ସତ କହୁଛି କିଏ ? ଇଞ୍ଜିନିୟର ସ୍ତ୍ରୀ ନା ଓଏଏସ୍ ସ୍ୱାମୀ, ଅର୍ଚ୍ଚନାଙ୍କ ବିରୋଧରେ ସାର୍ଥକଙ୍କ ପାଲଟା ଅଭିଯୋଗ By Swadhikar News Last updated Aug 1, 2025 ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବା OSDMAରେ ଡିଜିଏମ୍ ଭାବେ କାର୍ଯ୍ୟ କରୁଥିବା ଓଏଏସ୍ ଅଧିକାରୀ ସାର୍ଥକ ସୌରଭ ମହାପାତ୍ରଙ୍କ ନାଁରେ ତାଙ୍କ ପତ୍ନୀ ତଥା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଅର୍ଚ୍ଚନା ଦାଶ ବୁଧବାର ଭୁବନେଶ୍ୱର ମହିଳା ଥାନାରେ ଏଫଆଇଆର ଦେଇଥିଲେ। ସେହି ଆଧାରରେ ଆଜି ମହିଳା ଥାନା ପୁଲିସ ତାଙ୍କୁ ଡାକି ପଚରାଉଚରା କରିଛି। ସ୍ୱାମୀ ସାର୍ଥକ ସୌରଭ ମହାପାତ୍ର ତାଙ୍କ ପ୍ରତି କ୍ରୁର ବ୍ୟବହାର କରିଥିବା, ତାଙ୍କୁ ମାନସିକ ନିର୍ଯାତନା ଦେଇଥିବା ତଥା ଜାଣିଶୁଣି ତାଙ୍କର ତଥା ତାଙ୍କ ନବଜାତ ପୁଅର ଦାୟିତ୍ୱ ନନେବା ଓ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ଓ ତାଙ୍କ ପୁଅକୁ ଅବହେଳା କରୁଥିବା ଭଳି ଅଭିଯୋଗ ଆଣିଛନ୍ତି ଅର୍ଚ୍ଚନା ଦାଶ। ସ୍ୱାମୀ ସାର୍ଥକ ସୌରଭ ମହାପାତ୍ରଙ୍କ ସହିତ ଅର୍ଚ୍ଚନା ତାଙ୍କ ଶାଶୂ କବିତା ମଞ୍ଜରୀ ରଥ ଓ ନଣଦ ସାଇନା ସୋନାଲି ମହାପାତ୍ରଙ୍କ ବିରୋଧରେ ମଧ୍ୟ ଏଫଆଇଆର ଦେଇଛନ୍ତି। ସେମାନେ ମଧ୍ୟ ତାଙ୍କୁ ମାନସିକ ନିର୍ଯାତନା ଦେବା ସହିତ ଦୁର୍ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ମହିଳା ଥାନାରେ ହାଜର ହୋଇ ଫେରିବା ପରେ ଗଣମାଧ୍ୟମ ଆଗରେ ଓଏଏସ୍ ଅଫିସର ସାର୍ଥକ ସୌରଭ ମହାପାତ୍ର ତାଙ୍କ ବିରୋଧରେ ଆସିଥିବା ଅଭିଯୋଗଗୁଡ଼ିକୁ ଖଣ୍ଡନ କରିବା ସହିତ ପତ୍ନୀ ଅର୍ଚ୍ଚନା ଦାଶଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି। ‘୧୦ ମିନିଟ୍ ମା’ ପାଖରେ ବସିପଡ଼ିଲେ,ତାହା ଏକ ବଡ଼ କ୍ରାଇମ ହୋଇଯାଏ’ ଶ୍ରୀ ମହାପାତ୍ର କହିଛନ୍ତି, ପତ୍ନୀଙ୍କ ଗର୍ଭାବସ୍ଥାର ଶେଷ ତିନି ମାସ ମୁଁ ତାଙ୍କର