Odia News Portal

ହର୍ମୁଜ୍ ପ୍ରଣାଳୀ ନିକଟରେ ଆମେରିକୀୟ ଆପାଚେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ହର୍ମୁଜ୍ ପ୍ରଣାଳୀ ନିକଟରେ ଆମେରିକାର ଏକ ଏଏଚ୍-୬୪ ଆପାଚେ ଯୁଦ୍ଧ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକପ୍ଟରରେ ଥିବା ଉଭୟ ପାଇଲଟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ତେବେ ଏହି ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ହେଲିକପ୍ଟରଟି ଇରାନୀ ଆକ୍ରମଣର ଶିକାର ହୋଇଥିଲା କିମ୍ବା କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଖସିପଡ଼ିଥିଲା, ସେନେଇ ତଦନ୍ତ ଜାରି ରହିଛି। ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ଦୁଇଜଣ ଆମେରିକୀୟ ଅଧିକାରୀ ଏହି ଘଟଣାକୁ ନିଶ୍ଚିତ କରିଛନ୍ତି। ହେଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତି ଜାରି କରାଯାଇନାହିଁ। ଆମେରିକାର କେନ୍ଦ୍ରୀୟ କମାଣ୍ଡ ସେଣ୍ଟକମ୍ ମଧ୍ୟ ଏହି ଘଟଣା ଉପରେ କୌଣସି ମନ୍ତବ୍ୟ ଦେଇନାହିଁ।

ଯୁଦ୍ଧ ଆରମ୍ଭ ହେବା ପରଠାରୁ ଆମେରିକା କେତେକ ସାମରିକ ବିମାନ ଏବଂ ଡ୍ରୋନ୍ ହରାଇଥିଲେ ମଧ୍ୟ, ଏହି ସଂଘର୍ଷରେ ପ୍ରଥମ ଥର ପାଇଁ ଏକ ଆପାଚେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ରିପୋର୍ଟ ଆସିଛି। ବର୍ତ୍ତମାନ ଆମେରିକୀୟ ସେନା ଏହି ଅଞ୍ଚଳରେ ଆପାଚେ ହେଲିକପ୍ଟର, ଏମକ୍ୟୁ-୯ ରିପର ଡ୍ରୋନ୍, ଏଫ୍/ଏ-୧୮ ଏବଂ ଏଫ୍-୩୫ ଯୁଦ୍ଧ ବିମାନ ନିୟୋଜିତ କରିଛି। ହର୍ମୁଜ୍ ପ୍ରଣାଳୀରେ ଇରାନର କାର୍ଯ୍ୟକଳାପକୁ ନଜରରେ ରଖିବା ସହ ପ୍ରତିହତ କରିବା ପାଇଁ ଏହି ସବୁ ଅସ୍ତ୍ରଶସ୍ତ୍ର ବ୍ୟବହୃତ ହେଉଛି।

ଏଏଚ୍-୬୪ ଆପାଚେକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଆକ୍ରମଣାତ୍ମକ ହେଲିକପ୍ଟରମାନଙ୍କ ମଧ୍ୟରୁ ଗୋଟିଏ ବୋଲି ଗଣାଯାଏ। ଏହା ହେଲଫାୟାର ମିସାଇଲ୍ ଏବଂ ଆଧୁନିକ ଅସ୍ତ୍ର ପ୍ରଣାଳୀରେ ସଜ୍ଜିତ। ଡ୍ରୋନ୍ ଧ୍ୱଂସ କରିବା, ସମୁଦ୍ରପଥରେ ଆକ୍ରମଣ ପ୍ରତିହତ କରିବା ଏବଂ ଯୁଦ୍ଧକ୍ଷେତ୍ରରେ ନିକଟ ସହାୟତା ପ୍ରଦାନ କରିବାରେ ଏହା ବିଶେଷ ଭୂମିକା ନିଭାଏ। ତେବେ ଆପାଚେ ହେଲିକପ୍ଟରର ଏହି ଦୁର୍ଘଟଣା ପଛରେ ପ୍ରକୃତ କାରଣ କ’ଣ, ତାହା ତଦନ୍ତ ଶେଷ ହେବା ପରେ ହିଁ ସ୍ପଷ୍ଟ ହେବ।