Odia News Portal

ମହୁଲ ହଡ଼ପ କରି ମାଲାମାଲ ଠିକାଦାର

*ମଦଭାଟି ମାଲିକ ଓ ଦଲାଲଙ୍କ ପକେଟ୍ ଭର୍ତ୍ତି |
*ଉଚିତ ପାରିଶ୍ରମିକ ପାଉନାହାନ୍ତି ଆଦିବାସୀ |

କଳାହାଣ୍ଡି: ମଦଭାଟି ମାଲିକ ଓ ଦଲାଲଙ୍କ ପକେଟ୍ ଭର୍ତ୍ତି ହେଉଛି । କିନ୍ତୁ ଉଚିତ ପାରିଶ୍ରମିକ ପାଉନାହାନ୍ତି ଆଦିବାସୀ । ଝାଳ ବୁହା ପରିଶ୍ରମ ଯାଉଛି ବ୍ୟର୍ଥ । ମହୁଲ ହଡ଼ପ କରି ମାଲାମାଲ ହେଉଛନ୍ତି ଠିକାଦାର । ପ୍ରଶାସନ ବି ବସିଛି ଚୁପ । ଆଉ ନିୟମର ନାଲି ଫିତାରେ ନିୟତିକୁ ବାନ୍ଧି ହନ୍ତସନ୍ତ ହେଉଛନ୍ତି ନିରୀହ ଆଦିବାସୀ । ଯାହାର ଲାଭ ଉଠାଉଛନ୍ତି ବଡ଼ ବାବୁ ମାନେ । ତେବେ ପଞ୍ଚାୟତରେ ମହୁଲକୁ ଆଦିବାସୀଙ୍କ ଠାରୁ ସଂଗ୍ରହ କରି ରଖିବା ନିୟମ ଥିଲେ ମଧ୍ୟ କାହିଁକି ଆଦିବାସୀ ନିଜ ପ୍ରାପ୍ୟ ପାଉନାହାନ୍ତି ସେ ଉତ୍ତର ଦେବାକୁ କେହି ନାହାନ୍ତି ।

ଏମିତି ଏକ ସାଂଘାତିକ ଅଭିଯୋଗ ଆସିଛିି କଳାହାଣ୍ଡି ଜିଲ୍ଲାରୁ । ସରକାରୀ ନିୟମ ଅନୁଯାୟୀ ମହୁଲ ସଂଗ୍ରହକାରୀଙ୍କ ଠାରୁ ପଞ୍ଚାୟତ କାର୍ଯ୍ୟାଳୟରେ ସଂଗ୍ରହ କରାଯାଏ । ଆଉ ସେହି ମହୁୂଲକୁ ଗଚ୍ଛିତ କରି ରଖିବା ଦାୟିତ୍ୱ ପଞ୍ଚାୟତର ବୋଲି ପୂର୍ବରୁ ସ୍ପଷ୍ଟ କରାଯାଇଛି । ଆଦିବାସୀଙ୍କ ପରିଶ୍ରମର ଉଚିତ ମୂଲ୍ୟ ଦେବାକୁ ସରକାର କରିଛନ୍ତି ଏ ନିୟମ । ଯେଉଁଥିରେ ସ୍ଥାନୀୟ ଠିକାଦାରଙ୍କୁ ବାଦ୍ ଦେଇ ସିଧାସଳଖ ସରକାର ଓ ମହୁଲ ସଂଗ୍ରହ କାରୀଙ୍କ ଲାଭ ପାଇଁ ସରକାର ଏ ଚିନ୍ତା କରିଛନ୍ତି । ହେଲେ ପଞ୍ଚାୟତ ରଖୁନି ମହୁଲ । ଯହାର ସିଧାସଳଖ ଲାଭ ଉଠାଉଛନ୍ତି ମହୁଲ ଦଲାଲ ଓ ସ୍ଥାନୀୟ ମଦଭାଟି ମାଲିକ । ଆଉ କମ୍ ଦରରେ ହେଲେ ବି ମହୁଲ ବିକିବାକୁ ବାଧ୍ୟ ହେଉଛନ୍ତି ନିରୀହ ଆଦିବାସୀ । କିନ୍ତୁ ପଞ୍ଚାୟତରେ କାହିଁକି ମହୁଲ ରଖା ଯାଉନାହିଁ ଏବଂ ମହୁଲର ଏ ଅଭାବୀ ବିକ୍ରୀ ପାଇଁ ଦାୟୀ କିଏ ତାର ଉତ୍ତର କେହି ଦେଉନାହାନ୍ତି । ଫଳରେ ନାହିଁ ମାମୁଁ ଠାରୁ କଣା ମାମୁଁ ଭଲ ଭାବେ ଗ୍ରହଣ କରି, ସାଗ ମାଛ ଦରରେ ମହୁଲ ଦେଇ ପେଟ ପୋଷିବାକୁ ବାଧ୍ୟ ହେଉଛନ୍ତି ଆଦିବାସୀ ପରିବାର ଗୁଡ଼ିକ ।

ନିୟମ କରିଦେଇ ସରକାର ବସୁଛନ୍ତି ଚୁପ୍ । ଏପଟେ ଆଦିବାସୀଙ୍କ ଅଭିଯୋଗ ଶୁଣିବାକୁ ନା କାହା ପାଖେ ସମୟ ଅଛି ନା କେହି ସେମାନଙ୍କ ଅସୁବିଧା ସମ୍ପର୍କରେ ଜାଣିବାକୁ ଯାଉଛନ୍ତି ସେମାନଙ୍କ ପାଖକୁ । ନାଁ କୁ ମାତ୍ର ବିଭିନ୍ନ ସରକାରୀ ଯୋଜନାରେ ସାମିଲ ହୋଇ ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ପଡ଼ି ରହୁଛନ୍ତି ସେମାନେ । ପ୍ରଶାସନିକ ବାବୁ ଏବଂ ମଦବେପାରୀଙ୍କ ଦଲାଲି ଭିତରେ ପେଶୀ ହେଉଛନ୍ତି ସେମାନେ । କିନ୍ତୁ ଯେତେ ଅଭିଯୋଗ ପରେ ବି ଫଳ ଶୂନ । ଯଦି ପ୍ରକୃତରେ ସରକାରୀ ବାବୁ ମାନେ ଏ ଯୋଜନା ଗୁଡ଼ିକର ସଫଳତା ଦେଖିବାକୁ ସମୟ ପାଉ ନାହାନ୍ତି ତେବେ ଏ ଯୋଜନା ସବୁ କାହା ସ୍ୱାର୍ଥରେ ବୋଲି ଏବେ ପ୍ରଶ୍ନ ଉଠିଛି ।