Odia News Portal

ଜରାଜୀର୍ଣ୍ଣ ଅବସ୍ଥାରେ ଅଟ୍ରି, ଉନ୍ନତି ପରିବର୍ତ୍ତେ ଅବନତିକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପର୍ଯ୍ୟଟକ

ପୁଣି ଆସିଛି ପର୍ଯ୍ୟଟନର ଋତୁ  । ଆଉ ଚଳ ଚଞ୍ଚଳ ହେଲାଣି ଓଡିଶାର ଅନେକ ପର୍ଯ୍ୟଟନକ୍ଷେତ୍ର । ହେଲେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ପ୍ରମୁଖ ପର୍ଯ୍ୟଟନକ୍ଷେତ୍ର ଅଟ୍ରିରୁ ମୁହଁ ଫେରାଉଛନ୍ତି ପର୍ଯ୍ୟଟକ । ଏଠାରେ ବିକାଶ ବର୍ଷକୁ ବର୍ଷ ବିନାଶ ଆଡକୁ ମୁହାଁଉଥିବା ବେଳେ ଡାକିଲାଣି ବିପଦ  । ଉନ୍ନତି ପରିବର୍ତ୍ତେ ଅବନତିକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପର୍ଯ୍ୟଟକ ।ଉଈ ହୁଙ୍କାମୟ ହୋଇପଡିଲାଣି ବେଗୁନିଆ ବ୍ଲକ ଅଟ୍ରିର ଉଷ୍ମପ୍ରସ୍ରବଣ କ୍ଷେତ୍ର  । ଜରାଜୀର୍ଣ୍ଣ ଅବସ୍ଥାରେ ଅଟ୍ରି । କେଉଁଠି କାନ୍ଥରେ ଗଛ ଉଠିଲାଣି ତ ଆଉ କେଉଁଠି ଅଳିଆ ଆବର୍ଜନା ଭର୍ତ୍ତି  । ପଚାସଢା ଗନ୍ଧରେ ଫାଟି ପଡୁଛି ନାକ  । ପିଇବା ପାଇଁ ପାଣି ଟୋପେ ବି ମିଳୁନି ଏଠାରେ  । ଦୁଇ ଦୁଇଟି ବଙ୍ଗଳା ପାଲଟିଛି ଭୂତକୋଠି  । ଶୌଚାଳୟ କଥା ନ କହିବା ଭଲ  । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏଠାକାର ମୁଖ୍ୟ ଆକର୍ଷଣ ଭାବେ ଥିବା କୁଆକୁଣ୍ଡ ଏବେ ବିପଦରେ  । ଏହି ମୁଖ୍ୟକୁଣ୍ଡ ଭିତରୁ ପଥର ଖସି ଏବେ ପର୍ଯ୍ୟଟକମାନଙ୍କ ପାଇଁ ବିପଦ ସୃଷ୍ଟି ଆଶଙ୍କା ପ୍ରକାଶ ପାଇଥିବା ବେଳେ ଏହା ଉପରେ ଲୁହା ବାଡ ଅବସ୍ଥା ବି ଶୋଚନୀୟ  ।ବେଗୁନିଆ ବ୍ଲକ ଅଟ୍ରିର ଏହି ପ୍ରସିଦ୍ଧ ଉଷ୍ମପ୍ରସ୍ରବଣ କ୍ଷେତ୍ର ଖୋର୍ଦ୍ଧାର ଏକ ପ୍ରମୂଖ ପର୍ଯ୍ୟଟନକ୍ଷେତ୍ର ହୋଇଥିବା ବେଳେ ଶୀତୁଆ ପରିବେଶରେ ପର୍ଯ୍ୟଟକଙ୍କୁ ବେଶ ଆକର୍ଷଣ କରେ ଏହାର ଉଷୁମ ପାଣି । ତେବେ ଦୀର୍ଘ ପନ୍ଦର ବର୍ଷ ହେବ ଏହା କ୍ରମଶଃ ଅବନତି ଆଡକୁ ଗତିକରି ଏବେ ମାଟିରେ ମିଶିଯିବାକୁ ବସିଲାଣି । ବିଭିନ୍ନ ଗଣମାଧ୍ୟମ ସହିତ ଅନେକ ପର୍ଯ୍ୟଟକଙ୍କ ସ୍ବର ସରକାରଙ୍କ ପାଖରେ ପହଞ୍ଚୁଛି ସତ ହେଲେ ଫଳ ଶୂନ ।ଏ ସୁନ୍ଦର ସ୍ଥାନଟିର ଯଦି ସୁରକ୍ଷା କରାଯାଇ ପାରନ୍ତା ତେବେ ଅନେକ ପର୍ଯ୍ୟଟକ ଏଠାକୁ ଆସନ୍ତେ ।  ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଲେ ନିଶ୍ଚିତ ଭାବେ ଏ ସ୍ଥାନକୁ ହଜାର ହଜାର ପର୍ଯ୍ୟଟକ ଆସିବେ ।