Odia News Portal

ବିନା ଭକ୍ତରେ ହେଲା ରୁକୁଣା ରଥଯାତ୍ରା

ଭୁବନେଶ୍ୱର :  ପବିତ୍ର ଅଶୋକାଷ୍ଟମୀ ଅବସରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ଆରମ୍ଭ ହୋଇଛି । ପ୍ରଭୁ ଶ୍ରୀଲିଙ୍ଗରାଜ ଯାତ୍ରା ଆରମ୍ଭ କରି ଗୋଷଗୋରେଶ୍ୱର ଛକରେ ଅଟକିଛନ୍ତି । ଆଜି ପୁଣି ଥରେ ରଥ ଟଣାଯିବ । ରଥରେ ପ୍ରଭୁ ଲିଙ୍ଗରାଜ, ଦେବୀ ରୁକ୍ମିଣୀ ଓ ପ୍ରଭୁ ବାସୁଦେବ(ଦୋଳଗୋବିନ୍ଦ) ବିରାଜମାନ କରିଛନ୍ତି । ରୁକୁଣା ରଥକୁ ସାଧାରଣ ଭକ୍ତମାନେ ଘର ଛାତ ଓ ବାଲକୋନିରେ ଥାଇ ଦେଖୁଥିବା ବେଳେ ସେବାୟତ ଓ କର୍ମଚାରୀମାନେ ରଥ ଟାଣିଥିଲେ ।
 କୋଭିଡ-୧୯ କଟକଣା ଯୋଗୁଁ ଚଳିତ ଥର ମଧ୍ୟ ବିନା ଭକ୍ତରେ ରୁକୁଣା ରଥଯାତ୍ରା ଆୟୋଜନ ହୋଇଛି । କୋଭିଡ୍ ନେଗେଟିଭ୍  ଆସିଥିବା ସେବାୟତଙ୍କୁ ଏଥିରେ ସାମିଲ ହେବାକୁ ଅନୁମତି ମିଳିଛି । ସମ୍ପୃକ୍ତ ଅଂଚଳରେ ୧୪୪ ଧାରା ଜାରି କରାଯାଇଛି ।
ଏହି ରଥର ବିଶେଷତ୍ୱ ହେଉଛି ଏହା ଅଣଲେଉଟା । ଯେଉଁଭଳି ଭାବେ ରଥଟି ରାମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାଇଥାଏ ଠିକ୍ ସେହିଭଳି ପୁନର୍ବାର ପଛକୁ ଫେରିଥାଏ । ବିନା ମୋଡ଼ରେ ରଥ ଫେରିଥାଏ । ବିଧି ଅନୁସାରେ ରଥର ପଛ ପଟେ ଦ୍ୱାର ଖୋଲାଯାଏ ଓ ଅଶ୍ୱଙ୍କୁ ଆଗରୁ ଖୋଲି ଆଣି ନୂଆ ଦ୍ୱାରରେ ଯୋଚାଯାଏ ।