Odia News Portal

ବର୍ଷିଲେ ସୁନନ୍ଦା, କହିଲେ – ଯାଜପୁରରେ ଏବେବି ବବିଙ୍କ ରାଜ

ବିଜେଡିରେ ଅଫିସର ଟିକେଟ ବାଣ୍ଟୁଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏଥିରେ ମୋହର ମାରିଛନ୍ତି ପୂର୍ବତନ ବରୀ ବିଧାୟିକା ସୁନନ୍ଦା ଦାସ । ଏଥିସହ ପାଣ୍ଡିଆନ ନବୀନ ନିବାସରୁ ଦଳର କଥା ବୁଝୁଥିବା ବେଳେ ଯାଜପୁରରେ କେବଳ ବବିଙ୍କ ରାଜ ଚାଲିଥିବା ନେଇ ବି କହିଛନ୍ତି ସୁନନ୍ଦ। ଗତକାଲି ଦଳ ଛାଡ଼ିବା ପରେ ଗଣମାଧ୍ୟମ ସମ୍ମୁଖରେ ଏପରି ବହୁ ବିସ୍ଫୋରକ ବୟାନ ଦେଇଛନ୍ତି ସୁନନ୍ଦା ।

 ସୁନନ୍ଦା କହିଛନ୍ତି, ‘ଗତ ୫ ବର୍ଷରେ ଦଳ ପାଇଁ ବହୁତ କାମ କରିଛି। ଦଳର ସ୍ଥିତିକୁ ବି ମଜଭୁତ କରିଛି। ମାତ୍ର ଶେଷରେ ମୋ’ ଟିକେଟ କାଟିଦେଲେ । ୫ ମାସ ହେଲା ଦଳର କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମୋତେ ଡାକିନେଲି। ମୋତେ ଅଣଦେଖା କଲେ, ତେଣୁ ବାଧ୍ୟ ହୋଇ ଦଳ ଛାଡ଼ିଲି। ’ ଗତକାଲି ବିଜେଡି ଛାଡ଼ିବା ପରେ ଆଜି ବର୍ଷିଛନ୍ତି ପୂର୍ବତନ ବରୀ ବିଧାୟିକା ସୁନନ୍ଦା ଦାସ । 

ସୁନନ୍ଦା କହିଛନ୍ତି, ବିଜେଡିରେ ଅଫିସର ଟିକେଟ ବାଣ୍ଟୁଥିଲେ । ଏଥିସହ ବବି ଦାସଙ୍କ ଉପରେ ବର୍ଷି ଟିକେଟ ଦେବାର ପ୍ରତିଶ୍ରୁତି ଦେଇ ଶେଷ ସମୟରେ କାଟି ଦେଇଥିବା ଅଭିଯୋଗ ଆଣିଛନ୍ତି। ତେଣୁ ପ୍ରଭୁ ଜଗନ୍ନାଥ ଯାହା ବିଚାର କରିଛନ୍ତି ମୁଁ ଖୁସି ଅଛି ଓ ତାଙ୍କୁ ଧନ୍ୟବାଦ ଜଣାଇଛି ବୋଲି କହିଛନ୍ତି ସୁନନ୍ଦା ।

ବିଜେଡିରେ ଅଫିସରମାନେ ଟିକେଟ ବାଣ୍ଟୁଥିବା ନେଇ ପୂର୍ବରୁ ଚର୍ଚ୍ଚା ହେଉଥିବା ବେଳେ ଏହାର ଗୁମର ଖୋଲିଛନ୍ତି ସୁନନ୍ଦା। ଡିଏସ୍ କୁଟ୍ଟେ ଓ ଆଶିଷ ସିଂହଙ୍କ ନାଁ ନେଇ ଟିକେଟ ପାଇଁ ଏହି ୨ ଅଧିକାରୀଙ୍କୁ ଦେଖା କରିବାକୁ କୁହାଯାଇଥିଲା ବୋଲି କହିଛନ୍ତି। ମୁଁ ମଧ୍ୟ ଟିକେଟ ବଣ୍ଟନର ମାସେ ପୂର୍ବରୁ ସେମାନଙ୍କୁ ଦେଖା କରିଥିବା ବେଳେ  ଟିକେଟ ମିଳିବ ବୋଲି ସେମାନେ କହିଥିଲେ। ଯେଉଁଦିନ ଟିକେଟ ବଣ୍ଟା ହେଲା, ରାତିରେ ମୋତେ ଡାକି ବେଷ୍ଟ ଅଫ୍‌ ଲକ୍‌ ବୋଲି କହିଥିଲେ । ମାତ୍ର ସକାଳେ ଟିକେଟରେ ମୋ’ ନାଁ ନ ଥିଲା ବୋଲି କ୍ଷୋଭର ସହ କହିଛନ୍ତି ସୁନନ୍ଦା ।