ସବୁ ସେବା କରିଛି। ପାଣି ରଖିଦିଏ। କେତେବେଳେ କେଉଁ ମେସିଡିନ୍ ଖାଇବେ, ତାହା ସଜାଡ଼ି ରଖିଦିଏ। ପୁଣି ଅଫିସରୁ ମନେ ପକାଇ ଦିଏ କେଉଁ ସମୟରେ କେଉଁ ମେଡିସିନ୍ ଖାଇବେ ବୋଲି। ଅଫିସରୁ ଫେରିବା ପରେ ୯୦ ପ୍ରତିଶତ ଦିନ ମୁଁ ହିଁ ରୋଷେଇ କରିଛି। କହନ୍ତି ଭାତ ଭଲ ଲାଗୁନି, ଫ୍ରାଏଡ୍ ରାଇସ୍ ଖାଇବି। ମୁଁ କରି ଦିଏ। ସେ ଗର୍ଭବତୀ ଥିବା ବେଳେ ତାଙ୍କ ଗୋଡ୍ ପେନ୍ ହୁଏ। ତେଣୁ ପ୍ରତିଦିନ ଦୁଇ ଘଣ୍ଟା ଲେଖାଏ ମୁଁ ତାଙ୍କ ଗୋଡ଼ ମାଲିସ୍ କରିଦିଏ। ମୁଁ ତାଙ୍କ ପାଇଁ ସବୁ କିଛି କରିଛି। କିନ୍ତୁ ପ୍ରତିବଦଳରେ ମୁଁ କିଛି ପାଇନି। ପ୍ରତିବଦଳରେ ମୋ ନାଁରେ ଥାନାରେ ମାମଲା ରୁଜୁ ହୋଇଛି। କାହାକୁ ପ୍ରଶଂସା କରିବାର ଗୁଣ ତାଙ୍କ ପାଖରେ ନାହିଁ। ଜଣେ ସ୍ୱାମୀ ଭାବେ ମୁଁ ତାଙ୍କର ସମର୍ଥନ ଆଶା କରେ। ମୋ ମା’ ଜଣେ ବିଧବା ମହିଳା। ସେ ଦିନ ସାରା ଘରେ ଏକୁଟିଆ ଥାଆନ୍ତି। ମୁଁ ଆଶା କରେ ମୋ ମା’ ଓ ପତ୍ନୀ କଥାବାର୍ତ୍ତା ହେଉଥିବେ। ମୁଁ ଅଫିସରୁ ଫେରିଲା ବେଳେ ଟିକେ ଶାନ୍ତ ମନରେ ଫେରିବି। କିନ୍ତୁ ମୁଁ ଯେବେବି ଅଫିସ୍ରୁ ଫେରେ ମୋତେ ଗୋଟେ ଇମୋସନାଲ ଖଣ୍ଡାଧାରରେ ରହିବାକୁ ପଡ଼େ। ୧୦ ମିନିଟ୍ ମା’ ପାଖରେ ବସିପଡ଼ିଲେ,ତାହା ଏକ ବଡ଼ କ୍ରାଇମ ହୋଇଯାଏ। ଘରେ ଥିବା ବେଳେ ମୁଁ ମୋ ଭଉଣୀ ପାଖକୁ ପଇସା ପଠାଏ କି ନାହିଁ, ସେ ନେଇ ମୋ ପରେ ନଜର ରଖନ୍ତି। ମୋ ଛଡ଼ା ମୋ ମା’ର କେହି ନାହାନ୍ତି। ମୋ ଭଉଣୀ ବାହାଘର ପୂର୍ବରୁ ଦିଲ୍ଲୀରେ ଅଛି। ସେ ସେଠାରେ ଚାକିରି ପାଇଁ ପ୍ରସ୍ତୁତି ଚଲାଇଛି। ତେଣୁ ନିହାତି ଭାବେ ମୋ ମା’ ଓ ଭଉଣୀଙ୍କୁ ସର୍ପୋଟ ଦରକାର। କିନ୍ତୁ ସେ (ପତ୍ନୀ ଅର୍ଚ୍ଚନା ଦାଶ) ଏଥିରେ ବହୁତ ବାଧା ସୃଷ୍ଟି କରିଛନ୍ତି। ମୁଁ ଦିନର ୧୫/୧୬ ଘଣ୍ଟା ପତ୍ନୀଙ୍କ ପାଇଁ ଦିଏ। କିନ୍ତୁ ଘଣ୍ଟାଏ ସମୟ ମା’ ଓ ଭଉଣୀଙ୍କୁ ଦେଇ ଦେଲେ ବହୁତ ବଡ଼ କ୍ରାଇମ ହୋଇଯାଏ ବୋଲି ସାର୍ଥକ ସୌରଭ ମହାପାତ୍ର କହିଛନ୍ତି। ‘ବାରମ୍ବାର ସେ ଆତ୍ମହତ୍ୟା