ବସନ୍ତ ଚାଲିଛି, କିନ୍ତୁ ରାଜ୍ୟର କୌଣସି ସ୍ଥାନରେ ଏହାର ଚିହ୍ନବର୍ଣ୍ଣ ନାହିଁ। ମାଘ ସରୁ ସରୁ, ଅଳ୍ପ କିଛି ସ୍ଥାନକୁ ଛାଡ଼ି ଦେଲେ, ଡହଡହ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କଲାଣି। ଗତ ୪ ଦିନ ହେଲା ରାଜଧାନୀର ଖରାବେଳିଆ ଗରମ ଲୋକଙ୍କୁ ଡରାଇଲାଣି। ବୁଧବାର ଓ ଗୁରୁବାର ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ଡେଇଁଥିବା ବେଳେ ଗତକାଲି ଏହା ଆହୁରି ଦେଢ଼ ଡିଗ୍ରି ବଢ଼ି ୩୭.୪ ଡିଗ୍ରିକୁ ଛୁଇଁଥିଲା। ଆଜି ସହରର ସର୍ବୋଚ୍ଚ ତାପମାତ୍ରା ୩୬.୬ ଥିଲା, ଯାହାକି ସ୍ବାଭାବିକଠାରୁ ୪.୫ ଡିଗ୍ରି ଅଧିକ। ଏମିତିକି, ଏପ୍ରିଲ-ମେ’ ଭଳି ଏବେ ସକାଳ ୮ଟାରୁ ଖରା ଟାଣ ହୋଇଯାଉଛି। ସାଧାରଣତଃ ଏହି ସମୟରେ ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୩୨ଡିଗ୍ରି ଭିତରେ ରହିବା କଥା। କିନ୍ତୁ ଏବେ ଏହା ଅଧିକ ୫.୫ ଡିଗ୍ରି ରହିଛି। ଏହାକୁ ନେଇ ପାଣିପାଗ ବିଶେଷଜ୍ଞମାନେ ଚିନ୍ତାବ୍ୟକ୍ତ କରିଥିବା ବେଳେ ମାର୍ଚ୍ଚରେ ପାରଦ ୪୨ରୁ ୪୩ଡିଗ୍ରି ଛୁଇଁବ ବୋଲି ପୂର୍ବାନୁମାନ କଲେଣି। ତେଣୁ ଏଥର ତାତିରୁ ଓଡ଼ିଶାବାସୀଙ୍କୁ ନିସ୍ତାର ମିଳିବ ନାହିଁ ବୋଲି ଏବେଠୁ ଜଳଜଳ ଦିଶିଲାଣି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଫେବ୍ରୁଆରିରେ ଏଭଳି ଗ୍ରୀଷ୍ମ ପ୍ରକୋପ କିଛି ନୂଆ ନୁହେଁ। ଗତ ୧୦ ବର୍ଷ ଭିତରେ ଅନେକଥର ଏପରି ଘଟିଛି। ୨୦୧୬ ଫେବ୍ରୁଆରି ୨୦ ତାରିଖରେ ଭୁବନେଶ୍ବରର ସର୍ବାଧିକ ତାପମାତ୍ରା ୪୦.୯ଡିଗ୍ରି ରେକର୍ଡ ହୋଇଥିଲା। ୨୦୨୧ ମସିହା ୨୫ ଓ ୨୬ ଫେବ୍ରୁଆରିରେ ଦେଶର ଉତ୍ତପ୍ତ ସହର ପାଲଟିଥିଲା ଭୁବନେଶ୍ବର। ୨୫ ଫେବ୍ରୁଆରିରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୯.୪ ଡିଗ୍ରି ରେକର୍ଡ ହୋଇଥିଲା ବେଳେ ୨୬ ତାରିଖରେ ଏହା ୪୦ଡିଗ୍ରି ଅତିକ୍ରମ କରି ଦେଶର ଉତ୍ତପ୍ତ ସହର ପାଲଟିଥିଲା। ଆଉ ପଛକୁ ଗଲେ, ୧୯୬୩ ଫେବ୍ରୁଆରି ୨୩ ତାରିଖରେ ଭୁବନେଶ୍ବରର ସର୍ବାଧିକ ତାପମାତ୍ରା ୪୨.୭ ଡିଗ୍ରି ରେକର୍ଡ ହୋଇଥିଲା। ତାହାକୁ ସର୍ବକାଳୀନ ରେକର୍ଡ ବୋଲି କୁହାଯାଇପାରେ। ତେବେ ରାଜଧାନୀର ତାପମାତ୍ରା ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ଏହିଭଳି ରହିବ। ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ପାଖାପାଖି ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି।
