Odia News Portal

ଚିନ୍ତା ବଢ଼ାଇଲା XE ଭାରିଆଣ୍ଟ

ଓମିକ୍ରନର ସବ୍ ଭାରିଆଣ୍ଟ XEର ଦ୍ୱିତୀୟ ମାମଲା ମୁମ୍ବାଇରେ ଚିହ୍ନଟ ହୋଇଛି । ବିଏମସି ଏନେଇ ସୂଚନା ଦେଇଛି । ମୁମ୍ବାଇର ଶାନ୍ତାକ୍ରୁଜରେ ୬୭ ବର୍ଷୀୟ ବ୍ୟକ୍ତି XE ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି । କୁହାଯାଉଛି ବ୍ୟକ୍ତି ଜଣଙ୍କ ମାର୍ଚ୍ଚ ୧୧ରେ କାମ ପାଇଁ ବଡ଼ଦୋରା ଯାଇଥିଲେ । ଯେଉଁଠି ଏକ ବୈଠକରେ ସାମିଲ୍ ପରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲା । ଆଉ କୋଭିଡ୍ ଟେଷ୍ଟ ପରେ ସେ ପଜିଟିଭ୍ ଚିହ୍ନଟ ହୋଇଥିଲେ ।

ବ୍ୟକ୍ତି ଜଣଙ୍କ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ତାଙ୍କ ଠାରେ କରୋନାର କୌଣସି ଲକ୍ଷଣ ନାହିଁ । ସେ ମୁମ୍ବାଇ ଫେରି ଆସିଥିଲେ । ଆଉ ତାଙ୍କ ନମୁନା ଜିନୋମ ସିକ୍ୱେନ୍ସିଂ ପରେ ରିପୋର୍ଟ XE ଭାରିଆଣ୍ଟ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ବ୍ୟକ୍ତି ଜଣଙ୍କ କୋଭିଡ୍ ଟିକାର ୨ଟି ଯାକ ଡୋଜ୍ ନେଇଛନ୍ତି । ଏବେ ବ୍ୟକ୍ତି ଜଣଙ୍କ ଅବସ୍ଥା ସ୍ଥିର ରହିଛି ।

୩ ଦିନ ତଳେ ମୁମ୍ବାଇର ଜଣେ ମହିଳା XE ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା କୁହାଯାଇଥିଲା । ସୂଚନା ଅନୁସାରେ ମହିଳା ଜଣଙ୍କ ଗତ ଫେବ୍ରୁଆରୀ ୧୦ରେ ଦକ୍ଷିଣ ଆଫ୍ରିକାରୁ ଫେରିଛନ୍ତି । ଦକ୍ଷିଣ ଆଫ୍ରିକା ଛଡ଼ା ତାଙ୍କର ଅନ୍ୟ କୌଣସି ଗସ୍ତ ବିବରଣୀ ନାହିଁ । ବିଦେଶରୁ ଫେରିବା ପରେ ତାଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା । ପ୍ରଥମେ ରିପୋର୍ଟ ନେଗେଟିଭ୍ ଆସିଥିଲା । ପୁଣି ଥରେ ୨ ମାର୍ଚ୍ଚରେ କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଲା । ତାଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇ ୩ ତାରିଖରେ ପୁଣି ଟେଷ୍ଟ କରିବାରୁ ରିପୋର୍ଟ ନେଗେଟିଭ୍ ଆସିଥିଲା ।