ଧମକ ଦେଉଥିବା ଯୋଗୁ ମୋ ମନରେ ଡର ପଶିଯାଇଥିଲା’ ସେ କହିଛନ୍ତି, ଆମ ମଧ୍ୟରେ ବହୁତ କିଛି ଝଗଡ଼ା ହୋଇଛି। ଯେତେବେଳେ ବି ଆମ ମଧ୍ୟରେ ଝଗଡ଼ା ହୋଇଛି, ତାହା ଶେଷ ହୋଇଯାଏ ତାଙ୍କର ଆତ୍ମହତ୍ୟା ଧମକରେ। ସେ ଆତ୍ମହତ୍ୟା କରିଦେବେ ବୋଲି କହନ୍ତି। ସେଥିପାଇଁ ସବୁବେଳେ ମୋତେ ମାନସିକ ଚାପ ମଧ୍ୟରେ ରହିବାକୁ ପଡ଼େ। ଅଫିସରୁ ଫେରିଲା ବେଳେ ମନରେ ସବୁବେଳେ ଥାଏ, ଆଜି କିଛି ହୋଇଯିବନି ତ। ଘରକୁ ପହଞ୍ଚିବା ପରେ ମୁଁ କେଉଁଠି ବସିବି (ମା’ ପାଖରେ ନା ସ୍ତ୍ରୀ ସହିତ), ସେ ନିଷ୍ପତ୍ତି ନେବା ମୋ ପାଇଁ କଷ୍ଟକର ହୋଇପଡ଼େ। ବାରମ୍ବାର ସେ ଆତ୍ମହତ୍ୟା ଧମକ ଦେଉଥିବା ଯୋଗୁ ମୋ ମନରେ ଡର ପଶିଯାଇଥିଲା। ମୋ ପାଇଁ ମିଛ ଅଭିଯୋଗ ବିରୋଧରେ ଲଢ଼ିବା ସହଜ, କିନ୍ତୁ ଆତ୍ମହତ୍ୟା ଧମକ ବିରୋଧରେ ଲଢ଼ିବା ଭାରି କଷ୍ଟ। ସବୁ କଲା ପରେ ଜବାବ ମିଳିଲା… ଶ୍ରୀ ମହାପାତ୍ର କହିଛନ୍ତି, ମୁଁ ଭାବିଥିଲି ଛୁଆ ହେବା ପରେ ସବୁ ସାମାନ୍ୟ ହୋଇଯିବ। କିନ୍ତୁ ହସ୍ପିଟାଲରେ (ତାଙ୍କ ପୁଅ ଜନ୍ମ ବେଳେ) ବହୁତ କିଛି ଘଟିଗଲା। ପ୍ରସୂତି ପରେ କିଛି କାମ ଥାଏ, ଯାହା ସାଧାରଣତଃ ମହିଳାମାନେ କରନ୍ତି। କିନ୍ତୁ ସେହି ସବୁ କାମ ମୁଁ କରିଛି। ତା’ ସହିତ ଅନ୍ୟାନ୍ୟ ସବୁ କାମ କରିଛି। ପୁଣି ଘରକୁ ଆସି ମା’ର ଟିକେ ଯତ୍ନ ନିଏ। ତିନି ରାତି ଅନିଦ୍ରା ରହି ମୁଁ ସବୁ କରିଛି। ତାଙ୍କ (ପତ୍ନୀ ଅର୍ଚ୍ଚନା ଦାଶ) ବାପଘର ପଟରୁ କିଛି ସହଯୋଗ ମିଳିନି କହିଲେ ଚଳେ। ଏତେ ସବୁ କଲା ପରେ ମୋତେ ଜବାବ ମିଳିଥିଲେ ଯେ ଆମ ଘରେ ରହି ଖାଇଲେ ବୋଲି ଛୁଆଟା କୁପୋଷଣ ହେଲା। କିନ୍ତୁ ଛୁଆର ଓଜନ ବହୁତ ବଢ଼ିଆ ଥିଲା। ମିସ୍କ୍ୟାରେଜ୍ ନୁହେଁ ଫଲ୍ସ ପ୍ରେଗ୍ନେସୀ ଏହା ପୂର୍ବରୁ ତାଙ୍କର ଏକ ଫଲ୍ସ ପ୍ରେଗ୍ନେସୀ ହୋଇଥିଲା। ସେଇଟାକୁ ସେ (ପତ୍ନୀ ଅର୍ଚ୍ଚନା ଦାଶ) ମିସ୍କ୍ୟାରେଜ୍ ହୋଇଥିଲା ବୋଲି କହୁଛନ୍ତି। କିନ୍ତୁ ମିସ୍ କ୍ୟାରେଜ ନୁହେଁ, ଏକ କେମିକାଲ ପ୍ରେଗ୍ନେନ୍ସୀ ଥିଲା। ଅର୍ଥାତ୍ ୟୁରିନ୍ରେ ପଜିଟିଭ୍ ଦେଖାଏ, କିନ୍ତୁ ବାସ୍ତବରେ ଛୁଆ ରହିନଥାଏ। ସେଥିପାଇଁ ମୁଁ ଅଧିକ ସତର୍କ ଥିଲି। ତେଣୁ କେମିତି ଛୁଆଟା ରହିବ ସେଥିପାଇଁ ଯତ୍ନବାନ ହୋଇଥିଲି। କିନ୍ତୁ ପିଲାଟି ହେଲା ପରେ ମୋତେ ସେ ଶୁଣାଇଥିଲେ ଯେ ଆମ ଘରେ ରହିଲେ ବୋଲି ଛୁଆଟି କୁପୋଷଣର ଶିକାର ହେଲା। ଏସବୁ କଥା ବହୁତ ବାଧେ। ‘ଛୁଆକୁ ମୋ ମା’ ବିପକ୍ଷରେ ଛିଡ଼ା କଲେ’ ହସ୍ପିଟାଲରେ ମୁଁ ତିନି ଦିନ ରହିଥିଲି। ଶେଷ ଦିନ ମୋ ମା’ର ଟିକେ ପାନିକ୍ ଆଟାକ୍ ହୋଇଥିଲା। ତିନି ରାତି ସେ ଘରେ ଏକୁଟିଆ ଥିଲା। ତା’ର ଟିକେ ଲିଭର ସମସ୍ୟା ମଧ୍ୟ ରହିଛି। ତେଣୁ ମୁଁ ଗୋଟେ ଘଣ୍ଟା ପାଇଁ ଘରକୁ ଯିବି ବୋଲି ତାଙ୍କୁ (ପତ୍ନୀଙ୍କୁ) କହିଥିଲି। ନର୍ସମାନଙ୍କୁ ବି କହିଥିଲି। ଘରେ ପହଞ୍ଚି ଦେଖିଲି ମା’ଙ୍କ ବିଶେଷ କିଛି ହୋଇନଥିଲା। ଗ୍ୟାସ୍ ହୋଇଯାଇଥିଲା। ଗ୍ୟାସ୍ ମେଡିସିନ ଖାଇ ଶୋଇପଡ଼ିବାକୁ ତାକୁ କହିଥିଲି। ମୁଁ ମଧ୍ୟ ଟିକେ ଶୋଇଥିଲି। ତା’ଭିତରେ ମୁଁ ଅଧିକ ଘଣ୍ଟେ ଶୋଇପଡ଼ିଥିଲି। ତେଣୁ ୧୨ଟା ବେଳେ ହସ୍ପିଟାଲଙ୍କୁ ଫେରିବାର ଥିବା ବେଳେ ମୁଁ ଗୋଟାଏ ବେଳେ ପହଞ୍ଚିଥିଲି। ମୁଁ ହସ୍ପିଟାଲରେ ପହଞ୍ଚିଲା ବେଳକୁ ପୂରା ଝଡ଼ ସୃଷ୍ଟି ହୋଇଯାଇଛି। ସେ (ପତ୍ନୀ ଅର୍ଚ୍ଚନା ଦାଶ) ଛୁଆକୁ ମୋ ମା’ ବିପକ୍ଷରେ ଛିଡ଼ା କଲେ। ମୋତେ କହିଥିଲେ- ତୁମେ ଛୁଆ ପାଇଁ କରିବ ନା ମା’ ପାଇଁ କରିବ। ଯଦି ପ୍ରଥମ ଦିନରୁ ସେ ଛୁଆକୁ ବ୍ୟବହାର କରିବେ, ତା’ହେଲେ ଭବିଷ୍ୟତରେ କ’ଣ ହେବ ମୁଁ ଜାଣିଲି। ସେହି ରାତିରେ ମୋତେ ଧମକାଇ କହିଥିଲେ- ମୁଁ ଅର୍ଚ୍ଚନା ଦାଶ। ମୁଁ କେଉଁ ଲେବଲକୁ ଯାଇପାରିବି ତୁମେ ଜାଣିନ। କିନ୍ତୁ ମୁଁ ସେସବୁ କଥାକୁ ସହି ଯାଇଥିଲି। ତା’ପର ଦିନ ସକାଳେ ମା’କୁ ହସ୍ପିଟାଲ ନେବାର ଥିଲା। ମୁଁ ତାଙ୍କୁ ନକହି ସେଠାରୁ ପଳାଇବା ପଛରେ ବି କାରଣ ଅଛି। ମୁଁ କାରଣ କହିଥିଲେ, ସେ ମୋତେ କେବେ ବି ଛାଡ଼ି ନଥା’ନ୍ତେ। ଆଉ ହସ୍ପିଟାଲ୍ ଫେରିନିବନି ବୋଲି ମୋର କୌଣସି