ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଥିବା ୫-ଟି ସଚିବ ଭି.କେ. ପାଣ୍ଡିଆନ ଶୁକ୍ରବାର ଦ୍ବିତୀୟ ଦିନରେ ମଧ୍ୟ ବିଭିନ୍ନ ଉନ୍ନୟନମୂଳକ କାମ ଅନୁଧ୍ୟାନ କରିବା ସହିତ ଏହାର ଅଗ୍ରଗତି ପାଇଁ ପଦକ୍ଷେପ ନେବାକୁ ଆବଶ୍ୟକ ପରାମର୍ଶ ଓ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ପାଣ୍ଡିଆନ ଆଜି କେନ୍ଦ୍ରାପଡା ଜିଲ୍ଲାର ଆଉ କେତେକ ମଠ ମନ୍ଦିରର ଉନ୍ନତିକରଣ ପାଇଁ ପଦକ୍ଷେପ ନେଇଛନ୍ତି। ଆଳିର ଡେମାଳସ୍ଥିତ ଲକ୍ଷ୍ମୀବରାହ ମନ୍ଦିର, କେରେଡାଗଡସ୍ଥିତ ଜଗନ୍ନାଥ ମନ୍ଦିର ଓ ବାୟାବାବା ମଠ ଆଦି ପରିଦର୍ଶନ କରି ସେଠାରେ ମନ୍ଦିର କମିଟି ସଦଲ୍ୟ, ମଠର ଶିଷ୍ୟଗଣ ଓ ସ୍ଥାନୀୟ ଲୋକମାନଙ୍କ ସହିତ ଆଲୋଚନା କରି ଏସବୁ ଅନୁଷ୍ଠାନର ପାରିପାର୍ଶ୍ବିକ ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ତୁରନ୍ତ ଡିପିଆର ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ସେ ସାତଭାୟା ଗ୍ରାମପଞ୍ଚାୟତର ବଗପଟିଆ ଗାଁରେ ଏକ ଥଇଥାନ ପ୍ରକଳ୍ପ ମଧ୍ୟ ବୁଲି ଦେଖିଥିଲେ। ଏଠାରେ ଥଇଥାନ ହୋଇଥିବା ଲୋକମାନେ ଏକ ପଞ୍ଚୁବରାହୀ ମନ୍ଦିର ନିର୍ମାଣ କରିଛନ୍ତି। ଏହି ମନ୍ଦିରର ଆହୁରି ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।
୫-ଟି ସଚିବ କେନ୍ଦ୍ରାପଡା ଜିଲ୍ଲା ସଂସ୍କୃତି ଭବନରେ ଜିଲ୍ଲାର ବିଭିନ୍ନ ସରକାରୀ ଓ ସହାୟତାପ୍ରାପ୍ତ କଲେଜ ଗୁଡିକର ପ୍ରତିନିଧି ଓ ଛାତ୍ରମାନଙ୍କୁ ଭେଟିଥିଲେ। ପ୍ରତ୍ୟେକ କଲେଜର ଆବଶ୍ୟକତାରୁ ଦୃଷ୍ଟିରେ ରଖି ଏଗୁଡିକର ଭିତ୍ତିଭୂମି ଓ ଅନ୍ୟାନ୍ୟ ସୁବିଧା ପାଇଁ ରିପୋର୍ଟ ପ୍ରସ୍ତୁତ କରି ପ୍ରସ୍ତାବ ଦେବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ପାଣ୍ଡିଆନ ଆଜି ଅନେକ ଉନ୍ନୟନମୂଳକ କାର୍ଯ୍ୟ ସହିତ ରାଜନଗର ବ୍ଲକ୍ର ଭଟପଦା ଠାରେ ନିର୍ମଣାଧିନ କାମ ଅନୁଧ୍ୟାନ କରିଥିଲେ । ଏହା ସହିତ ହଂସୁଆ ନଦୀର ଦକ୍ଷିଣବନ୍ଧ ପଟେ କେରଡାଗଡ-ଅଳଟଙ୍ଗା ଲୁଣିବନ୍ଧର ମରାମତି କାମ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ସ୍ଥାନୀୟ ଇଂଜିନିଅରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।