୨୦୧୯ ଫେବ୍ରୁଆରି ୧୫ ତାରିଖରେ ଦେଶରେ ପ୍ରଥମ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଥିଲା। ନୂଆଦିଲ୍ଲୀରୁ ବାରଣାସୀ ମାର୍ଗରେ ଏହି ଟ୍ରେନର ଶୁଭାରମ୍ଭ କରାଯାଇଥିଲା। ୩ ବର୍ଷ ମଧ୍ୟରେ ରେଳବାଇ ଦେଶର ୧୦ଟି ମାର୍ଗରେ ଏହି ଟ୍ରେନ ଚଳାଚଳ କରିବାରେ ସକ୍ଷମ ହୋଇଛି। ଗତ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁମ୍ବାଇରେ ଦୁଇଟି ମାର୍ଗରେ ଉକ୍ତ ଟ୍ରେନର ଚଳାଚଳ ଶୁଭାରମ୍ଭ କରିଛନ୍ତି। ସେହିଦୁଇଟି ମାର୍ଗ ହେଲା ମୁମ୍ବାଇ-ସୋଲାପୁର ଏବଂ ମୁମ୍ବାଇ-ଶିରିଡ଼ି। ଫଳରେ ଦେଶର ୧୦ଟି ମାର୍ଗରେ ଉକ୍ତ ଟ୍ରେନ ଏବେ ଲୋକଙ୍କୁ ସେବା ଯୋଗାଉଛି। ବର୍ତ୍ତମାନ ସୁଦ୍ଧା ଦେଶରେ ଚଳାଚଳ କରୁଥିବା ଟ୍ରେନଗୁଡ଼ିକ ମଧ୍ୟରେ ଏହାର ବେଗ ସର୍ବାଧିକ ରହିଛି। ଘଣ୍ଟାପ୍ରତି ୧୮୦ କିମି ବେଗରେ ଏହା ଯାତ୍ରା କରିପାରିବା କ୍ଷମତା ରଖିଛି। ତେବେ ଯାତ୍ରୀଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଉକ୍ତ ଟ୍ରେନ ଘଣ୍ଟାପ୍ରତି ୧୩୦ କିମି ବେଗରେ ଯାତ୍ରା କରୁଛି। ନୂଆ ଟ୍ରେନ ଚଳାଚଳକୁ ଆରମ୍ଭ ଘୋଷଣା କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଆଧୁନିକ ଭାରତର ଛବି ଯଥା ବେଗ ଏବଂ ଆକାରକୁ ନୂଆ ଟ୍ରେନ ପ୍ରତିଫଳିତ କରୁଛି।
