Odia News Portal

ୟୁକ୍ରେନ ସୀମାରେ ସୈନିକ ମୁତୟନ କଲା ରୁଷ

ରୁଷ ଓ ୟୁକ୍ରେନ୍‌ ଭିତରେ ଥମିନି ଯୁଦ୍ଧ ବିପଦ। ରୁଷ ପୂର୍ବରୁ ଦାବି କରିଥିଲା ଯେ, ତା’ର ସେନା ୟୁକ୍ରେନ୍‌ର ସୀମାରୁ ପଛକୁ ଫେରିବାରେ ଲାଗିଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ଏଭଳି ହୋଇନଥିବାର ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ ବେଲାରୁସ, କ୍ରିମିୟା ଓ ପଶ୍ଚିମ ରୁଷର ସୀମାରେ ମଧ୍ୟ ଏବେ ବି ସେନା ଗତିବିଧି ଜାରି ରହିଛି। ଆମେରିକା ମଧ୍ୟ ଦାବି କରିଛି ଯେ, ୟୁକ୍ରେନ୍‌ ସୀମାରେ ସୈନିକଙ୍କୁ ଫେରାଇ ନେବା ନେଇ ନିଜ ଘୋଷଣାର ବିପରୀତ କ୍ଷେତ୍ରରେ ରୁଷ ଅତି କମ୍‌ରେ ୭୦୦୦ ରୁ ଅଧିକ ସୈନିକଙ୍କୁ ମୁତୟନ କରିଛି।

ଗତ ୪୮ ଘଣ୍ଟାରେ ସୁଟ୍‌ କରାଯାଇଥିବା ମେକସାରର ହାଇ-ରିଜୋଲ୍ୟୁସନ୍‌ ସାଟେଲାଇଟ୍ ଫଟୋରେ ବେଲାରୁସ୍-ୟୁକ୍ରେନ୍‌ ସୀମାରୁ ୬ କିଲୋମିଟରରୁ କମ୍ ଦୂରରେ ଗୋଟିଏ ନୂଆ ମିଲିଟାରୀ ପୋଣ୍ଟୁନ୍ ବ୍ରିଜ୍‌ ଓ କ୍ରିମିୟା ଏବଂ ପଶ୍ଚିମ ରୁଷରେ ସୈନିକ ଏବଂ ଯୁଦ୍ଧ ଉପକରଣ ମୁତୟନ କରାଯାଇଥିବାର ଦେଖିବାକୁ ମିଳିଛି। ଏହି ସାଟେଲାଇଟ୍ ଫଟୋରେ ଅଟୋମେଟିକ୍ ଆର୍ଟିଲାରୀ ୟୁନିଟ ବେଲାରୁସ୍‌ରେ ଟ୍ରେନିଂ ଦେଉଥିବାର ଦେଖିବାକୁ ମିଳିଛି।