Odia News Portal

ବାପା ମା ଚାଲିଯିବା ପରେ ଦେଢ଼ ମାସର ଭାଇକୁ ପାଲୁଛି ୭ ବର୍ଷର ଝିଅ

ବାଲେଶ୍ୱର: ଦଇବ ଏମିତି ବି ଦୁଃଖ ଦେବ ତାହା କେହି କେବେ କଳ୍ପନା ମଧ୍ୟ କରି ନାହାଁନ୍ତି । ବାପା ମା ଛାଡ଼ି ଚାଲିଗଲେ ଆରପାରିକୁ । ଦେଢ଼ ମାସର ଭାଇକୁ ପାଳୁଛି ୭ ବର୍ଷର ଝିଅ । ଭାଇର ଅଳି ଅର୍ଦଳିକୁ ସହି ମା ଭଳି ସ୍ନେହ ଦେଉଛି ଏହି ୭ ବର୍ଷର ନାବାଳିକା । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ନିମାତପୁର ଗାଁରୁ ଆସିଛି ଏଭଳି ଦୃଶ୍ୟ ।

ନିମାତପୁର ଗାଁର ରାମନାରାୟଣ ପଣ୍ଡାଙ୍କ ସାନ ପୁଅ କମଳେଶ ପଣ୍ଡା । ଭୁବନେଶ୍ୱରରେ ଇଷ୍ଟକୋଷ୍ଟ ରେଲୱେର ସେଫ୍ଟି ଡିପାର୍ଟମେଣ୍ଟରେ କାମ କରୁଥିଲେ । ଆଉ ତାଙ୍କ ସ୍ତ୍ରୀ କଟକରେ ଷ୍ଟାଫ ନର୍ସ ଭାବେ କାର୍ଯ୍ୟ କରୁଥିଲେ । ଉଭୟ କରୋନା ଯୋଦ୍ଧା ଥିଲେ । ଉଭୟ କରୋନାରେ ଆକ୍ରାନ୍ତ ହୋଇଥିଲେ । ପୁଅକୁ ଜନ୍ମ ଦେବାର ୭ଦିନ ପରେ କମଳେଶଙ୍କ ପତ୍ନୀ ସ୍ମିତାଙ୍କ ମୃତ୍ୟୁ ହୋଇଥିଲା । ସେପଟେ କରୋନା ଟେଷ୍ଟ କରିବା ପରେ କମଳେଶ ମଧ୍ୟ ପଜିଟିଭ ଚିହ୍ନଟ ହୋଇଥିଲେ ।

ବଡ଼ ଭାଇଙ୍କ ପାଖରେ ପୁଅ ଝିଅଙ୍କୁ ଛାଡ଼ି ଆସିଥିଲେ କମଳେଶ । ଶେଷରେ ଦିନ କେଇଟାରେ ଜୀବନ ଯୁଦ୍ଧରେ ହାରି ଯାଇଥିଲେ ସେ । ଆଉ ବାପା ମା ଛେଇଁଣ୍ଡ ହୋଇଯାଇଛନ୍ତି ଦୁଇ ଶିଶୁ । ତେବେ ସାନ ଭାଇକୁ ଏହା ଅନୁଭବ ହେବାକୁ ଦେଇ ନାହାଁନ୍ତି ତାଙ୍କ ଝିଅ । ଭାଇର ସମସ୍ତ କଥା ବୁଝୁଛନ୍ତି ସେ । ସେପଟେ କମଳେଶଙ୍କ ବଡ଼ ଭାଇ ଓ ଭାଉଜ ମଧ୍ୟ ସେମାନଙ୍କ ଦୁଇ ଛୁଆଙ୍କ ଯତ୍ନ ନେଉଥିବା ଦେଖିବାକୁ ମିଳିଛି ।