ଉଦ୍ଦେଶ୍ୟ ନଥିଲା। ମୁଁ ୨ ଘଣ୍ଟା ପରେ ପଳେଇ ଆସିଥା’ନ୍ତି। କିନ୍ତୁ ସେହି ଦୁଇ ଘଣ୍ଟାରେ ସେ ଆମର ସମସ୍ତ ସଂପର୍କୀୟଙ୍କୁ ଫୋନ୍ କରି ପରିସ୍ଥିତିକୁ ପୂରା ଖରାପ କରି ଦେଲେ ବୋଲି କହିଛନ୍ତି ଓଏଏସ୍ ଅଫିସର ଶ୍ରୀ ମହାପାତ୍ର। କାହିଁକି ଛୁଆକୁ ଦେଖି ନାହାନ୍ତି? ସେ କହିଛନ୍ତି, ମୁଁ ମୋ ଛୁଆକୁ ଏଯାବତ ନଦେଖିବା ପଛରେ ରହିଛି ମୋ ଭୟ। ଯଦି ମୁଁ ଅଣଆନୁଷ୍ଠିକ ଭାବେ ଛୁଆକୁ ଦେଖା କରିବାକୁ ଯିବି, ତା’ହେଲେ ସେ ରାଗି ଯାଇ ଅଜବ ବ୍ୟବହାର କରିବେ ଏବଂ ସେଥିଯୋଗୁ କିଛି ଅଘଟଣ ଘଟିଗଲେ ମୁଁ ଫସିଯିବି। ତେଣୁ ମୁଁ ମୋର ସୁରକ୍ଷାକୁ ପ୍ରାଥମିକତା ଦେଇ ଛୁଆକୁ ଦେଖିବାକୁ ଯାଇନି। ମୁଁ କୋର୍ଟଙ୍କ ଆଦେଶକ୍ରମେ ଛୁଆକୁ ଦେଖା କରିବାକୁ ଯିବି। କୋର୍ଟ ଯାହା କହିବେ ମୁଁ ମାନିବି। ମୁଁ ସବୁ ଦାୟିତ୍ୱ ମୁଣ୍ଡାଇବାକୁ ପ୍ରସ୍ତୁତ। ‘ପରକୀୟା ପ୍ରୀତି ପାଇଁ ସାହାସ ନାହିଁ’ ଅର୍ଚ୍ଚନା ଦାଶ ସ୍ୱାମୀଙ୍କ ବିରୋଧରେ ପରକୀୟା ପ୍ରୀତି ନେଇ ଅଭିଯୋଗ କରିଥିଲେ। ଏହାର ଜବାବରେ ଶ୍ରୀ ମହାପାତ୍ର କହିଛନ୍ତି, ଥରେ ଭଲ ପାଇକି ମାରିଟାଲ ଆଫାୟାର୍ସ କ’ଣ ମୁଁ ଦେଖିଦେଲି। ତେଣୁ ଏକ୍ସଟ୍ରା ମାରିଟାଲ ଆଫାୟାର୍ସ ପାଇଁ ମୋର ଆଉ ସାହାସ ନାହିଁ। ସେହିପରି ତାଙ୍କ ମା’ ଓ ଭଉଣୀଙ୍କ ବିରୋଧରେ ତାଙ୍କ ପତ୍ନୀ ଆଣିଥିବା ନିର୍ଯାତନା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ତାହା ମିଛ ବୋଲି ସେ କହିଛନ୍ତି। କାହିଁକି କଲେ ଡିଭୋର୍ସ ଆବେଦନ ଛୁଆ ହେବା ପରେ ଗତ ମେ’ ମାସରେ ଓଏଏସ୍ ଅଫିସର ସାର୍ଥକ ସୌରଭ ମହାପାତ୍ର ଭୁବନେଶ୍ୱରର ଏୟାରଫିଲ୍ଡ ଥାନାରେ ତାଙ୍କ ପତ୍ନୀଙ୍କ ବିରୋଧରେ ଏଫଆଇଆର ଦେଇଥିଲେ। ସେ ତାଙ୍କ ବିରୋଧରେ ନିଷ୍ଠୁର ବ୍ୟବହାର ଅଭିଯୋଗ ଆଣିଥିଲେ। ତେବେ ଏଯାବତ ଉକ୍ତ ମାମଲା ଉପରେ ପୁଲିସ କିଛି ପଦକ୍ଷେପ ନେଇ ନାହିଁ ବୋଲି ଶ୍ରୀମହାପାତ୍ର କହିଛନ୍ତି। ସେହିପରି ସେ ଗତ ମେ’ ମାସରେ ଡିଭୋର୍ସ ବା ବିବାହ ବିଚ୍ଛେଦ ପାଇଁ ଆବେଦନ କରିଛନ୍ତି। ବୈବାହିକ ଜୀବନ ଭଲ ନଥିବା ବେଳେ ପୁଅ ଜନ୍ମ ବେଳେ ହସ୍ପିଟାଲରେ ଘଟିଥିବା ଘଟଣାଗୁଡ଼ିକ ତାଙ୍କୁ ପୂରାପୂରି ଭାଙ୍ଗି ଦେଇଥିଲା ଓ ସେ ଏ ସଂପର୍କକୁ ତୁଟାଇ ଦେବାକୁ ନିଷ୍ପତ୍ତି ନେଇଥିଲେ ବୋଲି କହିଛନ୍ତି ଓଏଏସ୍ ଅଫିସର ସାର୍ଥକ ସୌରଭ ମହାପାତ୍ର। ଡିଭୋର୍ସ ନୋଟିସ୍ ପାଇନି: ଅର୍ଚ୍ଚନା ସାର୍ଥକ ଗଣମାଧ୍ୟମରେ ଏଭଳି ଅଭିଯୋଗ କରିବା ପରେ ଅର୍ଚ୍ଚନା ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ମୁଁ ଡିଭୋର୍ସ ନୋଟିସ୍ ପାଇନି। ମୁଁ ତାଙ୍କ ଘରେ ରହୁଥିଲି, ମୁଁ କେମିତି ନିର୍ଯାତନା ଦେବି। ମୋତେ ଓ ମୋ ଛୁଆକୁ ହସ୍ପିଟାଲରେ ଏକୁଟିଆ ଛାଡ଼ି ସେ ଚାଲିଗଲେ। ହସ୍ପିଟାଲ ପେମେଣ୍ଟ ସେ ଦେଇନାହାନ୍ତି। ମୋ ପାଖରେ ସବୁ ପ୍ରମାଣ ଅଛି। ମୁଁ ଶାଶୂଙ୍କ ସେବା କରିଛି। ବୋହୂର ସବୁ କର୍ତ୍ତବ୍ୟ ମୁଁ କରିଛି। ମୁଁ ସମାଧାନ ଚାହୁଁଛି। ଗତ ୯୦ ଦିନ ଧରି ସବୁ ଚେଷ୍ଟା କଲି। ଶେଷରେ ଅନ୍ୟ ଉପାୟ ନ ପାଇ ମୁଁ ଥାନାକୁ ଗଲି। ବୁଧବାର କ’ଣ ସବୁ ଅଭିଯୋଗ କରିଥିଲେ ଅର୍ଚ୍ଚନା ଓ ତାଙ୍କ ଓକିଲ ବୁଧବାର ରାତିରେ ସ୍ୱାମୀ ସାର୍ଥକ ସୌରଭ ମହାପାତ୍ରଙ୍କ ନାଁରେ ଏଫଆଇଆର ଦେବା ପରେ ଅର୍ଚ୍ଚନା ଦାଶ ଗଣମାଧ୍ୟମକୁ କହିଥିଲେ, ଗତ ମେ’ ୭ ତାରିଖରେ ମୋ ପୁଅ ଜନ୍ମ ହୋଇଥିଲା। ମେ’ ୧୦ ତାରିଖ ଯାଏ ମୋ ସ୍ୱାମୀ ହସ୍ପିଟାଲରେ ଥିଲେ। ମେ’ ୧୦ ତାରିଖ ସକାଳୁ ସେ ମୋତେ ଓ ମୋ ପୁଅକୁ ହସ୍ପିଟାଲରେ ଛାଡ଼ି ପଳାଇଥିଲେ। ଔଷଧ ପ୍ରଭାବରେ ମୁଁ ଶୋଇଥିବା ବେଳେ ସେ ମୋତେ କିଛି ନଜଣାଇ ପଳାଇଥିଲେ। ପରେ ମୁଁ ତାଙ୍କୁ ଯୋଗାଯୋଗ କରିବାକୁ ବହୁତ ଚେଷ୍ଟା କରିଥିଲି। ହସ୍ପିଟାଲ କର୍ତ୍ତୃପକ୍ଷ ମଧ୍ୟ ତାଙ୍କ ସହିତ ଯୋଗାଯୋଗ କରିବାକୁ ପ୍ରୟାସ କରିଥିଲେ। କିନ୍ତୁ ତାଙ୍କ ପଟରୁ କିଛି ପ୍ରତିକ୍ରିୟା ଆସି ନଥିଲା। ସେ କାହିଁକି ଆମକୁ ଛାଡ଼ିକି ଗଲେ, ତା’ର ନା କିଛି କାରଣ ଅଛି ନା ସେ ଭେଟି ଏ ବିଷୟରେ ଆଲୋଚନା କରିବାକୁ ଚାହୁଁଛନ୍ତି। ଏମିତିକି କେଉଁଭଳି ପରିସ୍ଥିତିରେ ମୁଁ ହସ୍ପିଟାଲରୁ ଡିସ୍ଚାର୍ଜ ହେଲି ତାହା ସେ ଜାଣିବାକୁ ଚାହିଁ ନାହାନ୍ତି କି ଛୁଆ କେମିତି ଅଛି, ତାହା ଜାଣିବାକୁ ଚାହିଁ ନାହାନ୍ତି। ଯେହେତୁ ମୋତେ ମାନସିକ ସ୍ତରରେ ନିର୍ଯାତନା ଦିଆଯାଇଛି ଓ ମୋ ଛୁଆ ପ୍ରତି ଅମାନବିକତା ପ୍ରଦର୍ଶନ ହୋଇଛି, ସେଥିପାଇଁ ମୁଁ ଥାନାରେ ଅଭିଯୋଗ କରିଛି। ସହକାରୀ ନିର୍ବାହୀ ଯନ୍ତ୍ରୀ ଅର୍ଚ୍ଚନା ଦାଶଙ୍କ ଓକିଲ କହିଥିଲେ, ସିଜରିଆନ ହୋଇଥିବା ପତ୍ନୀ (ଅର୍ଚ୍ଚନା ଦାଶ) ଓ ନବଜାତ ଛୁଆକୁ ହସ୍ପିଟାଲ ବେଡ୍ରେ ଛାଡ଼ି ସେ (ଓଏଏସ୍ ଅଫିସର ଶ୍ରୀ ମହାପାତ୍ର) ପଳାଇଥିଲେ। ସେତେବେଳେ ତାଙ୍କ ପତ୍ନୀ ଓ ଛୁଆଙ୍କ ସହିତ ଆଉ କେହି ଉପସ୍ଥିତ ନଥିଲେ। ରାସ୍ତାରେ ଛୋଟ ଦୁର୍ଘଟଣାଟିଏ ହେଲେ ମଧ୍ୟ ଲୋକେ ଆହତଙ୍କୁ ହସ୍ପିଟାଲ ନେଇ ତାଙ୍କର କେହି ସଂପର୍କୀୟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରୁଛନ୍ତି। ସେତିକି ମାନବିକତା ଆମ ସମସ୍ତଙ୍କ ମଧ୍ୟରେ ଅଛି। କିନ୍ତୁ ସେ ଦୁଇ ଦିନର ନବଜାତ ପୁଅକୁ ହସ୍ପିଟାଲ ବେଡ୍ରେ ଛାଡ଼ି ପଳାଇଥିଲେ। କୌଣସି କାରଣ ନଥାଇ ସେ ଏଭଳି କରିଥିଲେ। ତାଙ୍କ ପତ୍ନୀ ତାଙ୍କୁ ଯୋଗାଯୋଗ କରିବାକୁ ବହୁ ପ୍ରୟାସ କରି ବିଫଳ ହୋଇଥିଲେ। ୧୫/୨୦ ଦିନ ପର୍ଯ୍ୟନ୍ତ ତାଙ୍କ ସହିତ ଆଦୌ ଯୋଗାଯୋଗ ହୋଇପାରି ନଥିଲା। ଅର୍ଚ୍ଚନା ଦାଶ ଡାକ୍ତରଖାନାରୁ ଡିସ୍ଚାର୍ଜ ବି ହୋଇପାରୁ ନଥିଲେ। ତାଙ୍କ ବାପାମା’ ଆସି ତାଙ୍କୁ ଡିସ୍ଚାର୍ଜ କରି ନେଇଥିଲେ। ତା’ପରେ ବି ଅର୍ଚ୍ଚନା ଦାଶ ତାଙ୍କ ସ୍ୱାମୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। କାଳେ ଶାଶୁଙ୍କ ଦେହ ଖରାପ ହୋଇଥିବ, ଏମିତି ସବୁ ଭାବି ସେ ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ କିଛି ଲାଭ ମିଳି ନଥିଲା। ପରବର୍ତ୍ତୀ ସମୟରେ ଜଣାପଡ଼ିଲା ଯେ ସେ ତାଙ୍କ ପତ୍ନୀ ଅର୍ଚ୍ଚନା ଦାଶଙ୍କ ସହିତ ରହିବାକୁ ଚାହୁଁ ନାହାନ୍ତି କି ଆଲୋଚନା