Odia News Portal

କୁବେରପୁରୀରେ ଗରିବୀର ଫୁଙ୍ଗୁଳା ଚେହେରା

*ଭୋକ ମେଣ୍ଟାଇବାକୁ ଅଇଁଠା ଖଲି ଚାଟୁଛି ଶିଶୁ
*ବିକାଶର ସବୁ ସୁନେଲୀ ସ୍ୱପ୍ନକୁ ଚୁରମାର କରିପକାଇଛି ଭୋକର ଚିତ୍ର

ଭୁବନେଶ୍ୱର: ଧନୀ ଇଲାକାରେ ଗରିବୀର ଫୁଙ୍ଗୁଳା ଚେହେରା । ଭୋକ ମେଣ୍ଟାଇବାକୁ ଅଇଁଠା ଖଲି ଚାଟୁଛି ଶିଶୁ । ବିକାଶର ସବୁ ସୁନେଲୀ ସ୍ୱପ୍ନକୁ ଚୁରମାର କରିପକାଇଛି ଏହି ଭୋକର ଚିତ୍ର । ଖଣିଖାଦାନ ଭରା ସୁନ୍ଦରଗଡ ଜିଲ୍ଲା କୋଇଡା ଗଣୁଆ ଗାଁର ଏ ଚିତ୍ର ସତରେ ବୁଝାଇ ଦେଉଛି ଭୋକର ବାସ୍ତବତା, ଗରିବୀର କରୁଣ କାହାଣୀ । ଛୋଟିଆ ପୁଙ୍ଗୁଳା ଛୁଆଟିଏ, ରାସ୍ତା କଡରେ ପଡିଥିବା ଅଇଁଠା ଖଲିକୁ ଚାଟି ଖାଇ ଯାଉଛି । ଏହି ଗୋଟିଏ ଚିତ୍ର ସରକାରଙ୍କ ଶହ ଶହ ଯୋଜନା ଉପରେ ଛିଡା କରୁଛି ହଜାରେ ପ୍ରଶ୍ନବାଚୀ । ଏମିତି କ’ଣ ପରିସ୍ଥିତି ହେଲା ଯେ, ଏହି କୁନି ଛୁଆଟି ରାସ୍ତାରେ ପଡିଥିବା ଅଇଁଠା ଖଲି ଚାଟି ପେଟର ଭୋକ ମେଣ୍ଟାଇଲା ।

ଘଟଣାଟି କୁବେରପୁରୀ କୋଇଡା ବ୍ଲକ ଡାଡୁଗୋଠ ସାହି । ସହରର ଚିକିଚିକିଆ ଆଲୁଅ ବଦଳରେ ଏଇଠି ଦେଖିବାକୁ ମିଳେ ଗରିବୀର ନଗ୍ନଚିତ୍ର । ଭାଇରାଲ ଭିଡିଓରେ ରାସ୍ତାକଡରେ ଅଇଁଠା ପତ୍ର ଚାଟୁଥିବା ଶିଶୁଟି ହେଉଛି ରାବଣ ମୁଣ୍ଡାଙ୍କର ପତ୍ନୀଙ୍କ ଦେହାନ୍ତ ପରେ ତିନିଟି ଯାକ ଶିଶୁ ଚରମ ଅବହେଳାର ଶୀକାର ହୋଇଛନ୍ତି । ଖାଦ୍ୟ ଅଭାବ ଯୋଗୁଁ ଅପପୁଷ୍ଟିର ଶୀକାର ହୋଇଛନ୍ତି ପିଲାଏ । ଖାସ୍ ସେଇଥିପାଇଁ ତ ଭୋକ ସମ୍ଭାଳି ନପାରି ଅଢ଼େଇ ବର୍ଷର କଅଁଳା ଛୁଆଟି ଅଇଁଠା ପତ୍ରକୁ ଚାଟି ଚାଟି ଖାଉଛି । କୁନି ପୁଅ କଣ ଜାଣିଛି ଖାଦ୍ୟ ଆଉ ଅଖାଦ୍ୟ ଭିତରେ ଫରକ୍ ସେତ ଜାଣିଛି ଖାଲି ପେଟର ଭୋକକୁ । ବିକାଶର ସୁନେଲି ନକ୍ସା ଆଙ୍କନ୍ତି ସରକାର । ସୁନେଲୀ ସ୍ୱପ୍ନକୁ ବାସ୍ତବତାର ରୂପ ଦିଅନ୍ତି ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ଲୋକପ୍ରତିନିଧି । ହେଲେ କୋଇଡାରୁ ଆସିଥିବା ଏ ଭୋକର ବିକଳ ଚିତ୍ର ଯାହା ବୁଝାଉଛି, ତାହା ଭାଷାରେ ବର୍ଣ୍ଣନା କରିବା ସହଜ ନୁହେଁ ।