ଯାତ୍ରା ଜଗତ ପାଇଁ ଏହା ଏକ ଦୁଃଖଦ ଘଟଣା । ଯାତ୍ରା ଜଗତର ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ । ରବିବାର ସନ୍ଧ୍ୟାରେ ଭଦ୍ରକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ମୃତଦେହ ବର୍ତ୍ତମାନ ଭଦ୍ରକ ମେଡ଼ିକାଲରେ ଥିବା ସୂଚନା ରହିଛି । ଚଳିତବର୍ଷ ଯାତ୍ରା ଇନ୍ଦ୍ରଭୂବନରେ ନିଜ ଅଭିନୟର ଯାତ୍ରା ଜାରି ରଖିଥିଲେ ।
କମେଡିଆନ ଗୁରୁ ପୁଷ୍ଟି ଭଦ୍ରକରୁ ଧାମନଗର ଷଣ୍ଡପୁର ଅଭିମୁଖେ ଅଭିନୟ ପାଇଁ ଏକ ମୋଟର ସାଇକେଲରେ ଯାଉଥିଲେ । ତେବେ 16 ନମ୍ବର ଜାତୀୟ ରାଜପଥର ବିଷ୍ଣୁ ପୁର କେନାଲ ଛକ ନିକଟରେ ଛିଡା ହୋଇଥିବା ଏକ ଡ଼ମ୍ପରକୁ ପଛରୁ ଧକ୍କା ଦେଇଥିଲା । ତେଣୁ ତାଙ୍କୁ ଗୁରୁତର ଭାବେ ଭଦ୍ରକ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସୂଚନା ଅନୁସାରେ, ଥିଏଟରରୁ ନିଜର ଅଭିନୟର ଯାତ୍ରା ଆରମ୍ଭ କରିଥିଲେ ଗୁରୁ । ଇଂ ଆଶୁତୋଷ ମହାପାତ୍ରଙ୍କ ‘ବଡ଼ ଦାଣ୍ଡର ଭିକାରୀ’ ନାଟକ ତାଙ୍କୁ ଯାତ୍ରା ଦୁନିଆରେ ବେଶ୍ ପରିଚୟ ଦେଇଥିଲା । ସେଥିରେ ଏକ ଚର୍ଚ୍ଚିତ ଡାଇଲଗ୍ ଥିଲା ‘ପଇଡ଼ କିଏ କହିଲା…’ । କଟକରେ ତାଙ୍କ ନିଜ ଘର ହୋଇଥିବାବେଳେ ସେ ସିନେମା କିମ୍ବା ସିରିଏଲରେ ଅଭିନୟ ନ କରି ଯାତ୍ରା ମଞ୍ଚକୁ ଆଦରି ନେଇଥିଲେ । ୨୦୧୯ରେ ଯାତ୍ରାରେ ତାଙ୍କର ଯାତ୍ରା ଆରମ୍ଭ ହୋଇଥିଲା ।
