Odia News Portal

ବିବାଦର ହଉନି ଅନ୍ତ ଶାଶୁଘରେ ଆଗରେ ରୋଷେଇ କଲେ ତପସ୍ୱିନୀ

ବ୍ରହ୍ମପୁର: ଶାଶୂଘର ଆଗରେ ଜାରି ରହିଛି ତପସ୍ୱିନୀଙ୍କ ପ୍ରତିବାଦ। ଶୀତ କାକରରେ ଘର ଆଗରେ ଧାରଣା ଦେବା ସହ ସେଇଠି ରାତିରେ ରହୁଛନ୍ତି ତପସ୍ୱିନୀ। ଆଜିଠାରୁ ଶାଶୁ ଘର ଆଗରେ ରୋଷେଇ ଆରମ୍ଭ କରିଛନ୍ତି। ତେବେ ସ୍ୱାମୀ ସୁମିତ କେଉଁଠି ଅଛନ୍ତି ସେ ନେଇ ପ୍ରଶ୍ନ ଉଠାଇଛନ୍ତି ତପସ୍ୱିନୀ।

ତପସ୍ୱିନୀଙ୍କୁ ଭଡ଼ାଘରେ ରଖିବା ସହ ଖାଇବା ପିଇବାର ସମସ୍ତ ବ୍ୟବସ୍ଥା କରିବାକୁ କୋର୍ଟ କହିଥିଲେ ବି କୌଣସି ବ୍ୟବସ୍ଥା କରିନାହାଁନ୍ତି ସୁମିତ। ସ୍ୱାସ୍ଥ୍ୟ ଖରାପ ଥିବା ଦର୍ଶାଇ ଛୁଟିରେ ଅଛନ୍ତି। ତପସ୍ୱିନୀଙ୍କ ପାଇଁ ରହିବା, ଖାଇବାର କୌଣସି ବ୍ୟବସ୍ଥା କରି ନାହାନ୍ତି। ଆସନ୍ତାକାଲି କୋର୍ଟରେ ମାମଲାର ଶୁଣାଣି ହେବାର ଅଛି।କୋର୍ଟଙ୍କ ନିର୍ଦ୍ଦେଶକୁ ମାନିନଥିବା ଅଭିଯୋଗ ଆଣି ସାନି ପିଟିସନ ଦାଖଲ କରିଛନ୍ତି ତପସ୍ୱିନୀ।
ବ୍ରହ୍ମପୁରରେ ପୁଣି ତପସ୍ୱିନୀ ଶାଶୂଘର ଆଗରେ ଧାରଣାରେ ବସିଛନ୍ତି। ତାଙ୍କ ସହ ସମାଜସେବୀ ପ୍ରମିଳା ତ୍ରିପାଠୀ ବି ଅଛନ୍ତି। ନ୍ୟାୟ ନ ମିଳିବା ଯାଏଁ ଧାରଣା ଜାରି ରହିବା ବୋଲି କହିଛନ୍ତି ତପସ୍ୱିନୀ। ଗତମାସରେ ଶାଶୂଘର ଆଗରେ ଧାରଣାରେ ବସିଥିଲେ ତପସ୍ୱିନୀ। ତପସ୍ୱିନୀ ଅଭିଯୋଗ କରିଛନ୍ତି ଯେ ସ୍ୱାମୀ ଡାକ୍ତର ସୁମିତ ଦେହ ଖରାପ ବୋଲି ମିଛ କହୁଛନ୍ତି। ସ୍କୁଟି ଧରି ସାହିରେ ବୁଲୁଛନ୍ତି ବୋଲି ବି କହିଛନ୍ତି ତପସ୍ୱିନୀ।
ସୂଚନାଯୋଗ୍ୟ, ଗତ ୯ତାରିଖରେ ବ୍ରହ୍ମପୁର ଏସ୍ଡିଜେଏମ୍ ତପସ୍ବିନୀଙ୍କ ପିଟିସନ୍ ଉପରେ ଶୁଣାଣି କରି ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ ଏକାଠି ଭଡ଼ାଘରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ୧୦ତାରିଖ ସକାଳୁ ଡା. ସୁମିତ ବାଲିସିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୫ଦିନର ଛୁଟି ଆବେଦନ କରି କୁଆଡ଼େ ଚାଲି ଯାଇଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ସାମ୍ନାକୁ ଆସୁ ନଥିବା ପତ୍ନୀ ତପସ୍ବିନୀ ଅଭିଯୋଗ କରିଛନ୍ତି। ସେ ପ୍ରଥମ ପର୍ୟ୍ୟାୟରେ ୫ଦିନ ଛୁଟି ନେଇଥିବା ବେଳେ ଦ୍ବିତୀୟ ପର୍ୟ୍ୟାୟରେ ୮ଦିନ ଛୁଟି ନେଇଛନ୍ତି। ସୁମିତ ଫେରୁ ନଥିବାରୁ ବାଧ୍ୟ ହୋଇ ଗତକାଲି ତପସ୍ବିନୀ ଆସିକା ଚିନିକଳ ଆଇବି ଛାଡ଼ିଥିଲେ। ସେ ତାଙ୍କର ଜିନିଷପତ୍ର ଧରି ବ୍ରହ୍ମପୁର ଫେରି ବ୍ରହ୍ମାନଗର ସ୍ଥିତ ଶାଶୂଘର ଆଗରେ ବସିଛନ୍ତି।