ଆସନ୍ତା ୧ ଏପ୍ରିଲ ୨୦୨୬ ଅର୍ଥାତ୍ ‘ଓଡ଼ିଶା ଦିବସ’ ଅବସରରେ ଭୁବନେଶ୍ୱରରେ ଏକ ‘ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’ କାର୍ଯ୍ୟକ୍ଷମ ହେବାକୁ ଯାଉଛି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖି ଭିଏଫଏସ ଗ୍ଲୋବାଲ ଗ୍ରୁପର ପ୍ରତିଷ୍ଠାତା ତଥା ସିଇଓ ଜୁବିନ କର୍କାରିଆ ସୂଚିତ କରିଛନ୍ତି । ଓଡ଼ିଶାରୁ ବିଦେଶକୁ ଉଚ୍ଚଶିକ୍ଷା ଓ ବ୍ୟବସାୟ ପାଇଁ ଯାଉଥିବା ଯୁବବର୍ଗଙ୍କ ସୁବିଧା ପାଇଁ ଶ୍ରୀ ପ୍ରଧାନ ଗତବର୍ଷ ଅର୍ଥାତ୍ ସେପ୍ଟେମ୍ବର ୨,୨୦୨୫ରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ୍. ଜୟଶଙ୍କରଙ୍କୁ ପତ୍ର ଲେଖି ଏକ ସ୍ଥାନୀୟ କେନ୍ଦ୍ର ପ୍ରତିଷ୍ଠା ପାଇଁ ଅନୁରୋଧ କରିଥିଲେ । ଏଥିସହିତ ସେ ଭିଏଫଏସର ଗ୍ଲୋବାଲ ସିଇଓ ଜୁବିନ କର୍କାରିଆଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ । ତେବେ ଭିଏଫଏସର ଗ୍ଲୋବାଲ ସିଇଓ ଏହି ପ୍ରସ୍ତାବକୁ ସ୍ୱୀକାର କରି ଭୁବନେଶ୍ୱରରେ ୧ ଏପ୍ରିଲ ୨୦୨୬ ରୁ ଭିସା ଆବେଦନ କେନ୍ଦ୍ର ଖୋଲିବା ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ପତ୍ର ଲେଖି ଜଣାଇଛନ୍ତି । ସେ ଉଲ୍ଲେଖ କରିଛନ୍ତି, ପ୍ରଥମ ପର୍ଯ୍ୟାୟରେ ଏହି କେନ୍ଦ୍ରରୁ ୟୁକେ ଏବଂ କେତେକ ବଛାବଛା ଦେଶ ପାଇଁ ଭିସା ଆବେଦନ ଗ୍ରହଣ କରାଯିବ । ପରବର୍ତ୍ତୀ ସମୟରେ ଚାହିଦା ଅନୁଯାୟୀ ଅନ୍ୟ ଦେଶଗୁଡ଼ିକୁ ମଧ୍ୟ ଏଥିରେ ସାମିଲ କରାଯିବ । ଏହି କେନ୍ଦ୍ର ମାଧ୍ୟମରେ ସ୍ଥାନୀୟ ଯୁବକଯୁବତୀଙ୍କୁ ପ୍ରଶିକ୍ଷଣ ଦିଆଯାଇ ନିଯୁକ୍ତି ପ୍ରଦାନ କରାଯିବ । ଭିସା କେନ୍ଦ୍ର ସହିତ ‘ଭିସା କନସିଅର୍ଜ ସେବା’ ମଧ୍ୟ ଉପଲବ୍ଧ ହେବ, ଯାହା ଫର୍ମ ପୂରଣ, ବୀମା ଏବଂ ଅନ୍ୟାନ୍ୟ ପ୍ରକ୍ରିୟାକୁ ସହଜ କରିବ।
