Odia News Portal

ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ ଟିକା

ଭୁବନେଶ୍ୱର: ଆସନ୍ତା ୧୦ ଦିନ ଭିତରେ ରାଜ୍ୟରେ ପହଞ୍ଚିବ ଟିକା । ଏହି ସୂଚନା ଦେଇଛନ୍ତି ଡିଏମଇଟି ନିର୍ଦେଶକ ସିବିକେ ମହାନ୍ତି । ଆଗାମୀ ୧୦ ଦିନ ଭିତରେ ଟିକା ପହଞ୍ଚିବ କ୍ଷଣି ଦିନେ ଦୁଇ ଦିନ ଭିତରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଯିବ । ସେଇଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଥିବା କହିଛନ୍ତି ଡିଏମଇଟି ନିର୍ଦେଶକ । ସେ କହିଛନ୍ତି, ‘‘କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ୧୦ ଦିନ ମଧ୍ୟରେ ଟିକା ପହଞ୍ଚିବ ଓ ପହଞ୍ଚିବାର ୨ ଦିନ ମଧ୍ୟରେ ଟିକାକରଣ ହେବ । ଟିକାକରଣ ପାଇଁ ଆମ‌େ ପ୍ରସ୍ତୁତ ରହିଛୁ। ବର୍ତ୍ତମାନ ସୁଦ୍ଧା ଯେଉଁ ଦୁଇଟି ଟିକା ଆସିଛି, ତାହାକୁ ୨ଟି ଡୋଜ୍‌ରେ ଦିଆଯିବ। ପ୍ରଥମ ଡୋଜ୍‌ ଦେବାର ୨୮ ଦିନ ପରେ ଦ୍ଵିତୀୟ ଡୋଜ୍‌ ଦିଆଯିବ।’’

ସେହିଭଳି ସିବିକେ ମହାନ୍ତି ସ୍ପଷ୍ଟ କରିଛନ୍ତି ଯେ, କେଉଁଠି ଟିକାକରଣ ହେବ ସେନେଇ ଜିଲ୍ଲାପାଳମାନେ ୮ ତାରିଖ ସୁଦ୍ଧା ରିପୋର୍ଟ ଦେବେ। ସବୁ ପ୍ରକ୍ରିୟା ୧୦ ତାରିଖ ସୁଦ୍ଧା ସରିବ। ଟିକାକରଣ ଲାଗି ପ୍ରସ୍ତୁତ ରହିବାକୁ ଗତକାଲି କେନ୍ଦ୍ର ସରକାର ରାଜ୍ୟକୁ ଚିଠି ଲେଖିଥିଲେ । ଖୁବଶୀଘ୍ର ଟିକା ଓଡ଼ିଶା ଆସିବ ବୋଲି ଚିଠିରେ ଉଲ୍ଲେଖ ଥିଲା। ସେହିଭଳି ଟିକାକରଣ କାହା ପାଇଁ ବି ବାଧ୍ୟତାମୂଳକ ନୁହେଁ। ଯେଉଁ ସ୍ୱାସ୍ଥ୍ୟକର୍ମୀ ଚାହିଁବେ ଟିକା ନେଇପାରିବେ ଓ ଯେଉଁମାନେ ଚାହିଁବେନି ସେମାନେ ଟିକା ନେବେ ନାହିଁ। ଟିକା ଗ୍ରହଣ କରିବା ସଂପୂର୍ଣ୍ଣ ଭାବେ ଇଚ୍ଛାଧୀନ।