ଏଥିସହ ତତକାଳୀନ ବିଜେଡି ସାଂଗଠନିକ ସମ୍ପାଦକ ବବି ଦାସଙ୍କ ଉପରେ ସେ ପ୍ରବଳ ବର୍ଷିଛନ୍ତି । ବବି କହୁଥିଲେ, ମୁଁ ହିଁ ଟିକେଟ ଦେବା ଲୋକେ ଓ ମୁଁ ହିଁ ଟିକେଟ କାଟିବା ଲୋକ । ହେଲେ ମୁଁ ଅଶୋକ ଦାସଙ୍କ ପୁଅ, ପଛରୁ ଛୁରି ଭୁସିବି ନାହିଁ। ତେଣୁ ମୋର ଟିକେଟ ମିଳିବା ନେଇ ତାଙ୍କ ଉପରେ ପୂର୍ଣ୍ଣ ଭରସା ଥିଲା । ହେଲେ ଶେଷ ମୁହୂର୍ତ୍ତରେ ସେ ଟିକେଟ କାଟିଦେଇଥିବା ଅଭିଯୋଗ ଆଣିଛନ୍ତି ସୁନନ୍ଦା।

ସେ କହିଛନ୍ତି, ଟିକେଟ କଟିବା ପରେ ପାଣ୍ଡିଆନ ନବୀନ ନିବାସ ଡାକିଥିବା ବେଳେ ସେଠାକୁ ଯାଇଥିଲି । ସେ ଯାଜପୁର ବ୍ୟାପାରରେ ମୁଣ୍ଡ ପୂରାଇଲିନି ବୋଲି ଟିକେଟ କଟିଲା ବୋଲି ସେ କହିଥିଲେ । ଏହାପରେ କଣ୍ଟାବାଞ୍ଜିରେ ପ୍ରଚାର କରିବାକୁ ପଠାଇଥିଲେ। ତେବେ ମନମୁଖୀ ଶାସନ ଓ ମନଇଚ୍ଛା ଟିକେଟ କାଟିବାରୁ ଦଳ ହାରିଲା ବୋଲି କହିଛନ୍ତି ସୁନନ୍ଦା ।

ଏଥିସହ ସେ କହିଛନ୍ତି, ବରୀରେ ମୋ’ ସହ ଲଢ଼ୁଥିବା ବିଜେପିର ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ଦଳରେ ମିଶାଇଲେ। ଏହାପରେ ସବୁଥିରେ ତାଙ୍କୁ ଅଗ୍ରାଧିକାର ଦିଅଯାଉଥିଲା। ମୁଁ ବିଧାୟିକା ହୋଇଥିବା ବେଳେ ସବୁ ପ୍ରୋଜେକ୍ଟରେ ତାଙ୍କୁ ଭାଗ ମିଳୁଥିଲା । ସଙ୍ଗଠନ ସମ୍ପାଦକଙ୍କ ଇସାରାରେ ସବୁ ହେଉଥିଲା। ମୋତେ ବହୁ ମାନସିକ ଦୁଶ୍ଚିନ୍ତା ଦେଉଥିବା ବେଳେ ଶେଷରେ ମୋ’ ଟିକେଟ କାଟିଦେଲେ। ତେଣୁ ପ୍ରଭୁ ଜଗନ୍ନାଥ ବିଚାର କରି ଯାହା କରିଛନ୍ତି ଖୁସି ଅଛି ବୋଲି ସେ କହିଛନ୍ତି। 

ଏହାପରେ ପୁଣି କେଉଁ ଦଳକୁ ଯିବେ ବୋଲି ପଚାରିବାରୁ ଆଗାମୀ ଦିନରେ ନିଷ୍ପତ୍ତି ନେବି ବୋଲି କହିଛନ୍ତି ସୁନନ୍ଦ।