ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଭୋପାଳର ରାଣୀ କମଳାପତି ଷ୍ଟେସନ୍ରେ ସବୁଜ ପତାକା ଦେଖାଇ ମଧ୍ୟପ୍ରଦେଶର ପ୍ରଥମ ବନ୍ଦେ ଭାରତ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନ୍ ଭୋପାଳର ରାଣୀ କମଳାପତି ଷ୍ଟେସନ୍ ଓ ଦିଲ୍ଲୀର ନିଜାମୁଦ୍ଦିନ୍ ମଧ୍ୟରେ ଚଳାଚଳ କରିବ । ଏହି ଅବସରରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍ ମଧ୍ୟ ଉପସ୍ଥିତ ଥିଲେ ।
ଇନ୍ଦୋର ମନ୍ଦିର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ଶୋକବ୍ୟକ୍ତ ସହିତ ପୀଡ଼ିତ ପରିବାର ପ୍ରତି ସମବେଦନା ଜଣାଇ ସମ୍ବୋଧନ ଆରମ୍ଭ କରିଥିବା ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ମଧ୍ୟପ୍ରଦେଶକୁ ପ୍ରଥମ ବନ୍ଦେ ଭାରତ ଟ୍ରେନ୍ ମିଳିଛି । ଏହି ଟ୍ରେନ୍ ମିଳିବା ଯୋଗୁଁ ଭୋପାଳରୁ ଦିଲ୍ଲୀ ଯାତ୍ରା ଆହୁରି ସୁଗମ ଏବଂ ଶୀଘ୍ର ହେବ । ଏହି ଅବସରରେ କଂଗ୍ରେସକୁ ଟାର୍ଗେଟ୍ କରି ମୋଦୀ କହିଥିଲେ, ପୂର୍ବ ସରକାର ତୁଷ୍ଟୀକରଣରେ ଏବେ ବ୍ୟସ୍ତ ଥିଲେ ଯେ ଦେଶବାସୀଙ୍କ ସନ୍ତୁଷ୍ଟୀକରଣ ପ୍ରତି ସେମାନଙ୍କ ଧ୍ୟାନ ପଡ଼ୁନଥିଲା ।
ସେମାନେ ଭୋଟ୍ବ୍ୟାଙ୍କ ତୁଷ୍ଟୀକରଣରେ ଲାଗିଥିଲେ ଏବଂ ଆମେ ଦେଶବାସୀଙ୍କ ସନ୍ତୁଷ୍ଟୀକରଣ ପାଇଁ ସମର୍ପିତ । ସ୍ୱାଧୀନତା ପରେ କ୍ଷମତାରେ ଥିବା ସରକାର ଚାହିଁଥିଲେ ରେଳବାଇକୁ ଆଧୁନିକ କରିପାରିଥାନ୍ତେ । ମାତ୍ର ନିଜ ସ୍ୱାର୍ଥ ପାଇଁ ରେଳବାଇକୁ ବଳି ଚଢ଼ାଇଦେଲେ । ୨୦୧୪ରେ ମୋତେ ସେବାର ସୁଯୋଗ ଦେବାପରେ ରେଳବାଇର କାୟାକଳ୍ପ ପାଇଁ ଦୃଢ଼ ନିଷ୍ପତ୍ତି ନେଇଥିଲି । ଆରମ୍ଭରୁ ଭାରତୀୟ ରେଳକୁ ବିଶ୍ୱରେ ସର୍ବଶ୍ରେଷ୍ଠ କିପରି ହେବ ସେ ସଂକଳ୍ପ ନେଇଥିଲି ।
ଆଜି ଏହି ଟ୍ରେନ୍ ଆମ ଆତ୍ମବିଶ୍ୱାସ ଓ କୌଶଳର ପ୍ରତୀକ ହୋଇଛି । ଏହି ଟ୍ରେନ୍ ମାଧ୍ୟମରେ ପର୍ଯ୍ୟଟନ ବହୁଭାବେ ପ୍ରୋତ୍ସାହିତ ହେବା ସହିତ ରାଜ୍ୟରେ ରୋଜଗାର ବଢ଼ିବ । ଏହାଦ୍ୱାରା ଲୋକଙ୍କ ଆୟ ବୃଦ୍ଧି ପାଇବା ସହିତ ଅଞ୍ଚଳର ବିକାଶ ମଧ୍ୟ ହେବ ।