Odia News Portal

୧୮ରେ ବନ୍ଦେଭାରତ ଶୁଭାରମ୍ଭ

ପୁରୀ-ଭୁବନେଶ୍ବର-ହାୱଡ଼ା ମଧ୍ୟରେ ଚଳାଚଳ କରିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସକୁ ଆନୁଷ୍ଠାନିକ ଭାବେ ପୁରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକାର୍ପଣ କରିବା କାର୍ଯ୍ୟକ୍ରମ ରହିଛି।  ଆସନ୍ତା ୧୮ରେ ଶୁଭାରମ୍ଭ ହୋଇପାରେ ବନ୍ଦେଭାରତ ଏକ୍ସପ୍ରେସ । ୧୫ ତାରିଖ ପରିବର୍ତ୍ତେ ୧୮ ତାରିଖରେ ଶୁଭାରମ୍ଭ ହେବାର ସମ୍ଭାବନା ରହିଛି । ୧୮ ତାରିଖ ଦିନ ୧୨ ଟାରେ ପୁରୀର ଶୁଭାରମ୍ଭ ହେବାର ସମ୍ଭାବନା ରହିଛି ।

ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସି ବନ୍ଦେ ଭାରତ ଏକ୍ସପ୍ରେସକୁ ଲୋକାର୍ପଣ କରିବା କାର୍ଯ୍ୟକ୍ରମ ଥିବା କୁହାଯାଉଥିଲା; କିନ୍ତୁ କୌଣସି କାରଣବଶତଃ ପ୍ରଧାନମନ୍ତ୍ରୀ ଓଡ଼ିଶା ନଆସି ଦିଲ୍ଲୀରୁ ଆଭାସିରେ ଏହି ରେଳକୁ ଲୋକାର୍ପଣ କରିବା କାର୍ଯ୍ୟକ୍ରମ ଆପାତତଃ ସ୍ଥିର ହୋଇଛି। ଉଦ୍‌ଘାଟନ ଉତ୍ସବରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ। ବନ୍ଦେ ଭାରତ ଉଦ୍‌ଘାଟନ ନେଇ ପୂର୍ବତଟ ରେଳପଥ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ଏପ୍ରିଲ ୨୮ରେ ପ୍ରଥମ ଥର ଲାଗି ହାୱଡ଼ା-ଭୁବନେଶ୍ବର-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ପରୀକ୍ଷାମୂଳକ ଭାବେ ଚଳାଚଳ କରିଥିବା ବେଳେ ପୁଣି ୩୦ରେ ଦ୍ବିତୀୟ ଥର ପାଇଁ ପରୀକ୍ଷାମୂଳକ ଭାବେ ଗଡ଼ିଥିଲା। ସକାଳ ୬ଟା ୧୦ମିନିଟରେ ହାୱଡ଼ାରୁ ଏହି ରେଳ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା।

ଏହା ଖଡ଼ଗପୁର, ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୨ମିନିଟ ଲେଖାଏଁ ରହଣି କରିବା ପରେ ପୁରୀରେ ୧୨ଟା ୩୫ମିନିଟରେ ପହଞ୍ଚିଥିଲା। ପୁଣି ମଧ୍ୟାହ୍ନ ୧ଟା ୫୦ ମିନିଟରେ ପୁରୀରୁ ହାୱଡ଼ା ଛାଡ଼ିଥିଲା ବନ୍ଦେ ଭାରତ। ରାତି ସାଢ଼େ ୮ଟାରେ ହାୱଡ଼ା ପହଞ୍ଚିଥିଲା। ପୁରୀ ଓ ହାୱଡ଼ା ରେଳପଥ ଦୂରତା ୫୨୨ କିମି। ଦ୍ରୁତଗାମୀ ଅଥବା ଅତି ଦ୍ରୁତଗାମୀ ରେଳ ଏହି ଦୂରତା ଅତିକ୍ରମ କରିବା ପାଇଁ ପ୍ରାୟ ୮ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ସମୟ ନେଇଥାଏ; ତେବେ ବନ୍ଦେ ଭାରତ ଘଣ୍ଟା ପ୍ରତି ୧୩୦କିମି ଚଳାଚଳ କରିବା ଦ୍ବାରା ପ୍ରାୟ ସାଢ଼େ ୨ଘଣ୍ଟା ସମୟ ପୂର୍ବରୁ ପହଞ୍ଚିବ।