ପୁଣି ଭିଜିଲାନ୍ସ ଜାଲରେ ଜଣେ ସରକାରୀ ବାବୁ। ଆଜି ସକାଳୁ ସକାଳୁ ଭିଜିଲାନ୍ସ ଟିମ୍ ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ସରକାରୀ ବାସଭବନ, କାର୍ଯ୍ୟାଳୟ, ଭଦ୍ରକ ଓ ଭୁବନେଶ୍ୱର ସମେତ ୯ଟି ସ୍ଥାନରେ ଏକକାଳୀନ ଚଢ଼ଉ କରୁଥିବାର ସୂଚନା ମିଳିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଚାଲିଥିବା ଜଣାଯାଇଛି। ଏହି ଚଢ଼ଉରେ ଭିଜିଲାନ୍ସ ବିଭାଗର ୯ଟି ଟିମ୍ ସାମିଲ ହୋଇଛନ୍ତି।
ଏଥିରେ ୨ ଜଣ ଅତିରିକ୍ତ ଏସପି, ୭ ଡିଏସପି ଓ ୮ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି। ଉଲ୍ଲେଖଯୋଗ୍ୟ, ପ୍ରଶାନ୍ତ କୁମାର ରାଉତଙ୍କ ନାମରେ ଦୁର୍ନୀତି ଅଭିଯୋଗ ହୋଇଆସୁଥିଲା। ଆଗରୁ ସେ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରାରେ ଥିବା ବେଳେ ମଧ୍ୟ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ବିଶ୍ରା ବ୍ଲକରେ ବିଡିଓ ଭାବେ କାର୍ଯ୍ୟ କରୁଥିବା ସମୟରେ ବିରିପାଣି ପଞ୍ଚାୟତର ଜଣେ ଅଧିକାରୀଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା।
ଛାତ ଉପରେ ବିଡ଼ାବିଡ଼ା ଟଙ୍କା। ପଡ଼ୋଶୀଙ୍କ ଘର ଛାତରୁ ୫୦୦ ଟଙ୍କିଆ ଭର୍ତ୍ତି ୬ଟି ପେଟି ଜବତ ହୋଇଛି। ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ପଡ଼ୋଶୀଙ୍କ ଛାତରୁ ଏହିସବୁ ଟଙ୍କା ଜବତ ହୋଇଛି।
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଶାନ୍ତ କୁମାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ତେବେ ରେଡ୍ ବେଳେ ଏତେ ପରିମାଣର ଟଙ୍କା ଜବତ ହୋଇଥିବା ସାମ୍ନାକୁ ଆସିଛି।
ଭିଜିଲାନ୍ସ ବିଭାଗର ୯ଟି ଟିମ୍ ନବରଙ୍ଗପୁର ସରକାରୀ ବାସଭବନ, କାର୍ଯ୍ୟାଳୟ ସମେତ ଭଦ୍ରକ ଜିଲ୍ଲା ସ୍ଥିତ ପ୍ରଶାନ୍ତଙ୍କ ବାସଭବନ, ଭୁବନେଶ୍ୱର ସ୍ଥିତ କାନନ ବିହାରର ଏକ ଘରେ ରେଡ୍ କରିଛି।ଭଦ୍ରକ, ଭୁବନେଶ୍ୱର ସମେତ ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଛି।