Odia News Portal

ମଦ ଦୁର୍ନୀତିରେ ଜେଲ ଗଲେ ସିସୋଦିଆ, ସେ ଦୁର୍ନୀତି ପଛର ସମ୍ପୂର୍ଣ୍ଣ ତଥ୍ୟ କ’ଣ

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ସିବିଆଇ ରବିବାର ଦିନ ଗିରଫ କରିଛି। ଏହି ପ୍ରସଙ୍ଗରେ ସିବିଆଇର ବ୍ୟାପକ ଖୋଳତାଡ଼ ଜାରି ରହିଥିବାବେଳେ ଅବକାରୀ ଦୁର୍ନୀତି ଚର୍ଚ୍ଚାରେ ରହିଛି। ଏକ ବିଶେଷଜ୍ଞ କମିଟିର ସୁପାରିସ ଆଧାରରେ ଆପ୍‌ ସରକାର ଅବକାରୀ ନୀତି ୨୦୨୧-୨୨କୁ ୨୦୨୧ ନଭେମ୍ବର ୧୭ରେ ଲାଗୁ କରିଥିଲେ। ନୂଆ ନୀତି ଅନୁଯାୟୀ, ନିଲାମ ଜରିଆରେ ୮୪୯ଟି ମଦ ଦୋକାନ ଖୋଲିବା ପାଇଁ ଘରୋଇ ସଂସ୍ଥାଙ୍କୁ ଅନୁମତି ପ୍ରଦାନ କରାଯାଇଥିଲା। ଦିଲ୍ଲୀକୁ ୩୨ଟି ଜୋନ୍‌ରେ ବିଭକ୍ତ କରାଯାଇଥିଲା। ଗୋଟିଏ ଜୋନରେ ସର୍ବାଧିକ ୨୭ଟି ଦୋକାନ ଖୋଲାଯିବାର ବ୍ୟବସ୍ଥା ଥିଲା। ବ୍ୟକ୍ତିଗତ ଲାଇସେନ୍ସ ପରିବର୍ତ୍ତେ ଜୋନ୍ ଆଧାରରେ ନିଲାମ ହୋଇଥିଲା। ଦିଲ୍ଲୀର ନୂଆ ଅବକାରୀ ନୀତିକୁ ବିଭିନ୍ନ ମହଲରୁ ତୀବ୍ର ବିରୋଧ କରାଯାଇଥିଲା। ମଦ ବ୍ୟବସାୟୀଙ୍କୁ ଅଯଥା ଆର୍ଥିକ ଲାଭ ପ୍ରଦାନ ପାଇଁ କେଜ୍ରିୱାଲ ସରକାର ନୂଆ ନୀତିରେ ବ୍ୟବସ୍ଥା କରିଥିବା ଅଭିଯୋଗ ଆସିଥିଲା। ଉକ୍ତ ନୀତିରେ ଜିଏନସିଟିଡି ଆଇନ ୧୯୯୧, ଟ୍ରାଞ୍ଜାକସନ ଅଫ୍ ବିଜନେସ ରୁଲ୍ସ ୧୯୯୩, ଦିଲ୍ଲୀ ଅବକାରୀ ନୀତି ୨୦୦୯ ଏବଂ ଦିଲ୍ଲୀ ଅବକାରୀ ନିୟମ ୨୦୧୦ର ଉଲ୍ଲଂଘନ ହୋଇଥିଲା ବୋଲି ଦିଲ୍ଲୀ ମୁଖ୍ୟ ଶାସନ ସଚିବ ଉପରାଜ୍ୟପାଳ ଭି କେ ସାକସେନଙ୍କୁ ରିପୋର୍ଟ ଦେଇଥିଲେ।

ଅବକାରୀ ନୀତି ପ୍ରଣୟନ ବେଳେ ଆଇନରେ ଥିବା ବ୍ୟବସ୍ଥାକୁ ଏଡ଼ାଇ ଯାଇ ସିସୋଦିଆ ଅନେକ ନିଷ୍ପତ୍ତି ନିଜେ ନେଇଥିଲେ। ନିଲାମ ପରେ ମଧ୍ୟ ସିସୋଦିଆ ସେମାନଙ୍କୁ ଅନୁଗ୍ରହ ଦେଖାଇବାରୁ ଏଥିପାଇଁ ସରକାରଙ୍କୁ ବ୍ୟାପକ ଆର୍ଥିକ କ୍ଷତି ସହିବାକୁ ପଡ଼ିଛି। ସିସୋଦିଆଙ୍କ ସମେତ ଅବକାରୀ ବିଭାଗରେ ଥିବା ବଡ଼ ବଡ଼ ଅଧିକାରୀ ଏହା ବଦଳରେ ଲାଇସେନ୍ସଧାରୀଙ୍କ ଠାରୁ ଫାଇଦା ନେଇଛନ୍ତି। ସିସୋଦିଆଙ୍କ ସହ ନିବିଡ଼ ସଂପର୍କ ଥିବା ବ୍ୟକ୍ତିମାନଙ୍କୁ ମଦ ବ୍ୟବସାୟୀ ତଥା ଇଣ୍ଡୋସ୍ପିରିଟ୍‌ସର ମାଲିକ ସମୀର ମହେନ୍ଦ୍ରୁ କୋଟି କୋଟି ଟଙ୍କା ପ୍ରଦାନ କରିଥିବା ଅଭିଯୋଗ ହୋଇଥିଲା। ଅବକାରୀ ନୀତି ପ୍ରସ୍ତୁତିରେ ହୋଇଥିବା ଅନିୟମିତତାରେ ମହେନ୍ଦ୍ରୁଙ୍କର ସକ୍ରିୟ ଭୂମିକା ରହିଥିଲା। ଅବକାରୀ ନୀତି ପ୍ରସ୍ତୁତିରେ ଅନିୟମିତତା ପାଇଁ ଅବକାରୀ ମନ୍ତ୍ରୀ ସିସୋଦିଆ ଏବଂ ଅନ୍ୟ ୧୪ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ଗତବର୍ଷ ଡିସେମ୍ବର ୨୫ରେ ମୁମ୍ବାଇର ଏକ ଘରୋଇ କମ୍ପାନିର ସିଇଓ ଏବଂ ଅନ୍ୟ ୬ ଜଣଙ୍କ ନାମରେ ଏକ ଅଭିଯୋଗଫର୍ଦ୍ଦ ଦାଖଲ ହୋଇଥିଲା। ୨୦୨୨ ଅକ୍ଟୋବର ୧୭ରେ ସିସୋଦିଆଙ୍କୁ ପଚରାଉଚରା ପାଇଁ ସିବିଆଇ ସମନ କରିଥିଲା। ଏହାପରେ ଚଳିତମାସ ୧୭ ତାରିଖରେ ଦ୍ବିତୀୟ ଥର ପାଇଁ ସିବିଆଇ ଡାକିଥିଲା। କିନ୍ତୁ ସେ ବଜେଟ ପ୍ରସ୍ତୁତିରେ ବ୍ୟସ୍ତ ଥିବାରୁ ଏହାକୁ ଏଡ଼ାଇ ଯାଇଥିଲେ ଏବଂ ଆଜି ଜେରା ପାଇଁ ହାଜର ହୋଇଥିଲେ