Odia News Portal

ଜବାଘାଟ ଓ କଂସରରୁ ବେଧଡ଼କ ବାଲିଚାଲାଣ

ଯେବେଠୁ ତହସିଲ୍‌ ଅଧୀନରୁ ବାଲିଘାଟ ଓ ପଥର ଖାଦାନ ଖଣି ବିଭାଗକୁ ଆସିଛି, ସେବେଠୁ ଲଘୁ ଖଣିଜ ଚୋରା କାରବାର ଉପରେ ଅଙ୍କୁଶ ଲାଗିପାରୁନି। ଚୋରା କାରବାର ରୋକିବାକୁ ସରକାରଙ୍କ ନିର୍ଦ୍ଦେଶରେ ଗଠନ ହୋଇଛି ଏନ୍‌ଫୋର୍ସମେଣ୍ଟ ଟିମ୍‌। କାଁଭାଁ ଚଢ଼ଉ ହେଉଥିବାରୁ ଭରପୂର ଫାଇଦା ଉଠାଉଛନ୍ତି ଉଭୟ ବାଲି ଓ ପଥରମାଫିଆ। ଏବେ ଏମିତି ସ୍ଥିତି ଉପୁଜିଛି ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ୍‌ ଅନ୍ତର୍ଗତ କଂସର ଓ ଝିରପାଣି ନିକଟସ୍ଥ ଜବାଘାଟରେ। ଦୁଇଟି ଘାଟକୁ ଖଣି ବିଭାଗ ପକ୍ଷରୁ କାହାରିକୁ ଲିଜ୍‌ ଦିଆଯାଇନି। ହେଲେ ସଞ୍ଜ ନଇଁଲେ ଉଭୟ ଘାଟରୁ ବେଧଡକ ବାଲି ଉଠୁଛି। ଏନ୍‌ଫୋର୍ସ ଟିମ୍‌ ଜାଣିପାରୁନଥିବା‌ବେଳେ ସ୍ଥାନୀୟ ପୁଲିସ ସେମାନଙ୍କୁ ସୁରକ୍ଷା ଦେଉଛି। ଜବାଘାଟରୁ ଜେସିବି ମେସିନ୍‌ ଲଗାଇ ଦୈନିକ ଶହଶହ ଟ୍ରିପ୍‌ ବାଲି ଉଠାଣ ହେଉଛି। ଘାଟରୁ ବାଲି ଉଠିବା ପରେ ଝିରପାଣି ଓ ବନ୍ଧମୁଣ୍ଡା ଥାନା ଦେଇ ଶିକ୍ଷାନୁଷ୍ଠାନରେ ନିର୍ମାଣଧୀନ ବଡବଡ ବିଲ୍‌ଡିଂ ଓ ଅନ୍ୟାନ୍ୟ ସ୍ଥାନକୁ ଯାଉଛି। ମାସ ମାସ ଧରି ଏଭଳି ଚୋରା କାରବାର ଚାଲିଥିଲେ ହେଁ ଖଣିବିଭାଗ କିମ୍ବା ପୁଲିସ ଆଜି ପର୍ଯ୍ୟନ୍ତ ଗୋଟିଏ ବି ବାଲି ବୋଝେଇ ଗାଡ଼ିକୁ କେମିତି ଧରିପାରୁନି, ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍ଥାନୀୟ ଥାନାର କିଛି ପୁଲିସ କର୍ମଚାରୀ ଓ ବାଲିମାଫିଆଙ୍କ ଭିତିରି ସଲାସୁତୁରାରେ ଏସବୁ ଚୋରା କାରବାର ଚାଲିଥିବା ଅଭିଯୋଗ‌ ହେଉଛି। ସମାନ ସ୍ଥିତି କଂସର ବାଲିଘାଟରେ। ଲାଠିକଟା ଓ ଜଲଦା ଫାଣ୍ଡି ଦେଇ ପ୍ରତ୍ୟେକ ରାତିରେ ଶହଶହ ବାଲି ଗାଡ଼ି ଯାଉଥିଲେ ହେଁ କାର୍ଯ୍ୟାନୁଷ୍ଠାନ ଶୂନ୍‌। ବାଲିମାଫିଆମାନେ ମାସକୁ ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଥିବାବେଳେ ସରକାର କିନ୍ତୁ ଟଙ୍କାଟିଏ ରାଜସ୍ବ ପାଉନାହାନ୍ତି। କେବଳ ଏହି ଦୁଇଟି ବାଲିଘାଟ ନୁହେଁ, ସୁନ୍ଦରଗଡ଼ ଜିଲ୍ଲାର ଲିଜ୍‌ ହୋଇନଥିବା ଅନେକ ବାଲିଘାଟରୁ ଆଖିବୁଜା ଲଘୁ ଖଣିଜ ଲୁଟ୍‌ ହେଉଛି। ଖଣି ଅଧିକାରୀ ଏନ୍‌.କେ. ଜେନା କହିଛନ୍ତି, କଂସର ଓ ଜବାଘାଟକୁ ଖଣି ବିଭାଗ ପକ୍ଷରୁ କାହାକୁ ଲିଜ୍‌ ଦିଆଯାଇ ନାହିଁ। ରାଜସ୍ବ ବିଭାଗ ଅନୁମତିରେ ଉଠାଉଥାଇପାରନ୍ତି। ଅନୁମତି ଦେବାର କ୍ଷମତା ରାଜସ୍ବ ବିଭାଗର ନଥିଲାବେଳେ ଚୋରା ବାଲିଚାଲାଣକାରୀଙ୍କୁ କେଉଁ ଅଦୃଶ୍ୟ ଶକ୍ତି କ୍ଷମତା ଦେଉଛନ୍ତି, ତା’ର ତଦନ୍ତ ହେବା ଦରବାର ବୋଲି ସାଧାରଣରେ ମତପ୍ରକାଶ ପାଇଛି।