ ସଂକ୍ରାନ୍ତିରୁ ଆରମ୍ଭ ହୋଇଥିବା ମହାପ୍ରଭୁଙ୍କ ପହିଲି ଭୋଗର ଅନ୍ତିମ ଦିବସ । ଆଜି ସନ୍ଧ୍ୟା ଆଳତି ବେଶରେ ମାଳଚୂଳ ମାନ ଖୁଣ୍ଟିଆ ଓ ପୁଷ୍ପାଳକ ସେବକଙ୍କ ସହାୟତାରେ ଠାକୁରଙ୍କୁ ଲାଗି କରାଯବ । ସେହିପରି ବଡ଼ସିଂହାର ବେଶରେ ସୋଲ, ଜରି , କଇଁଥ ଅଠାରେ ପ୍ରସ୍ତୁତ ଶଙ୍ଖ, ଚକ୍ର, ହଳ, ମୁଷଳ,କୁଣ୍ଡଳ ଇତ୍ୟାଦି ଜଗନ୍ନାଥ ,ବଳଭଦ୍ର ଓ ସୁଭଦ୍ରାଙ୍କୁ ଲାଗି କରାଯିବ । ଏହି ବେଶରେ ଜଗନ୍ନାଥ ଓ ବଳଭଦ୍ର ଯଥାକ୍ରମେ ସୋଲ ନିର୍ମିତ ମକର କୁଣ୍ଡଳ,ଶଙ୍ଖ,ଚକ୍ର,ହଳ,ମୁଷଳ ଇତ୍ୟାଦି ଧାରଣ କରିବେ। ଏହି ବେଶ ନବାଙ୍କ ବେଶ ରୂପେ ପରିଚିତ । ନବାଙ୍କ ବେଶରେ ଠାକୁରଙ୍କ ଶିରରୁ ରତ୍ନସିଂହାସନ ଚଟାଣ ଯାଏଁ ଗେଣ୍ଡୁଫୁଲର ମାଳରେ ସୁସଜ୍ଜିତ କରାଯାଏ ବଡ଼ସିଂହାର ବେଶରେ ଦେବତା ମାନଙ୍କୁ ଅଳଙ୍କୃତ କରୁଥିବା ଚିତା,ଗୁଣା,କରପଲ୍ଲବ,ଅଧରମାଳା ଓ ଶ୍ରୀପୟର ମାଳା ମଧ୍ୟ ଗେଣ୍ଡୁ ଫୁଲରେ ନିର୍ମିତ ହୋଇଥାଏ । ହୃଦ ପଦକରେ ଗେଣ୍ଡୁ ଫୁଲ ସହିତ ଗୋଲାପ ଫୁଲର ସମ୍ମିଶ୍ରଣ ଘଟିଥାଏ । ଆଉ ଏ ବେଶ ପାଇଁ ଗେଣ୍ଡୁଫୁଲର ମାଳାକୁ ପ୍ରସ୍ତୁତ କରିଥାନ୍ତି ବଡ ଓଡିଆ ମଠର ମହନ୍ତ ଓ ତାଙ୍କ ଶିଷ୍ୟ । ହଜାର ହଜାର ଗେଣ୍ଡୁଫୁଲ, କୁସୁମ ଫୁଲ ଓ ତୁଳସୀରେ ପ୍ରସ୍ତୁତ ଏହି ମାଳାକୁ ବଡ ଓଡ଼ିଆ ମଠ ତରଫରୁ ଶ୍ରୀମନ୍ଦିରକୁ ପ୍ରଦାନ କରାଯାଇଥାଏ । ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ୧୬ ହାତ ଲମ୍ବର ମାଳ,ବଡଭାଇ ବଳଭଦ୍ରଙ୍କ ପାଇଁ ୧୪ହାତ ଓ ଭଉଣୀ ସୁଭଦ୍ରାଙ୍କ ପାଇଁ ୧୨ହାତ ଲମ୍ବର ମାଳ ଶ୍ରୀମନ୍ଦିରକୁ ବଡ ଓଡ଼ିଆ ମଠ ତରଫରୁ ପ୍ରଦାନ କରାଯାଇଥାଏ ।