Odia News Portal

ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଲେ ଅଲପନ ବନ୍ଦୋପାଧ୍ୟାୟ

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଧ୍ୟାୟ ନିଜ କାର୍ଯ୍ୟରୁ ଅବସର ନେଇଛନ୍ତି । ଅଲପନ ବନ୍ଦୋପାଧ୍ୟାୟ ଆଜି କେନ୍ଦ୍ରକୁ ବଦଳି ହେବାର ଥିଲା । ହେଲେ ତା ପୂର୍ବରୁ ବନ୍ଦୋପାଧ୍ୟାୟ ଅବସର ନେଇଛନ୍ତି ।ବନ୍ଦୋପାଧ୍ୟାୟଙ୍କୁ ମମତା ଏବେ ନିଜ ସରକାରର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ବାତ୍ୟା ୟାସର ସମୀକ୍ଷା ପାଇଁ ପଶ୍ଚିମବଙ୍ଗ ଗସ୍ତ କରିଥିଲେ । ଏହି ସମୟରେ ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଧ୍ୟାୟ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଳମ୍ବରେ ଆସିବା ସହିତ ଅଳ୍ପ କିଛି ସମୟ ଆଲୋଚନା କରି ଫେରିଯାଇଥିଲେ । ଯାହା ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହାପରେ କେନ୍ଦ୍ର ସରକାର ତାଙ୍କୁ ଦିଲ୍ଲୀ ଫେରାଇ ନେବାକୁ ବିଜ୍ଞପ୍ତି ଜାରି କରିିଥିଲେ। ତାଙ୍କୁ ଦୁଇଦିନ ମଧ୍ୟରେ ଅର୍ଥାତ ଆଜି କେନ୍ଦ୍ର ସରକାରଙ୍କ ପର୍ସନାଲ ଆଣ୍ଡ୍ ଟ୍ରେନିଂ ବିଭାଗରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ବନ୍ଦୋପାଧ୍ୟାୟଙ୍କ ବଦଳି ଆଦେଶ ପ୍ରତ୍ୟାହାର କରିବା ପାଇଁ ମମତା କେନ୍ଦ୍ରକୁ ଅନୁରୋଧ କରିଥିଲେ ।ବନ୍ଦୋପାଧ୍ୟାୟଙ୍କ ଅବସର ପରେ ଏଚକେ ଦ୍ବିବେଦୀ ପଶ୍ଚିମବଙ୍ଗର ନୂଆ ମୁଖ୍ୟ ସଚିବ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ।