Odia News Portal

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଲଢିବେ ଉଦ୍ୟୋଗପତି ବିବେକ ରାମସ୍ବାମୀ

ଭାରତୀୟ-ଆମେରିକୀୟ ଉଦ୍ୟୋଗପତି ବିବେକ ରାମସ୍ବାମୀ ଆମେରିକାର ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି। ଚୀନ୍ ଉପରୁ ନିର୍ଭରଶୀଳତାର ଅନ୍ତ ଘଟାଇବାକୁ ପ୍ରତିଶ୍ରୁତି ଦେଇଥିବା ରାମସ୍ବାମୀ ହେଉଛନ୍ତି ଦ୍ବିତୀୟ ଭାରତୀୟ ବଂଶୋଦ୍ଭବ ସଦସ୍ୟ ଯେ କି ନିକି ହାଲିଙ୍କ ପରେ ରିପବ୍ଲିକାନ ଦଳରୁ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ଅଭିଳାଷ ପୋଷଣ କରିଛନ୍ତି।

ଫକ୍ସ ନ୍ୟୁଜ୍‌ର ଟକର କାର୍ଲସନଙ୍କ ପ୍ରାଇମ୍ ଟାଇମ୍‌‌ ସୋ’ର ଲାଇଭ୍ ଇଣ୍ଟରଭ୍ୟୁରେ ଉପରୋକ୍ତ ଘୋଷଣା କରିଥିବା ୩୭ ବର୍ଷୀୟ ରାମସ୍ବାମୀଙ୍କ ମାତାପିତା କେରଳରୁ ଯାଇ ଆମେରିକାର ଓହିଓରେ ଜେନେରାଲ ଇଲେକ୍ଟ୍ରିକ୍ ପ୍ଲାଣ୍ଟରେ କାମ କରୁଥିଲେ। ଦ୍ବିତୀୟ ପିଢ଼ି ଭାରତୀୟ ଆମେରିକୀୟ ରାମସ୍ବାମୀ ୨୦୧୪ରେ ରାୟୋଭାଣ୍ଟ ସାଇନ୍ସେସ୍‌ ପ୍ରତିଷ୍ଠା କରିଥିଲେ ଏବଂ ୨୦୧୫ ଓ ୨୦୧୬ରେ ବୃହତ୍ତମ ବାୟୋଟେକ୍ ଆଇପିଓର ନେତୃତ୍ବ ନେଇଥିଲେ। ସେ ମଧ୍ୟ ଅନ୍ୟାନ୍ୟ ସ୍ବାସ୍ଥ୍ୟସେବା ଓ ପ୍ରଯୁକ୍ତି କମ୍ପାନି ପ୍ରତିଷ୍ଠା କରିଛନ୍ତି। ସେ ୨୦୨୨ରେ ଷ୍ଟ୍ରାଇଭ୍ ଆସେଟ୍ ମ୍ୟାନେଜମେଣ୍ଟ ଫାର୍ମ ଆରମ୍ଭ କରିଥିଲେ।

ରାମସ୍ବାମୀ କହିଛନ୍ତି ଯେ ସେ ଆମେରିକାକୁ ସର୍ବୋପରି ରଖିଛନ୍ତି ଏବଂ ଏଥିପାଇଁ ଆମେରିକାକୁ ପୁନରାବିଷ୍କାର କରିବାକୁ ହେବ। ଆମେରିକାର ବୈଶିଷ୍ଟ୍ୟକୁ ଅକ୍ଷୁଣ୍ଣ ରଖିବାକୁ ହେବ। ଚୀନ୍‌ର ଉତ୍ଥାନ ପାଇଁ ଆମେରିକା ପ୍ରତି ବିପଦ ଘନେଇଛି। ଅନ୍ୟ କେଉଁଠି ଯୁଦ୍ଧ ହେଉଛି ତା’ ଉପରେ ଗୁରୁତ୍ବ ନ ଦେଇ ଆମକୁ ଚୀନ୍‌ ଦ୍ରବ୍ୟଗୁଡ଼ିକ ଉପରୁ ନିର୍ଭରଶୀଳତାର ଅନ୍ତ ଘଟାଇବାକୁ ହେବ ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ପ୍ରବେଶ କରିଥିବା ଭାରତୀୟ ଆମେରିକୀୟ ରାମସ୍ବାମୀଙ୍କ ଏହି ବୟାନକୁ ବିପୁଳ ସମର୍ଥନ ମିଳିଛି।

ସେ କହିଛନ୍ତି, ଚୀନ୍ ଆମ ସାର୍ବଭୌମତାର ଉଲ୍ଲଂଘନ କରି ଆମ ଆକାଶରେ ଗୁପ୍ତଚର ବେଲୁନ ଉଡ଼ାଇଲା। ତାହା ଯଦି ରୁଷ୍ ବେଲୁନ ହୋଇଥାନ୍ତା ତେବେ ସଙ୍ଗେ ସଙ୍ଗେ ତଳକୁ ଖସାଇଥାନ୍ତୁ ଏବଂ ରୁଷ୍ ବିରୋଧରେ କଟକଣା ଲଗାଇଥାନ୍ତୁ। ଚୀନ୍ ବେଲୁନ ଖସାଇବାକୁ ଏତେ ଡେରି ହେଲା କାହିଁକି ଏବଂ ତା’ ପ୍ରତି କଟକଣା କାହିଁକି ଲଗାଗଲା ନାହିଁ ବୋଲି ରାମସ୍ବାମୀ ପ୍ରଶ୍ନ କରିଛନ୍ତି। ଆମର ଆଧୁନିକ ଜୀବନଶୈଳୀ ପାଇଁ ଆମେ ଚୀନ୍ ଉପରେ ନିର୍ଭର କରୁଛୁ। ଏହି ଅର୍ଥନୈତିକ ସହ-ନିର୍ଭରଶୀଳ ସମ୍ପର୍କର ଅନ୍ତ ଘଟାଇବାକୁ ହେବ ବୋଲି ରାମସ୍ବାମୀ ତାଙ୍କ ସାକ୍ଷାତ୍‌କାରରେ କହିଥିଲେ।