କରିବାକୁ ବି ଚାହୁଁ ନାହାନ୍ତି। ବାହାଘର ପରଠୁ ଅର୍ଚ୍ଚନା ଦାଶଙ୍କୁ ବହୁ ମାନସିକ ନିର୍ଯାତନା ଦିଆଯାଉଥିଲା। କିନ୍ତୁ ଅର୍ଚ୍ଚନା ଭାବିଥିଲେ ଛୁଆପିଲା ହେଲା ପରେ ସବୁ ଠିକ୍ ହୋଇଯିବ। କିନ୍ତୁ ଛୁଆ ହେବାର ୨ ଦିନ ପରେ ତାଙ୍କୁ ହସ୍ପିଟାଲରେ ଛାଡ଼ି ପଳାଇଥିଲେ ତାଙ୍କ ଓଏଏସ୍ ସ୍ୱାମୀ। ସେ ବହୁତ ଘୃଣ୍ୟ କାମ କରିଛନ୍ତି। ଅର୍ଚ୍ଚନାଙ୍କ ଓକିଲଙ୍କ ସୂଚନା ଅନୁଯାୟୀ, ଆପୋଷ ଆଲୋଚନା ପାଇଁ ଗତ ଅଢ଼େଇ ମାସ ମଧ୍ୟରେ ଥରେ ଆସିଥିଲେ ଓଏଏସ୍ ଅଫିସର ସାର୍ଥକ ସୌରଭ ମହାପାତ୍ର। କିନ୍ତୁ ସେତେବେଳେ ମଧ୍ୟ ସେ ତାଙ୍କ ପତ୍ନୀ ଅର୍ଚ୍ଚନା ଦାଶଙ୍କୁ ଦୁର୍ବ୍ୟବହାର କରିଥିଲେ। ଯେତେବେଳେ ସ୍ୱାମୀ-ସ୍ତ୍ରୀଙ୍କୁ ଏକୁଟିଆ ଛଡ଼ା ହୋଇଥିଲା କଥାବାର୍ତ୍ତା ହେବାକୁ, ସେତେବେଳେ ସେ ଅର୍ଚ୍ଚନାଙ୍କୁ ଖରାପ ବ୍ୟବହାର କରିଥିଲେ। ସେ ସବୁ କଥାରେ ଛାଡ଼ପତ୍ର ଦେବାକୁ ଧମକ ଦେଇଥିଲେ। ଅର୍ଚ୍ଚନା ଓକିଲ ଆହୁରି କହିଥିଲେ ଯେ ଶ୍ରୀ ମହାପାତ୍ର ଜଣେ ପବ୍ଲିକ୍ ସର୍ଭେଣ୍ଟ। ଜନସାଧାରଣଙ୍କ ପ୍ରତି ତାଙ୍କର ବିଶେଷ ଦାୟିତ୍ୱ ରହିଛି। ବ୍ୟକ୍ତିଗତ ଜୀବନରେ ତାଙ୍କ ବ୍ୟବହାର ଅତି ଅମାନବୀୟ। ସେ ତାଙ୍କ ପୁଅର ମୁହଁ ବି ଦେଖିବାକୁ ଚାହୁଁ ନାହାନ୍ତି। ଯଦି ଏହା ପଛରେ କାରଣ ସେ ନକହିବେ, ତା’ହେଲେ ଏହାର ସମାଧାନ କେମିତି ହୋଇପାରିବ। ସେଥିପାଇଁ ଆମେ ଏଫଆଇଆର ଦେଇଛୁ। ଆମେ ଚାହୁଁଛୁ ଏହି ଘଟଣାର ଏକ ନିରପେକ୍ଷ ତଦନ୍ତ ହେଉ। ଅର୍ଚ୍ଚନା ଦାଶଙ୍କୁ ନ୍ୟାୟ ମିଳୁ। ଯଦିଓ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ କିଛି ଘଟିଛି, କିନ୍ତୁ ସେ ଛୁଆଟା କ’ଣ ଭୁଲ କରିଥିଲା? ଶ୍ରୀ ମହାପାତ୍ରଙ୍କ ମା’ ଓ ଭଉଣୀଙ୍କ ନାଁରେ ମଧ୍ୟ ଏତଲା ଦିଆଯାଇଛି। ଏହି ଘଟଣା ପଛରେ ସେମାନେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ବୋଲି ଅର୍ଚ୍ଚନା ଦାଶଙ୍କ ଓକିଲ ଅଭିଯୋଗ କରିଛନ୍ତି। crime news odishaswadhikarswadhikar news Share