Odia News Portal

କେନ୍ଦ୍ରରୁ ଟିକା ମିଳିବା ପରେ ରାଜ୍ୟରେ ଟିକାକରଣ

ଭୁବନେଶ୍ୱର: ଭାରତରେ ଦୁଇଟି ଟିକାକୁ ଡ଼ିସିଜିଆଇ ଅନୁମୋଦନ ଦେବା ପରେ ଡ଼ିଏମ୍ଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ଏନେଇ ପ୍ରତିକ୍ରିୟା ରଖିଛନ୍ତି । କେନ୍ଦ୍ର ସରକାର ରାଜ୍ୟକୁ ଟିକା ଦେବା ପରେ ତତକ୍ଷଣାତ୍ ଟିକାକରଣ କରାଯିବ ।ପ୍ରାଥମିକସ୍ତରରେ ପ୍ରସ୍ତୁତ ଡାଟାବେସ୍‌ ଅନୁସାରେ, ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବା ପାଇଁ କେନ୍ଦ୍ର ନିକଟରେ ଦାବି ରଖାଯାଇଛି । ବୟସ୍କ ଓ ସମ୍ମୁଖ ଯୋଦ୍ଧାଙ୍କ ଡାଟାବେସ୍‌ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରସ୍ତୁତ ହେବ । ଗତବର୍ଷ ଜୁଲାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେରମ ଇନଷ୍ଟିଚ୍ୟୁଟ ସିଇଓଙ୍କ ସହ କଥା ହୋଇ ଓଡ଼ିଶାକୁ ପ୍ରାଥମିକତା ଦେବା ପାଇଁ ଦାବି କରିଥିଲେ । ସେରମ୍ ନିକଟରେ ୫ କୋଟି ଟିକା ଥିବାରୁ ଦିନେ ଦୁଇ ଦିନ ଭିତରେ ଟିକା ବିତରଣ ଆରମ୍ଭ ହୋଇପାରେ । ସେରମ୍‌ ଇନଷ୍ଟିଚ୍ୟୁଟ୍‌ର କୋଭିସିଲ୍‌ଡର ଗୁଣବତ୍ତା ୭୦ରୁ ୯୦ ପ୍ରତିଶତ ଓ ଭାରତ ବାୟୋଟେକ୍‌ର କୋଭାକ୍ସିନ୍‌ର ଗୁଣବତ୍ତା ୯୦ରୁ ୯୫ ପ୍ରତିଶତ ବୋଲି ବିଶେଷଜ୍ଞ କହିଛନ୍ତି।

ସେପଟେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ପ୍ରାଥମିକ ପର୍ଯ୍ୟାୟରେ ୩ ଲକ୍ଷ ୨୭ ହଜାର ସ୍ୱାସ୍ଥ୍ୟ କର୍ମୀଙ୍କ ତାଲିକା ପ୍ରସ୍ତୁତ ହୋଇଛି । କହିହେବନି କେବେ ସୁଦ୍ଧା ଟିକା ଆସିବ । ହେଲେ ଆସିବା ମାତ୍ରେ ଟିକାକରଣ ଆରମ୍ଭ ହେବ ।