Odia News Portal

ପଞ୍ଚୁକ ପୂର୍ବରୁ ପାତାଳୀ ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ରକୁ ଗଲା ତୁଳସୀ ରଥ

ମୋ ଜଗା ପାଖକୁ ଯିବ ମୋ ଅଗଣାର ତୁଳସୀ । କାଳିଆ ଦେହରେ ତୁଳସୀ ଲାଗିବ ବୋଲି ଭକ୍ତମାନେ ନିଜ ଅଗଣାରୁ ଫୁଲ ତୁଳସୀ ତୋଳି ଆଣି ଶ୍ରଦ୍ଧାରେ ଗୁନ୍ଥି ପକାଉଛନ୍ତି । ଆଉ ଜୟ ଜଗନ୍ନାଥ ଭଜି ଭଜି ତୁଳସୀ ମାଳା ତିଆରି କରୁଛନ୍ତି । ହଁ ଦର୍ଶକବନ୍ଧୁ, ଏ ଭକ୍ତମାନଙ୍କର ଭାବଭକ୍ତିକୁ ଦେଖି ଗାଁ ଲୋକେ ମଧ୍ୟ ଭାବ ବିହ୍ୱଳିତ ହୋଇଯାଉଛନ୍ତି । ଏ ଦୃଶ୍ୟ ହେଉଛି ପାତାଳୀ ଶ୍ରୀକ୍ଷେତ୍ରର । ଅଁଳା ନବମୀ ଅବସରରେ ପାତାଳୀ ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ରକୁ ଯାଉଛି ତୁଳସୀ ରଥ ।ଏ ପରମ୍ପରା ଦୀର୍ଘ ୬ ବର୍ଷ ହେବ ବିନିକାବାସୀ ପାଳନ କରିଆସୁଛନ୍ତି । ପବିତ୍ର ଅଁଳା ନବମୀ ଦିନ ପାତାଳୀ ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ରକୁ ଯାଇଥାଏ ତୁଳସୀ ରଥ ଓ ଦଶମୀ ଦିନ ପୁରୀରେ ପହଞ୍ଚିଥାଏ । ତେବେ ସବୁବର୍ଷ ପରି ଏବର୍ଷ ମଧ୍ୟ ତୁଳସୀ ରଥ ପ୍ରଥମେ ବିନିକା ଦୁର୍ଗା ମା ମନ୍ଦିର ଓ ପରେ ବିନିକା ପୁରାତନ ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲା । ରଥକୁ ଅପେକ୍ଷା କରିଥିଲେ ବିନିକାବାସୀ । ରଥ ପହଞ୍ଚିବା ପରେ ଘଣ୍ଟ ଘଣ୍ଟା ଶଙ୍ଖ ହୁଳହୁଳି ଦେଇ ରଥକୁ ଆଳତି କରାଯିବ । ପରେ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସମସ୍ତେ ତୁଳସୀ ଅର୍ପଣ କରିଥିଲେ । ସମସ୍ତେ ପୁରୀ ଯିବା ସମ୍ଭପର ହୋଇନଥିବା ସ୍ଥଳେ ନିଜ ଘରର ତୁଳସୀକୁ ଜଗନ୍ନାଥଙ୍କ ନିକଟକୁ ପଠାଇ ଭକ୍ତ ମନ ଆନନ୍ଦ ବିଭୋର ହୋଇ ଉଠିଥିଲା । ତେବେ ସବୁକିଛି ତ ସେହି ଲୀଳାମୟ ଠାକୁର ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଇଛାରେ ହୋଇଥାଏ ଓ କାର୍ତ୍ତିକ ମାସ ଭଳି ପୁଣ୍ୟର ମାସରେ ଜଗା ପାଖକୁ ଫୁଲ ତୁଳସୀ ପଠାଇ ଭକ୍ତମାନେ ମଧ୍ୟ ଖୁବ ଆନନ୍ଦିତ ହେଉଛନ୍ତି । ଏହି ପରମ୍ପରା ପଶ୍ଚିମ ଓଡ଼ିଶା ଓ ପୂର୍ବ ଓଡ଼ିଶାକୁ ଯୋଡ଼ିବା ପାଇଁ ଏକ ନିଆରା ପ୍ରୟାସ ବୋଲି ଆୟୋଜକ କହିଛନ୍ତି ।