Odia News Portal

ଆଜିଠୁ ଶୀତ ଅଧିବେଶନ

ଆଜିଠାରୁ ଆରମ୍ଭ ହେଉଛି ବିଧାନସଭାର ଶୀତ ଅଧିବେଶନ । ସରଗରମ ହେବ ଗୃହ । ଅର୍ଚ୍ଚନା ଇସ୍ୟୁରେ କମ୍ପିବ । ବିରୋଧୀଙ୍କ ପାଖରେ ପ୍ରସଙ୍ଗ ଅନେକ । ସରକାରୀ ଦଳକୁ ଘେରିବାକୁ ବିରୋଧୀ ବିଜେପି ଓ କଂଗ୍ରେସ ତୟାର କରିଛନ୍ତି ରଣନୀତି । ଅର୍ଚ୍ଚନା ନାଗ ସାଙ୍ଗକୁ ଚାଷୀ ପ୍ରସଙ୍ଗ ବିରୋଧୀଙ୍କ ମୁଖ୍ୟ ଇସ୍ୟୁ । ବିଜେପି ଓ କଂଗ୍ରେସର ବିଧାୟକ ଦଳ ବୈଠକରେ ଗୁରୁମନ୍ତ୍ର ଦେଇଛନ୍ତି ଦୁଇଦଳର ମଙ୍ଗୁଆଳ । ବିଶେଷକରି ଅର୍ଚ୍ଚନା ନାଗଫାଶ ଘଟଣାରେ ନେତାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଆସୁଛି । ସେପଟେ ଇଡିି ବି ତଦନ୍ତ ଆରମ୍ଭ କରିଛି । ଏଭଳି ସ୍ଥିତିରେ ପୁଲିସ୍ ତଦନ୍ତରେ ଶିଥିଳତାକୁ ନେଇ ସରକାରଙ୍କୁ ଅକଳରେ ପକାଇବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀଦଳ । ସେପଟେ ଚାଷୀ ବହୁଳ ପଦ୍ମପୁରରେ ଉପନିର୍ବାଚନ ଥିବାରୁ ବୀମା, ଇନ୍‌ପୁଟ୍ ସବସିଡିକୁ ବି ମୁଖ୍ୟଅସ୍ତ୍ର କରିବ ବିଜେପି । କଂଗ୍ରେସ, ଚାଷୀ ଓ ନାଗଫାଶ ସମେତ ଆଇନଶୃଙ୍ଖଳା ଓ ଦରଦାମ ବୃଦ୍ଧି ପ୍ରସଙ୍ଗ ବି ଗୃହରେ ଉଠାଇବ । ରାଜ୍ୟର ପ୍ରମୁଖ ପ୍ରସଙ୍ଗ ଏବଂ ସାଂପ୍ରତିକ ପରିସ୍ଥିତିକୁ ନେଇ ବିଜେପି ଆଲୋଚନା କରିବ ବୋଲି କହିଛି । ବିଶେଷ ଭାବେ ରାଜ୍ୟରେ କୃଷି ଏବଂ କୃଷକ ଯନ୍ତ୍ରଣା, ଅର୍ଚ୍ଚନା ନାଗ ଓ ଆର୍ôଥକ ଅପରାଧ, ଦାଦନ ଶ୍ରମିକ ସମସ୍ୟା, ଠିକା ନିଯୁକ୍ତି କର୍ମଚାରୀଙ୍କ ଦୁଃଖ, ମନରେଗା ଦୁର୍ନୀତି, ଅସୁରକ୍ଷିତ ମହିଳା ଓ ଶିଶୁ, ଆଦି ପ୍ରସଙ୍ଗ ଉଠାଇବାକୁ ନିଷ୍ପତ୍ତି ନେଇଛି ଦଳ । ଏହି ସୂଚନା ଦେଇଛନ୍ତି ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ । ବୁଧବାର ଅନୁଷ୍ଠିତ ହୋଇଥିବା ବିଧାୟକ ଦଳ ବୈଠକରେ ରାଜ୍ୟବାସୀଙ୍କ ସ୍ୱାର୍ଥ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଜନବିରୋଧୀ କାର୍ଯ୍ୟ ବିରୁଦ୍ଧରେ ସରକାରଙ୍କୁ ଘେରିବା ଉପରେ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ସମସ୍ତ ବିଧାୟକମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଥିବା ଜଣାଯାଇଛି । ଅର୍ଚ୍ଚନା ନାଗ ମାମଲାରେ ବଡ଼ବଡ଼ିଆ ନେତା, ଅଧିକାରୀ ଓ ପୁଲିସ ଇତ୍ୟାଦି ପ୍ରସଙ୍ଗ ଉପରେ ପ୍ରଶ୍ନ କରିବ ବିଜେପି । ସବୁଠୁ ବଡ ପ୍ରସଙ୍ଗ ହେଲା ରାଜ୍ୟରେ ଠିକା ନିଯୁକ୍ତି ପ୍ରସଙ୍ଗ । ରାଜ୍ୟ ସରକାର ଚଳିତ ବର୍ଷ ୨ଲକ୍ଷ କୋଟି ଟଙ୍କାର ବଜେଟ୍ କରିଥିଲେ ବି ଏଯର୍ଯ୍ୟନ୍ତ ୪୫% ଟଙ୍କା ଖର୍ଚ୍ଚ ହୋଇନାହିଁ । କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଓଡ଼ିଶାକୁ ଦେଉଛନ୍ତି କିନ୍ତୁ ରାଜ୍ୟ ସରକାର ତାହା ଖର୍ଚ୍ଚ କରିବାରେ ଅସମର୍ଥ । ଓଡ଼ିଶାବାସୀଙ୍କ ମୌଳିକ ସମସ୍ୟାର ସମାଧାନକୁ ଆଧାର କରି ଚଳିତ ବିଧାନସଭା ଅଧିବେଶନରେ ବିଜେପି ତରଫରୁ ରାଜ୍ୟ ସରକାରଙ୍କଠାରୁ ଜବାବ୍ ମଗାଯିବ ବୋଲି ଶ୍ରୀ ମାଝୀ କହିଛନ୍ତି ।